Women Photograph: (sambad.in )
ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ ସମ୍ପ୍ରତି ଆଧୁନିକ ଯୁଗରେ ଅନେକ ପରମ୍ପରା ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଏହାସତ୍ତ୍ବେ ବିଶ୍ବର ବିଭିନ୍ନ ଦେଶରେ ରହିଥିବା ଜନଜାତୀୟ ସମାଜଗୁଡ଼ିକ ଏବେ ମଧ୍ୟ ନିଜର ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛନ୍ତି।
ଆଫ୍ରିକୀୟ ଦେଶ ନାମିବ୍ୟାର ଉତ୍ତରଭାଗରେ ବହୁମାତ୍ରାରେ ହିମ୍ବା ଜନଜାତିର ଲୋକେ ବାସ କରନ୍ତି। ଏହି ଜନଜାତିର ମହିଳାମାନେ ହଜାରେ ବର୍ଷ ତଳର ଏକ ପୁରୁଣା ତଥା ନିଆରା ପରମ୍ପରାକୁ ଏବେ ମଧ୍ୟ ପାଳନ କରୁଛନ୍ତି। ସେମାନେ ଜୀବନରେ କେବଳ ଥରଟିଏ ପାଇଁ ସ୍ନାନ କରନ୍ତି। କେବଳ ବିବାହ କରୁଥିବା ଦିନ ହିଁ ସେମାନଙ୍କୁ ସ୍ନାନ କରିବାକୁ ଅନୁମତି ମିଳିଥାଏ। ଏହାବ୍ୟତୀତ ଜଳର ବ୍ୟବହାର କରି ଗାଧୋଇବାକୁ ସେମାନଙ୍କୁ ବାରଣ କରାଯାଇଥାଏ। ଏହାସତ୍ତ୍ବେ ଏହି ମହିଳାମାନଙ୍କ ଶରୀର ସବୁବେଳେ ପରିଷ୍କାର ରହିଥାଏ। ଏଥିପାଇଁ ହିମ୍ବା ଜନଜାତିର ମହିଳାମାନେ ଏକ ବିଶେଷ ପ୍ରକାରର ସ୍ନାନ କରିଥାନ୍ତି, ଯାହାକୁ ଧୂଆଁସ୍ନାନ ବୋଲି କୁହାଯାଏ। ସେମାନେ ଜଳ ପରିବର୍ତ୍ତେ ଅନ୍ୟ ପ୍ରାକୃତିକ ଉପାୟରେ ନିଜ ଶରୀରକୁ ସଫା ରଖିଥାନ୍ତି। ସେମାନେ ପ୍ରଥମେ ସ୍ବତନ୍ତ୍ର ଔଷଧୀୟ ଜଡ଼ିବୁଟିଗୁଡ଼ିକୁ ପାଣିରେ ଫୁଟାଇଥାନ୍ତି ଏବଂ ଏଥିରୁ ବାହାରୁଥିବା ବାଷ୍ପ ଦ୍ୱାରା ନିଜ ଶରୀରକୁ ସଫା ରଖନ୍ତି। ଏହି କାରଣରୁ ସେମାନଙ୍କ ଶରୀର କେବେ ମଧ୍ୟ ଅପରିଷ୍କାର ରହେନାହିଁ। ମହିଳାମାନେ ବାଷ୍ପସ୍ନାନ କରିବା ଦ୍ୱାରା ଏଠାରେ ବହୁମାତ୍ରାରେ ଜଳ ସଞ୍ଚୟ ହୋଇଥାଏ।
ସେହିପରି ଏହି ଜନଜାତିର ମହିଳାମାନେ ସୂର୍ଯ୍ୟକିରଣରୁ ନିଜ ଚର୍ମକୁ ରକ୍ଷା କରିବା ପାଇଁ ଏକ ସ୍ବତନ୍ତ୍ର ଲୋସନ୍ ପ୍ରୟୋଗ କରିଥାନ୍ତି। ଉକ୍ତ ଲୋସନ୍ ପ୍ରାଣୀ ଚର୍ବି ଓ ସ୍ବତନ୍ତ୍ର ମିନେରାଲ୍ ହେମାଟାଇଟ୍ରୁ ପ୍ରସ୍ତୁତ ହୋଇଥାଏ। ପିଢ଼ି ପରେ ପିଢ଼ି ଏପରି ଧୂଆଁରେ ଗାଧୋଇବାର ପରମ୍ପରା ଚାଲିଆସୁଛି। ନାମିବ୍ୟା ପରି ମରୁଭୂମି ଜଳବାୟୁରେ ଜଳ ସଂରକ୍ଷଣ ପାଇଁ ଏହି ପରମ୍ପରା ଅତ୍ୟନ୍ତ ଉପଯୋଗୀ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଉତ୍ତର ନାମିବ୍ୟାରେ ହିମ୍ବା ଜନଜାତିର ମୋଟ୍ ଜନସଂଖ୍ୟା ପ୍ରାୟ ୫୦ ହଜାର। ଏହି ଜନଜାତିର ପରିବେଶ ସହ ବିଶେଷ ସମ୍ପର୍କ ରହିଛି। ସେମାନେ ପରିବେଶକୁ ପୂଜା କରନ୍ତି। ଶିକାର ବ୍ୟତୀତ ହିମ୍ବା ଜନଜାତିର ଲୋକେ କୃଷି ଏବଂ ପଶୁପାଳନ କରି ଜୀବିକା ନିର୍ବାହ କରନ୍ତି। ସେହିପରି ସେମାନେ ନିଜ ଲାଲ୍ରଙ୍ଗର ଚର୍ମ, ପିନ୍ଧୁଥିବା ଅନନ୍ୟ ଅଳଙ୍କାର ତଥା ଦୃଢ଼ ସାଂସ୍କୃତିକ ପରମ୍ପରା ଓ ବିଶ୍ୱାସ ପାଇଁ ଜଣାଶୁଣା।
Follow Us