ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବାକୁ ଚାହେଁ‌ ! ଏପରି କହି ଭାରତ-ଚୀନ ସୀମାନ୍ତର କଟକଣାଯୁକ୍ତ ଅଞ୍ଚଳରୁ ହଟୁନାହାନ୍ତି ମହିଳା

ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବାକୁ ଚାହେଁ‌ ! ଏପରି କହି ଭାରତ-ଚୀନ ସୀମାନ୍ତର କଟକଣାଯୁକ୍ତ ଅଞ୍ଚଳରୁ ହଟୁନାହାନ୍ତି ମହିଳା

Photo Courtesy: Hindustan Live

ପିଥୋର୍‌ଗଡ଼: ଭାରତ-ଚୀନ ସୀମା ନିକଟରେ ଥିବା ନବିଧାଘର ଅଞ୍ଚଳରେ ବେଆଇନ ଭାବେ ରହୁଥିବା ଜଣେ ମହିଳା ନିଜକୁ ମା’ ପାର୍ବତୀଙ୍କ ଅବତାର ବୋଲି ଦାବି କରି ଆସୁଛନ୍ତି। ଉକ୍ତ ଅଞ୍ଚଳଟି ଏକ ନିୟନ୍ତ୍ରିତ ଇଲାକା ହୋଇଥିଲେ ହେଁ ସେ ଜାଗା ଛାଡ଼ିବାକୁ ରାଜି ହେଉନାହାନ୍ତି।  ତାଙ୍କ କହିବା କଥା ହେଲା ସେ ହେଉଛନ୍ତି ମାତା ପ‌ାର୍ବତୀଙ୍କ ଅବତାର ଓ କୈଳାସ ପର୍ବତରେ ରହୁଥିବା ଶିବଙ୍କୁ ବିବାହ କରିବାକୁ ଚାହାନ୍ତି।

ମହିଳାଙ୍କ ନାମ ହର୍‌ମିନ୍ଦର କୌର୍‌। ତାଙ୍କୁ ସେଠାରୁ ହଟାଇବା ପାଇଁ ଯାଇଥିବା ପୁଲିସ୍‌ ଟିମ୍‌ ନିରାଶ ହୋଇ ଫେରି ଆସିଛି। କାରଣ ମହିଳା ଜଣକ ଧମକ ଦେଇଥିଲେ ଯେ ତାଙ୍କ ସହ ବଳ ପ୍ରୟୋଗ  କଲେ ସେ ଆତ୍ମହତ୍ୟା କରିବେ । ଏ ନେଇ ପିଥୋରଗଡ଼ର ଏସ୍‌ପି ଲୋକେନ୍ଦ୍ର ସିଂହ ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ସୁରକ୍ଷିତ ଭାବେ ବଳପୂର୍ବକ ସେଠାରେ ଆଣିବା ପାଇଁ ଏକ ବଡ଼ ଟିମ୍‌କୁ ପଠାଯିବ।

ମହିଳାଙ୍କ ଘର ହେଉଛି ଉତ୍ତରପ୍ରଦେଶର ଆଲିଗଞ୍ଜରେ। ଧରଚୁଲା ଏସ୍‌ଡିଏମ୍‌ଙ୍କ ଅନୁମତିକ୍ରମେ ସେ ତାଙ୍କ ମାଆଙ୍କ ସହ ୧୫ ଦିନ ପାଇଁ ସେଠାକୁ ବୁଲି ଯାଇଥିଲେ। ମେ ୨୫ରେ ତାଙ୍କୁ ମିଳିଥିବା ଅନୁମତିର ଅବଧି ସରିଯିବା ପରେ ବି ସେ ଉକ୍ତ କଟକଣାଯୁକ୍ତ ସ୍ଥାନରୁ ଫେରିବାକୁ ରାଜି ହୋଇ ନଥିଲେ।

ତାଙ୍କୁ ସେଠାରୁ ଫେରାଇ ଆଣିବାକୁ ଜଣେ ଇନ୍‌ସ୍ପେକ୍ଟର ଓ ୨ ଜଣ ସବ୍‌ଇନ୍‌ସ୍ପେକ୍ଟରଙ୍କୁ ପଠାଯାଇଥିଲା। ମାତ୍ର ସେମାନେ ସେଠାରୁ ଖାଲି ହାତରେ ଫେରି ଆସିଥିଲେ। ମହିଳା ଜଣକ ସେଠାରୁ ଆସିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ତେବେ ଏବେ ତାଙ୍କୁ ଫେରାଇ ଆଣିବାକୁ ମେଡିକାଲ୍‌ ଷ୍ଟାଫ୍‌ଙ୍କ ସହ ୧୨ ଜଣ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଠନ କରାଯାଇଥିବା ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe