YouTube
ମୁମ୍ବାଇ: ଶରୀରର ଅକ୍ଷମତା ଯେ ମନକୁ ଅଟକାଇପାରେ ନାହିଁ ତାହା ପ୍ରମାଣିତ କରିଛନ୍ତି ବିଶ୍ବର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଝିଅ ଏବଂ ଅଭିନେତ୍ରୀ ଜ୍ୟୋତି ଆମ୍ଗେ। ତାଙ୍କର ଉଚ୍ଚତା ୬୨.୮ ସେଣ୍ଟିମିଟର (୨ ଫୁଟ୍ ୩/୪ ଇଞ୍ଚ୍) ଏବଂ ଓଜନ ମାତ୍ର ପାଞ୍ଚ କିଲୋଗ୍ରାମ୍। ଏଥିପାଇଁ ସେ ଲିମ୍କା ବୁକ୍ ଅଫ୍ ରେକର୍ଡ ଏବଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନୀତ ହୋଇଛନ୍ତି।
ମହାରାଷ୍ଟ୍ରର ନାଗପୁରରେ ୧୬ ଡିସେମ୍ବର ୧୯୯୩ରେ ଜ୍ୟୋତିଙ୍କ ଜନ୍ମ। ପରିବାରରେ ବାପା ମାଆଙ୍କ ସହିତ ତିନି ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି। ଜ୍ୟୋତି ସବାସାନ। ସମସ୍ତ ଭଉଣୀ ଓ ଭାଇଙ୍କର ବାହାଘର ସରିଛି। ଜିନ୍ଗତ ତ୍ରୁଟି ଯୋଗୁ ଜନ୍ମ ସମୟରୁ ତାଙ୍କ ଶରୀରରେ ଅସନ୍ତୁଳନ ରହିଥିଲା। ଏହା ଏଭଳି ଏକ ବିଲକ୍ଷଣ ଯାହାର କୌଣସି ଚିକିତ୍ସା କରାଯାଇପାରେ ନାହିଁ। ତାଙ୍କର ଦୁଇ ଗୋଡ଼ରେ ପୁଣି ଫ୍ରାକ୍ଚର ରହିଛି ଏବଂ ତାହା ଠିକ୍ ହୋଇପାରୁନାହିଁ। ତାଙ୍କ ଶରୀର ଖୁବ୍ ନରମ। ଉଚ୍ଚତା ଏବଂ ଓଜନ କମ୍ ଥିବାରୁ ତାଙ୍କୁ ସ୍କୁଲ୍ରେ ନାଁ ଲେଖାଇବା ପାଇଁ ମନା କରିଦିଆଯାଇଥିଲା। ଏଥିପାଇଁ ସେ ପ୍ରଥମେ ଘରେ ପାଠ ପଢ଼ିଥିଲେ। ଅବଶ୍ୟ ପରେ ସ୍କୁଲ୍ କର୍ତ୍ତୃୃପକ୍ଷ ବୁଝିଥିଲେ ଏବଂ ଜ୍ୟୋତିଙ୍କ ପଢ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଏବେ ସେ ସ୍ନାତକୋତ୍ତର ପାଠ ପଢ଼ିସାରିଛନ୍ତି। ବେଟି ବଚାଓ ବେଟି ବଢ଼ାଓ ଅଭିଯାନରେ ସେ ଯୋଡ଼ି ହୋଇଛନ୍ତି। ତାଙ୍କ ମତରେ, ‘ଝିଅ ବଞ୍ଚିଲେ ସୃଷ୍ଟି ବଞ୍ଚିବ।’
India.comଶାରୀରିକ ବିସଙ୍ଗତି ସତ୍ତ୍ବେ ନିଜ ମନକୁ ଖୁବ୍ ଦୃଢ଼ କରିଥିଲେ ଜ୍ୟୋତି। ଅଭିନୟ ଏବଂ ମଡେଲିଂ କ୍ଷେତ୍ରରେ ପାଦଦେଇ ସେ ନିଜ ବାଟ ନିଜେ ପ୍ରସ୍ତୁତ କରିଥିଲେ। ଅକ୍ଷମତାକୁ ଅନ୍ୟ ପାଇଁ ଏକ ଆକର୍ଷଣରେ ପରିଣତ କରିଥିଲେ। ଫଳସ୍ବରୂପ ୨୦୦୯ ମସିହାରେ ଏକ ପ୍ରାମାଣିକ ଚଳଚ୍ଚିତ୍ରରେ ତାଙ୍କୁ ଉପସ୍ଥାପିତ କରାଯାଇଥିଲା। ସେହି ଚଳଚ୍ଚିତ୍ରର ଶୀର୍ଷକ ଥିଲା ‘ବଡି ସକ୍: ଟୁ ଫିଟ୍ ଟଲ୍ ଟିନ୍’। ୨୦୧୪ରେ ଚର୍ଚ୍ଚିତ ଟେଲିଭିଜନ୍ କାର୍ଯ୍ୟକ୍ରମ ବିଗ୍ ବସ୍ର ଷଷ୍ଠ ସଂସ୍କରଣରେ ସେ ଜଣେ ଅତିଥି ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଶୈଳନିବାସ ଲୋନାଭାଲାରେ ଜ୍ୟୋତିଙ୍କର ମହମ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଲୋକେ ବେଳେ ବେଳେ ଦେବୀଙ୍କ ରୂପ ଭାବି ତାଙ୍କ ପାଦ ଛୁଅଁନ୍ତି। ମିକା ସିଂହଙ୍କ ମ୍ୟୁଜିକ୍ ଆଲ୍ବମ୍ରେ ଜ୍ୟୋତି ଅଭିନୟ ଓ ନୃତ୍ୟ କରିଛନ୍ତି। ଏ ମଧ୍ୟରେ ଆମେରିକା, ଜାପାନ, ଚୀନ, ରୁଷ ଆଦି ବହୁ ଦେଶ ଯାଇ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
୨୦୧୨ରେ ବିଶ୍ବର ସବୁଠୁ ଗେଡ଼ା ପୁରୁଷ ନେପାଳର ଚନ୍ଦ୍ର ବାହାଦୁର ଡାଙ୍ଗିଙ୍କ ସହ ଜ୍ୟୋତିଙ୍କର ଭେଟ ହୋଇଥିଲା। ଏ ଦୁହେଁ ଗିନିଜ୍ ୱାର୍ଲଡ ରେକର୍ଡସ୍ର ୫୭ତମ ସଂସ୍କରଣ ପାଇଁ ଫଟୋ ସୁଟ୍ରେ ଭାଗ ନେଇଥିଲେ। ଟିଭି କାର୍ଯ୍ୟକ୍ରମ ପାଇଁ ଭାରତ ବାହାରେ ମଧ୍ୟ ଜ୍ୟୋତି ଆମ୍ଗେଙ୍କର ଚାହିଦା ରହିଛି। ସେ ଇଟାଲୀର ଚାନେଲ୍-୫ ପକ୍ଷରୁ ଆୟୋଜିତ ‘ଲୋ ଶୋ ଡି ରେକର୍ଡ’ କାର୍ଯ୍ୟକ୍ରମରେ ଅନ୍ୟତମ ଉପସ୍ଥାପିକା ଥିଲେ। ୨୦୧୪ରେ ଆମେରିକାନ୍ ହରର ଷ୍ଟୋରୀ ଫ୍ରିକ୍ ଶୋ’ରେ ସେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଆମେରିକାର ଟିଏଲ୍ସି ଟିଭି ନେଟ୍ୱର୍କ ଜ୍ୟୋତିଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିଛନ୍ତି।
Follow Us