ଆଜି ବି ବିଶ୍ୱ ଗଣମାଧ୍ୟମର ସବୁଠାରୁ ନିର୍ଭରଯୋଗ୍ୟ ଓ ବହୁଳ ବ୍ୟବହୃତ ମାଧ୍ୟମ ହେଉଛି ରେଡିଓ। ଦୀର୍ଘ ୨୦୦ ବର୍ଷ ହେବ ରେଡିଓର ଚାହିଦା ସହରରୁ ନେଇ ଗ୍ରାମାଞ୍ଚଳଯାଏ ବଜାୟ ରହିଛି। ୟୁନେସ୍କୋ ପକ୍ଷରୁ ବିଶ୍ୱ ରେଡିଓ ଦିବସର ବାର୍ତ୍ତା ରହିଛି ‘ଫ୍ରିକ୍ୟୁଏନସି ଇଜ୍ ଦି ଫ୍ୟୁଚର୍’। ୨୦୧୨ ମସିହାରୁ ମିଳିତ ଜାତିସଙ୍ଘ ପକ୍ଷରୁ ଫେବ୍ରୁଆରି ୧୩ ତାରିଖକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଇଆସୁଛି। ୧୯୪୬ ମସିହା ଫେବ୍ରୁଆରି ୧୩ରେ ଜାତିସଙ୍ଘ ରେଡିଓର ପ୍ରତିଷ୍ଠା ହୋଇଥିଲା। ତେଣୁ ସେହି ଦିନ ବିଶ୍ୱ ରେଡିଓ ଦିବସ ପାଳନ କରାଯିବାର ନିଷ୍ପତ୍ତି ହୋଇଥିଲା। ବିଶ୍ୱ ରେଡିଓ ଦିବସ ୨୦୨୫ର ସ୍ଲୋଗାନ୍ ରହିଛି ‘ରେଡିଓ ଓ ଜଳବାୟୁ ପରିବର୍ତ୍ତନ’। ଏ ବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତାଧର୍ମୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରସାରଣ କରିବାରେ ରେଡିଓର ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ କରାଯିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଖବର ପରିବେଷଣରେ ଉନ୍ନତି ଆଣିବା ପାଇଁ ରେଡିଓ ଷ୍ଟେସନଗୁଡ଼ିକୁ ପ୍ରୋତ୍ସାହିତ କରାଯିବ।
ବିଶ୍ୱରେ ରେଡିଓ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଯାଉଛି ଏବଂ ଏଥିରେ ଜଳବାୟୁ ପରିବର୍ତ୍ତନ ତଥା ନିତିଦିନିଆ ପାଣିପାଗ ସୂଚନା ପ୍ରଦାନର ସଚେତନତା ସବୁଠାରୁ ଅଧିକ ମହତ୍ତ୍ବ ଭବିଷ୍ୟତରେ ବଜାୟ ରଖିବ ବୋଲି ୟୁନେସ୍କୋ ପକ୍ଷରୁ ବିଶ୍ୱ ରେଡିଓ ଦିବସ ଅବସରରେ ଦର୍ଶାଯାଇଛି। ଭାରତରେ ବର୍ତ୍ତମାନ ଜାତୀୟ ରେଡିଓ ସେବା ଆକାଶବାଣୀ ସହିତ ବହୁ କମ୍ୟୁନିଟି ରେଡିଓ ଏବଂ ଘରୋଇ ଏଫ୍ଏମ୍ ରେଡିଓ ଶ୍ରୋତାଙ୍କ ନିକଟରେ ପହଞ୍ଚୁଛନ୍ତି। ଭାରତରେ ୨୦୦୨ ମସିହାରେ କମ୍ୟୁନିଟି ରେଡିଓ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେ ସମୟରେ କେବଳ ସରକାରୀ ବିଶ୍ବବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କୁ କମ୍ୟୁନିଟି ରେଡିଓ ସ୍ଥାପନ ନିମନ୍ତେ ଅନୁମତି ମିଳୁଥିଲା। ପରେ ଏହାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ୨୦୦୬ ମସିହାରୁ ସ୍ଥାନୀୟ ବେସରକାରୀ ସଂଗଠନମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଗଲା। ବର୍ତ୍ତମାନ ଦେଶରେ ୫୩୧ଟି କମ୍ୟୁନିଟି ରେଡିଓ କାର୍ଯ୍ୟକ୍ଷମ ଥିବାବେଳେ ଓଡ଼ିଶାରେ ୪୩ଟି କମ୍ୟୁନିଟି ରେଡିଓ ରହିଛି। ଏହି କମ୍ୟୁନିଟି ରେଡିଓଗୁଡ଼ିକ ଦେଶର ସର୍ବାଧିକ ଗ୍ରାମାଞ୍ଚଳ ଜନସଂଖ୍ୟା ନିକଟରେ ପହଞ୍ଚୁଛନ୍ତି।
