ଆଜିର ଦିନକୁ ବିଶ୍ବ ମୂଷିକ ଦିବସ ରୂପେ ପାଳନ କରାଯାଉଛି। ଉଦ୍ଦେଶ୍ୟ ହେଉଛି- ମୂଷା ପରି ନିରୀହ କ୍ଷୁଦ୍ର ସ୍ଥନ୍ୟପାୟୀ ପ୍ରାଣୀଟି ମୁଣ୍ଡାଇଥିବା ମହାମାରୀ ପ୍ଲେଗ୍ର ବାହକ ଓ ଖାଦ୍ୟଶସ୍ୟ ଲୁଟେରା ପରି ଅପଯଶକୁ ଭୁଲି ତାହାର ମହତ୍ ଗୁଣକୁ ସ୍ବୀକୃତି ଦେବା ଏବଂ ଅନ୍ୟ ଗୃହପାଳିତଙ୍କ ପରି ତାହାକୁ ଗ୍ରହଣ କରିବା। ବାସ୍ତବରେ ମୂଷା ହେଉଛି ଅନ୍ୟତମ ପ୍ରାଚୀନତମ ପ୍ରାଣୀ ଯିଏ ମଣିଷ ସମେତ ଅନେକ ନୂତନ ପ୍ରଜାତିଙ୍କ ସୃଷ୍ଟି ଓ ବିବର୍ତ୍ତନ କାଳରୁ ରହିଆସିଛି। ପ୍ରାୟ ଦୁଇ ଲକ୍ଷ ବର୍ଷ ତଳେ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ପ୍ରଥମେ ଦୃଷ୍ଟିଗୋଚର ହୋଇଥିବା ଏହି ପ୍ରାଣୀଟି ପରେ ଏସିଆ ମହାଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ପ୍ରାୟ ୩,୬୦୦ ବର୍ଷ ତଳେ ମଧ୍ୟ ପ୍ରାଚ୍ୟରେ ଓ ୨,୬୦୦ ବର୍ଷ ତଳେ ଆଫ୍ରିକା ମହାଦେଶରେ ଏହାର ଉପସ୍ଥିତି ଜଣାପଡ଼ିଥିଲା। ମଣିଷ ସଭ୍ୟତା ଲୋପ ପାଇବା ପରେ ମଧ୍ୟ ମୂଷା ତିଷ୍ଠି ରହିଥିବ ବୋଲି ଗବେଷକମାନଙ୍କ ମତ। ମହାପ୍ରଭୁ ଗଣପତିଙ୍କ ବାହନ ରୂପରେ ଆମ ସଂସ୍କୃତି ସହ ଜଡ଼ିତ ମୂଷାଠାରେ ହିଁ ମାନବ ସମାଜ ପାଇଁ ଉଦ୍ଭାବିତ କୌଣସି ଔଷଧର ପ୍ରାରମ୍ଭିକ ପ୍ରୟୋଗ କରାଯାଇଥାଏ। ଆମ ପାଇଁ ଏତେ ଗୁଣକାରୀ ସାଜିଥିବା ଏହି କୌତୁକିଆ ବୁଦ୍ଧିମାନ ପ୍ରାଣୀଟି ସର୍ବଦା ଆମର ଶ୍ରଦ୍ଧା, ଯତ୍ନ ଓ ରକ୍ଷଣାବେକ୍ଷଣ ଲୋଡ଼ିଥାଏ। ତେଣୁ ଏହି ଉଦ୍ଦେଶ୍ୟରେ ୨୦୦୨ ମସିହା ଆଜିର ଦିନରେ ଦଳେ ଉତ୍ସାହୀ ପଶୁପ୍ରେମୀ ବିଶ୍ବ ମୂଷିକ ଦିବସ ପାଳନର ପରିକଳ୍ପନା କରିଥିଲେ। ଏହାଦ୍ବାରା ଏହି ଜୀବଟି ଅନ୍ୟ ପୋଷା ଜୀବଙ୍କ ପରି ଆମର ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିପାରିବ ବୋଲି ଆଶା ରଖାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us