ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲା ଅନ୍ତର୍ଗତ ଲଘଟ ଗ୍ରାମର ଯୁବପିଢ଼ି ‘ଚିଟ୍ଟା’ ନାମକ ଘାତକ ନିଶା ଦ୍ରବ୍ୟ ଦ୍ବାରା କବଳିତ ହେବାରେ ଲାଗିଛି। ଚିଟ୍ଟା ହେଉଛି ପଞ୍ଜାବ, ହିମାଚଳ ଆଦି ରାଜ୍ୟରେ ମିଳୁଥିବା ଏକ ଅପମିଶ୍ରିତ ହେରୋଇନ୍‌। ପିଲାମାନଙ୍କୁ ଏହି ନିଶାରୁ ରକ୍ଷା କରିବା ପାଇଁ ମାଆମାନେ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ‘ଚିଟ୍ଟା’ର ବେଆଇନ ଚାଲାଣ ଓ ପ୍ରସାର ରୋକିବାକୁ ‘ମହିଳା ମଣ୍ଡଳ ଲଘଟ’ ଗୋଷ୍ଠୀର ସଦସ୍ୟାମାନେ ପ୍ରବଳ ଶୀତକୁ ଖାତିର ନ କରି ରାତି ସାରା ସେମାନଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସମେତ ଗାଁ ରାସ୍ତାରେ ପହରା ଦେଉଛନ୍ତି। 

Advertisment

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ଅନ୍ୟମାନେ ଶୋଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ମହିଳାମାନେ ଲାଠି ଓ ମୋବାଇଲ୍‌ ଟର୍ଚ୍ଚ ଧରି ଘରୁ ବାହାରିପଡ଼ନ୍ତି। ଅନ୍ଧାର ରାତିରେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିମୋଟର ଉପରେ ସେମାନେ ନଜର ରଖନ୍ତି ଏବଂ ସନ୍ଦେହ ହେଲେ ପୁଲିସକୁ ଜଣାନ୍ତି। ଏହି ସଂଗଠନରେ ୨୫ରୁ ୫୦ ବର୍ଷ ବୟସର ୨୨ ଜଣ ସଦସ୍ୟା ଅଛନ୍ତି। ସଂଗଠନର ମୁଖ୍ୟ ପିଙ୍କି ଶର୍ମା କହନ୍ତି, ‘ଆମ ଲକ୍ଷ୍ୟ ନିଶା ଚାଲାଣକାରୀମାନଙ୍କୁ ଧରିବା ଏବଂ ଆମ ଗାଁର ସୁରକ୍ଷା ସୁନିଶ୍ଚିତ କରିବା। ଡ୍ରଗ୍‌ ନିଶା କେବଳ ବ୍ୟକ୍ତିକୁ ଧ୍ବଂସ କରେ ନାହିଁ, ଏହା ପରିବାର ଓ ସମାଜକୁ ମଧ୍ୟ କ୍ଷତିଗ୍ରସ୍ତ କରେ। କେବଳ ପୁଲିସ ଓ ପ୍ରଶାସନ ଉପରେ ନିର୍ଭର କଲେ ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ସମାଜର ସବୁ ବର୍ଗର ଲୋକ ନିଶା ବିରୋଧରେ ଛିଡ଼ା ହେବା ଗୁରୁତ୍ବପୂର୍ଣ୍ଣ।’ 

Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ

ଆଖପାଖ ଗ୍ରାମର ଅଧିବାସୀମାନେ ଏବେ ଏହି ସଂଗଠନର ଉଦ୍ୟମକୁ ପ୍ରଶଂସା କରୁଛନ୍ତି ଏବଂ ସେମାନଙ୍କ ସହିତ ରାତିରେ ପହରା ଦେବାକୁ ଆସୁଛନ୍ତି। ଏହି ଗୋଟିଏ ଗ୍ରାମର ମହିଳାମାନଙ୍କ ସାହସିକ ଅଭିଯାନ ଦେଶର ସବୁ ଗ୍ରାମ ଓ ସହରକୁ ସନ୍ଦେଶ ଦେଉଛି ଯେ ସମାଜର ଲୋକମାନେ ଏକଜୁଟ ହୋଇ ଚେଷ୍ଟା କଲେ ଡ୍ରଗ୍ସ ପ୍ରାଦୁର୍ଭାବ ବିରୋଧରେ ଶକ୍ତିଶାଳୀ ଲଢ଼େଇ କରିବା ସମ୍ଭବ।