ଏହି ପରିପ୍ରେକ୍ଷୀରେ ୧୯୫୦ ମସିହାରୁ ଆକାଶବାଣୀରେ ପ୍ରସାରିତ ହୋଇ ଆସୁଥିବା ‘କୃଷି ସଂସାର’ କାର୍ଯ୍ୟକ୍ରମ ହେଉଛି ପାଣିପାଗ ସମ୍ପର୍କିତ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ପାଣିପାଗ ଆଧାରିତ କୃଷି ସୂଚନା ଜନସାଧାରଣଙ୍କୁ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ରାଜ୍ୟରେ ଆଞ୍ଚଳିକ ଭାଷାରେ ପ୍ରସାରିତ ହୋଇଥାଏ ଏବଂ ଏହା ଆଜି ମଧ୍ୟ ଏକ ଜନପ୍ରିୟ କାର୍ଯ୍ୟକ୍ରମ ଭାବେ ତା’ର ମାନ୍ୟତା ବଜାୟ ରଖିଛି ବୋଲି ଦିଲ୍ଲୀ ଆକାଶବାଣୀର ବରିଷ୍ଠ କାର୍ଯ୍ୟକ୍ରମ ଉପସ୍ଥାପକ ରାମଚନ୍ଦ୍ର ନାଥ କହନ୍ତି। କମ୍ୟୁନିଟି ରେଡିଓ ଆସୋସିଏସନ୍ର ପ୍ରାକ୍ତନ ଜାତୀୟ ସଭାପତି ଏନ୍. ଏ. ଶାହଃ ଅନ୍ସାରୀ କହନ୍ତି, “ପାଣିପାଗ ସଂପର୍କିତ ସୂଚନା ପ୍ରସାରଣ କ୍ଷେତ୍ରରେ କମ୍ୟୁନିଟି ରେଡିଓ ପ୍ରମୁଖ ଗଣମାଧ୍ୟମ ସାଜିଛି। ବିଶେଷକରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଏହାର ସେବାକୁ ସକ୍ରିୟ କରି ସମର୍ଥନ ଓ ପ୍ରଶଂସା ହାସଲ କରିଛି। ଓଡ଼ିଶାର ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହାର ପ୍ରମାଣ ମିଳିଛି।”
ସେହିପରି ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ଷ୍ଟେସନ୍ ‘ରେଡିଓ ଚକଲେଟ୍’ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ୍ ମିଶ୍ର କହନ୍ତି, ‘‘ପ୍ରତିଦିନ ସକାଳେ ଆମେ ୱେଦର୍ ଚେକ୍ ନାମକ କାର୍ଯ୍ୟକ୍ରମ ଜରିଆରେ ଶ୍ରୋତାଙ୍କୁ ପାଣିପାଗ ସଂପର୍କିତ ସୂଚନା ଦେଉଛୁ। ଆମର ଚକଲେଟ୍ ବାୟା କାର୍ଯ୍ୟକ୍ରମରେ ବି ଗୀତ ମାଧ୍ୟମରେ ଲୋକଙ୍କ ଭିତରେ ଜଳବାୟୁ ପରିବର୍ତ୍ତନ ସଚେତନତା ସୃଷ୍ଟି କରାଯାଉଛି। ମୋର କାହାଣୀ ଉପସ୍ଥାପନା କାର୍ଯ୍ୟକ୍ରମ ‘କଥାଟିଏ’ରେ ମଧ୍ୟ ଏହି ପ୍ରସଙ୍ଗକୁ ମୁଁ ଗୁରୁତ୍ବ ଦେଉଛି। ଏହାବାଦ୍ ‘ପୁନଶ୍ଚ ପୃ୍ଥିବୀ’ ଅଭିଯାନର ଅଂଶ ଭାବେ ଜଳବାୟୁ ପରିବର୍ତ୍ତନ ସଚେତନତା ସୃଷ୍ଟିକାରୀ ୫୦ଟି କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଛୁ।’’ ତେବେ ଆକାଶବାଣୀର ଜନପ୍ରିୟ ଉପସ୍ଥାପକ ବିଜୟ ମଲ୍ଲ କହନ୍ତି, ‘‘ଆଜିର ଦିନରେ ଯେଉଁଭଳି ଭାବରେ ସାମାଜିକ ଗଣମାଧ୍ୟମ ଓ ଏଫ୍ଏମ୍ ରେଡିଓର ଚାହିଦା ବଢ଼ିଚାଲିଛି ତା’ ସହିତ ତାଳ ଦେଇ ଆକାଶବାଣୀ ଆଗକୁ ବଢ଼ିବା ଦରକାର। ଯେଉଁ କୃଷି ସଂସାର କାର୍ଯ୍ୟକ୍ରମ ଶୁଣିବାକୁ ଗାଁରୁ ସହର ପର୍ଯ୍ୟନ୍ତ ଶ୍ରୋତା ଅପେକ୍ଷା କରୁଥିଲେ ସେହି କାର୍ଯ୍ୟକ୍ରମ ଏବେ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାକୁ ସଂଘର୍ଷ କରୁଛି। ଆଧୁନିକ ଗଣମାଧ୍ୟମର ଯୁଗରେ ଆକାଶବାଣୀ ଏହାର କାର୍ଯ୍ୟକ୍ରମଗୁଡ଼ିକୁ ଟିକିଏ ନିଆରା ଓ ଭିନ୍ନଶୈଳୀରେ ପରିବେଷଣ କରିବାର ସମୟ ଆସିଛି।’’
Follow Us