Deccan Herald
ଗୌହାଟି: ନିକଟରେ ଆସାମର ଗୌହାଟିସ୍ଥିତ ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିଅମ୍ରେ ଆସାମର ‘ବିହୁ’ ଲୋକନୃତ୍ୟ କଳାକାରମାନେ ଏକ ବିରଳ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୧,୩୦୪ ଜଣ କଳାକାର ଭାଗ ନେଇ ଏହି କୀର୍ତ୍ତି ସ୍ଥାପନ କରିଛନ୍ତି। ସେମାନଙ୍କ ଭିତରେ ପାଖାପାଖି ୭,୦୦୦ ଜଣ ବିହୁ ନୃତ୍ୟଶିଳ୍ପୀ, ୩,୦୦୦ରୁ ଅଧିକ ଢୋଲ ବାଦକ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ସାମିଲ ହୋଇଥିଲେ। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ କଳାକାର ଗୋଟିଏ ପ୍ରକାର ଲୋକନୃତ୍ୟ ପ୍ରଦର୍ଶନ କରିବାରେ ତାହା ଥିଲା ବିଶ୍ବ ରେକର୍ଡ।
ଏହା ମଧ୍ୟ କୌଣସି ପ୍ରକାର ଲୋକନୃତ୍ୟ ପ୍ରଦର୍ଶନର ବୃହତ୍ତମ ସମାବେଶ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଖୁସି ବ୍ୟକ୍ତ କରିଛନ୍ତି। ଦିନ ତମାମ ଜାରି ରହିଥିବା ଉକ୍ତ କାର୍ଯ୍ୟକ୍ରମରେ ଗିନିଜ୍ ବିଶ୍ବ ରେକର୍ଡର ଲଣ୍ଡନସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ବିଚାରକ ଋଷି ନାଥ ଉପସ୍ଥିତ ରହି ଆସାମର ରେକର୍ଡ ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ଏଥିପାଇଁ ସାରା ରାଜ୍ୟରୁ ବଛା ବଛା କଳାକାରଙ୍କୁ ଚୟନ କରାଯାଇ କିଛି ସପ୍ତାହ ଧରି ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା। ପୂର୍ବରୁ ଏଭଳି ଲୋକନୃତ୍ୟର ଗିନିସ୍ ବିଶ୍ବ ରେକର୍ଡ ହିମାଚଳ ପ୍ରଦେଶ ନାମରେ ରହିଥିଲା। ୨୦୧୫ ଅକ୍ଟୋବର ୨୬ରେ ହିମାଚଳ ପ୍ରଦେଶ ଅନ୍ତର୍ଗତ କୁଲୁ ଜିଲ୍ଲାର ୯,୮୯୨ ଜଣ ‘ନାଟି’ ନୃତ୍ୟ କଳାକାର ଏହି ଗୌରବ ହାସଲ କରିଥିଲେ।
Follow Us