Republic World
ଆଜି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ପ୍ରଭାବୀ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ଉଲ୍ଲେଖଯୋଗ୍ୟ, ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ବାର୍ଷିକ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଇବା ସହ ବ୍ୟକ୍ତି, ପରିବାର ଓ ସମାଜ ପାଇଁ ଭାରୀ ଆର୍ଥିକ ତଥା ସାମାଜିକ ବୋଝ ପାଲଟିଛି। ତେଣୁ ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା।
ଲକ୍ଷ୍ୟ ଥିଲା, ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ତମାଖୁ ସେବନ ବନ୍ଦ କରିବାରେ ସହାୟତା କରିବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’। ଏହି ଅଭିଯାନର ଲକ୍ଷ୍ୟ ହେଉଛି, ତମାଖୁ ଚାଷୀଙ୍କ ପାଇଁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ସ୍ଥାୟୀ, ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା।
Follow Us