Jagran
ଦେଶ ପାଇଁ ଲଢ଼ୁଥିବା ବେଳେ ଅନେକ ସୈନିକ ଶତ୍ରୁ ପକ୍ଷର ଗୁଳି-ଗୋଳା ଦ୍ୱାରା ଗୁରୁତର ଭାବେ ଆହତ ହୋଇ ନିମ୍ନାଙ୍ଗ ପକ୍ଷାଘାତ ବା ପାରାପ୍ଲେଜିଆ ଭୋଗୁଛନ୍ତି। ପୁଣେରେ ରହିଛି ‘ପାରାପ୍ଲେଜିକ୍ ରିହାବିଲିଟେସନ୍ ସେଣ୍ଟର୍’। ଏଠାରେ ଚିକିତ୍ସିତ ସୈନିକଙ୍କ ବାବଦରେ ଜନସଚେତନତା ତଥା ପାଣ୍ଠି ସଂଗ୍ରହ ପାଇଁ ଗୁଜରାତର ସୋଲୋ ବାଇକର ମିତ୍ସୁ ଚାଓ୍ଵଡ଼ା ଗଲା ନଭେମ୍ବର୍ ଛବିଶ ତାରିଖରେ ସୂରତରୁ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ଏଗାର ହଜାର କିଲୋମିଟର୍ ଅତିକ୍ରମ କରିବା ସହ ପ୍ରାୟ ଦୁଇ ଲକ୍ଷ ଟଙ୍କା ସଂଗ୍ରହ କରିସାରିଲେଣି।
ସାଧାରଣତନ୍ତ୍ର ଦିବସରେ ସୂରତରେ ହିଁ ତାଙ୍କର ଅଭିଯାନ ଶେଷ ହେବ। ସଂଗୃହୀତ ପାଣ୍ଠି ପକ୍ଷାଘାତ ଭୋଗୁଥିବା ସୈନିକଙ୍କ ଚିକିତ୍ସାରେ ଲାଗିବ। ମିତ୍ସୁ ଇଂରେଜୀ ଭାଷା-ସାହିତ୍ୟ ସମ୍ମାନରେ ଦ୍ୱିତୀୟ ବାର୍ଷିକ କଳା ଛାତ୍ରୀ। ପକ୍ଷାଘାତର ଶିକାର ହେବା ସତ୍ତ୍ୱେ ମାନସିକ ସ୍ତରରେ ପରାଜୟ ସ୍ୱୀକାର କରି ନ ଥିବା ତଥା ଶତ ପ୍ରତିଶତ ସକାରାତ୍ମକ ଭାବନାର ସହ ଜୀବନ ବିତାଉଥିବା ଜଣେ ଅଠେଇଶ ବର୍ଷ ବୟସ୍କ ମେଜର୍ଙ୍କ ସଂସ୍ପର୍ଶରେ ଆସିବା ପରେ, ମିତ୍ସୁ ଏ ଭଳି ଦେଶପ୍ରେମୀ ବୀରମାନଙ୍କ କଲ୍ୟାଣ ପାଇଁ କିଛି କରିବାକୁ ଚିନ୍ତା କରିଥିଲେ ଏବଂ ବାଇକ୍ ଯାତ୍ରା ଭଳି ଦୁଃସାହସିକ ପଥ ବାଛିଥିଲେ। ସେ ମହାରାଷ୍ଟ୍ର, କର୍ଣ୍ଣାଟକ, ତମିଲନାଡ଼ୁ, ପଶ୍ଚିମ ବଙ୍ଗ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦିରେ ଯାତ୍ରା କରି, ସ୍କୁଲ୍-କଲେଜ୍ ପିଲାଙ୍କ ସହ ମିଶି, ସଚେତନତାର ବାର୍ତ୍ତା ବାଣ୍ଟିଚାଲିଛନ୍ତି।
Follow Us