ଆଜି ‘ବିଶ୍ବ ଐତିହ୍ୟ ଦିବସ’ ବା ‘ଆନ୍ତର୍ଜାତିକ ସ୍ମାରକୀ ଓ ସ୍ଥଳୀ ଦିବସ’। ସମଗ୍ର ମାନବ ଜାତିର ମିଳିତ ଇତିହାସ ଓ ଐତିହ୍ୟକୁ ସୁରକ୍ଷା ଦେବାର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ବ ଐତିହ୍ୟର ବିବିଧତାକୁ ନେଇ ଖୁସି ମନାଇବା ଲାଗି ଏହି ଦିନଟି ଉଦ୍ଦିଷ୍ଟ। ଆନ୍ତର୍ଜାତିକ ସ୍ମାରକୀ ଓ ସ୍ଥଳୀ ପରିଷଦ ପକ୍ଷରୁ ୧୯୮୨ ମସିହାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ୧୯୮୩ରେ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏହାକୁ ସ୍ବୀକୃତି ମିଳିଥିଲା। ବିଶ୍ବ ଐତିହ୍ୟ ଦିବସ ପାଳନ ଦ୍ବାରା ଆମ ମନରେ ବିଶ୍ବର ସମସ୍ତ ସଂସ୍କୃତିକୁ ସମ୍ମାନ କରିବା ସହ ଗୁରୁତ୍ବପୂର୍ଣ୍ଣ କୀର୍ତ୍ତିରାଜି ଓ ସ୍ଥାନଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ବିଶ୍ବ ସଂସ୍କୃତିକୁ ସଂରକ୍ଷିତ ରଖିବାର ଗୁରୁତ୍ବ ପ୍ରୋତ୍ସାହିତ ହୋଇଥାଏ।
ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ବର ପ୍ରାଚୀନ କୀର୍ତ୍ତିରାଜି ଓ ଅଟ୍ଟାଳିକାଗୁଡ଼ିକ ଆମ ପାଇଁ ଅମୂଲ୍ୟ ସମ୍ପଦ। ତେବେ ସେଗୁଡ଼ିକ ଯେପରି ବର୍ଷ ବର୍ଷ ଧରି ଅକ୍ଷୁଣ୍ଣ ରହିବେ, ସେଥିପ୍ରତି ଯତ୍ନଶୀଳ ହୋଇ ସେଗୁଡ଼ିକର ସୁରକ୍ଷା ଜରୁରୀ। ସେହିପରି ସାଂସ୍କୃତିକ ବିବିଧତାର ଗୁରୁତ୍ବ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ପିଢ଼ି ପରେ ପିଢ଼ି ଏହାକୁ ସଂରକ୍ଷିତ ରଖିବା ଲାଗି ବିଶ୍ବ ସମୁଦାୟଙ୍କ ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ମୁଦ୍ଦା ରହିଛି ‘ଐତିହ୍ୟ ପରିବର୍ତ୍ତନ’, ଯାହା ପରିବେଶ ସୁରକ୍ଷାର ପଦକ୍ଷେପ ଓ ସାଂସ୍କୃତିକ ଐତିହ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରେ ଗୁରୁତ୍ବାରୋପ କରୁଛି।
Follow Us