ସଂଯୁକ୍ତ ଆରବର ମାତ୍ର ଚାରି ବର୍ଷର ଜଣେ ବାଳକ ବିଶ୍ବର କନିଷ୍ଠତମ ପ୍ରକାଶିତ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି। ସୟିଦ ରସିଦ ଆଲମୈରି ନାମକ ଏହି ୪ ବର୍ଷ ୨୧୮ ଦିନର ବାଳକ ସ୍ବରଚିତ ଶିଶୁ ଗଳ୍ପ ବହି ‘ଦି ଏଲିଫ୍ୟାଣ୍ଟ୍ ସୟିଦ ଆଣ୍ଡ୍ ଦି ବିଅର’ର ହଜାରେ କପି ବିକ୍ରି କରି ଗତ ମାସ ୯ ତାରିଖରେ ଗିନିସ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ନିଜ ବଡ଼ ଭଉଣୀ ଐଧାବିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ।
ଏହି ପ୍ରଥମ ଶିଶୁଗଳ୍ପଟି ଗୋଟିଏ ହାତୀ ଓ ଭାଲୁ ମଧ୍ୟରେ ରହିଥିବା କଳ୍ପନାତୀତ ବନ୍ଧୁତା ଓ ଆବେଗ ଉପରେ ପର୍ଯ୍ୟବସିତ। ସୟିଦଙ୍କ ପୂର୍ବରୁ ଏହି ରେକର୍ଡ ୟୁନାଇଟେଡ୍ କିଙ୍ଗଡମ୍ର ବେଲା ଜେ ଡାର୍କ ନାମ୍ନୀ ବାଳିକାଙ୍କ ନାମରେ ରହିଥିଲା। ବେଲାଙ୍କୁ ୫ ବର୍ଷ ୨୧୧ ଦିନ ହୋଇଥିବା ବେଳେ ସେ ସ୍ବରଚିତ ଗଳ୍ପବହି ‘ଦି ଲଷ୍ଟ କ୍ୟାଟ୍’ର ହଜାରେ କପି ବିକ୍ରି କରି ଗିନିସ ରେକର୍ଡ ହାସଲ କରିଥିଲେ। ସୟିଦଙ୍କ ପରିବାରରେ ସେ ଜଣେ ମାତ୍ର ଗିନିସ ରେକର୍ଡ ଅଧିକାରୀ ନୁହନ୍ତି। ତାଙ୍କ ଭଉଣୀ ଐଧାବି ମଧ୍ୟ ଏକ ଦ୍ବିଭାଷୀ ପୁସ୍ତକ ପ୍ରକାଶ କରିବାରେ କନିଷ୍ଠତମ ବାଳିକା ହେବାର ଗିନିସ ରେକର୍ଡର ଅଧିକାରିଣୀ। ତାଙ୍କୁ ୮ ବର୍ଷ ୨୩୯ ଦିନ ହୋଇଥିବା ବେଳେ ସେ ସେହି କୀର୍ତ୍ତି ସ୍ଥାପନ କରିଥିଲେ।
Follow Us