ଆଜି ବିଶ୍ବ କର୍କଟ ଦିବସ: ବଦଭ୍ୟାସ୍ ଛାଡିବା, ନିଜକୁ ବଦଳାଇବା, କର୍କଟ ଠାରୁ ଦୂରେଇ ରହିବା...

ବିଶ୍ବ କର୍କଟ ଦିବସ ଅବସରରେ ନିଜକୁ ପରିବର୍ତ୍ତନ କରିବା ଆଉ ନିଜ ବଦଭ୍ୟାସ କିମ୍ବା ଜୀବନଶୈଳୀକୁ ବଦଳାଇବା । ଆସନ୍ତୁ ଶପଥ ନେବା ଯେମିତି କର୍କଟ ଆମକୁ ଛୁଇଁ ବି ପାରିବନି । ଆଉ ହଁ, କର୍କଟ ରୋଗୀଙ୍କୁ ଘୃଣା ନୁହେଁ ପ୍ରେମ କରିବା ଶିଖନ୍ତୁ । ସେମାନଙ୍କୁ ଜୀବନର ଯୁଦ୍ଧ ଜିତିବାକୁ ସାହସ ଦିଅନ୍ତୁ ।

world cancer day 2025

Photograph: (SAMBAD.IN)

ନୂଆଦିଲ୍ଲୀ: କର୍କଟ ଏକ ମାରାତ୍ମକ ରୋଗ । ଏହା ଜୀବନ ବି ନେଇପାରେ । କୁହାଯାଏ ଅନ୍ୟ ରୋଗରୁ ବର୍ତ୍ତି ହେବ କିନ୍ତୁ କର୍କଟରୁ ନୁହେଁ । କ୍ୟାନ୍ସର ହେଲା ମାନେ ମୃତ୍ୟୁ ସୁନିଶ୍ଚିତ ମାତ୍ର ଏହି ଧାରଣା ଧିରେଧିରେ ମଣିଷ ସମାଜରୁ ଦୂରୀଭୂତ ହେଲାଣି । କ୍ୟାନ୍ସରକୁ ମୁକାବିଲା କରି ଅନେକ ନୂଆ ଜୀବନ ପାଇଲେଣି । ହେଲେ ତଥାପି କ୍ୟାନ୍ସର ପ୍ରତି ଲୋକଙ୍କ ମନରେ ଭାରି ଭୟ । 

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।

ପ୍ରତି ବର୍ଷ କ୍ୟାନ୍ସର ଦିବସ ପାଳନ ପାଇଁ ଥିମ୍ ଥାଏ । ଆଉ ଏବର୍ଷ ବି ଥିମ୍ ରହିଛି । ‘ୟୁନାଇଟେଡ୍ ବାଏ ୟୁନିକ’ ଏଥରର ଥିମ୍ ରହିଛି ଯାହାର ଅର୍ଥ ସ୍ବତନ୍ତ୍ର ଭାବେ ସଂଗଠିତ୍ ହେବା । ଏହି ଥିମ୍ ୨୦୨୫ରୁ ୨୭ ଯାଏଁ ରହିବ । ଏହି ଥିମ୍ ବ୍ୟକ୍ତିଗତ ଯତ୍ନ, ସେବା ଉପରେ ଗୁରୁତ୍ବ ଦେବ । 

ଆମ ସମାଜରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଛି । ଲୋକେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି । 

କର୍କଟର ମୁକାବିଲା ପାଇଁ କଳାକାରଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଯାଏଁ ସଚେତନ କରୁଛନ୍ତି । ତେବେ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ୟାନସରକୁ ବି ମାତ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ହିନା ଖାନ, କ୍ରିକେଟର ୟୁବରାଜ ସିଂଙ୍କ ଭଳି ଅନେକ ବ୍ୟକ୍ତି କ୍ୟାନସରକୁ ହରାଇଛନ୍ତି ।  ଆଉ ଆଜି ବିଶ୍ବ କର୍କଟ ଦିବସ ଅବସରରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ।  

ପୃଥିବୀରେ ସବୁଠୁ ଘାତକ ରୋଗ ଭାବେ କ୍ୟାନସରକୁ ଗଣାଯାଏ । ଆଜି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ କ୍ୟାନସର ରୋଗୀଙ୍କୁ ଘୃଣା କରନ୍ତି । ସମାଜରେ କର୍କଟ ରୋଗ ପ୍ରତି ଜନସଚେତନା ସୃଷ୍ଟି ପାଇଁ ଫେବୃଆରୀ ୪କୁ କର୍କଟ ଦିବସ ରୂପେ ପାଳନ କରାଯାଉଛି । ତେବେ ଆପଣ ଜାଣନ୍ତି କି ଏହି କ୍ୟାନସର ଲକ୍ଷଣ ହୋଇପାରେ ବୋଲି...

ଭୋକ ନ ଲାଗିବା, ହଠାତ୍ ଓଜନ ହ୍ରାସ ପାଇବା, ଖାଦ୍ୟ ଗିଳିବାରେ ସମସ୍ୟା ହେବା, କଥା କହିବା ସମୟରେ ଯନ୍ତ୍ରଣା ଅନୁଭବ କରିବା, ଆରାମ ନେବା ପରେ ଥକ୍କା ଲାଗିବା, କ୍ଷତ ହୋଇଥିଲେ ଭଲ ନହେବା ଆଦି ଲକ୍ଷଣ ହୋଇଥିବା ବେଳେ ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମର ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଆସନ୍ତୁ ବିଶ୍ବ କର୍କଟ ଦିବସ ଅବସରରେ ନିଜକୁ ପରିବର୍ତ୍ତନ କରିବା ଆଉ ନିଜ ବଦଭ୍ୟାସ କିମ୍ବା ଜୀବନଶୈଳୀକୁ ବଦଳାଇବା । ଆସନ୍ତୁ ଶପଥ ନେବା ଯେମିତି କର୍କଟ ଆମକୁ ଛୁଇଁ ବି ପାରିବନି । ଆଉ ହଁ, କର୍କଟ ରୋଗୀଙ୍କୁ ଘୃଣା ନୁହେଁ ପ୍ରେମ କରିବା ଶିଖନ୍ତୁ । ସେମାନଙ୍କୁ ଜୀବନର ଯୁଦ୍ଧ ଜିତିବାକୁ ସାହସ ଦିଅନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe