ଶୂନରୁ ଶହେ: କୋରାପୁଟରୁ ବ୍ରିଟେନ୍ ସ୍ବାଗତିକାଙ୍କ ସଫଳ ଯାତ୍ରା

ଓଡ଼ିଶାର ଏକ ଆଦିବାସୀବହୁଳ ଛୋ‌ଟିଆ ଗାଁରୁ ସୁଦୂର ଇଂଲଣ୍ଡ୍‌ରେ ରହି ନିଜ ଲକ୍ଷ୍ୟ ହାସଲ କରିବା ସହିତ ଓଡ଼ିଶାର ଗ୍ରାମୀଣ ମହିଳାଙ୍କ ପାଇଁ କାମ କରିବା କମ୍‌ ବଡ଼ କଥା ନୁହେଁ। ସେମିତି ଅନନ୍ୟ ସଫଳତା ହାସଲ କରି ଅନ୍ୟମାନଙ୍କ...

dgdgcvv

ପ୍ରଜ୍ଞା ନିବେଦିତା ନାୟକ

ଓଡ଼ିଶାର ଏକ ଆଦିବାସୀବହୁଳ ଛୋ‌ଟିଆ ଗାଁରୁ ସୁଦୂର ଇଂଲଣ୍ଡ୍‌ରେ ରହି ନିଜ ଲକ୍ଷ୍ୟ ହାସଲ କରିବା ସହିତ ଓଡ଼ିଶାର ଗ୍ରାମୀଣ ମହିଳାଙ୍କ ପାଇଁ କାମ କରିବା କମ୍‌ ବଡ଼ କଥା ନୁହେଁ। ସେମିତି ଅନନ୍ୟ ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସ୍ବାଗତିକା ପାତ୍ର। କୋରାପୁଟର ସୁନାବେଡ଼ା ସହରରେ ଜନ୍ମିତ ସ୍ୱାଗତିକା ସ୍କୁଲ୍‌ରେ ପଢ଼ିଲା ବେଳୁ  ମହିଳାଙ୍କ ଉନ୍ନତି, ବିଶେଷକରି ପଛୁଆ ବର୍ଗର ମହିଳାଙ୍କ ସଶକ୍ତୀକରଣ ଦିଗରେ କାମ କରିବାକୁ ଳକ୍ଷ୍ୟ ରଖିଥିଲେ। କୋରାପୁଟର ସାମାଜିକ ବ୍ୟବସ୍ଥାରେ ମହିଳାମାନେ ଦୈନନ୍ଦିନ ଜୀବନରେ ଭୋଗୁଥିବା ବିଭିନ୍ନ ସମସ୍ୟା ଏଥିପାଇଁ ତାଙ୍କୁ ଅନୁପ୍ରାଣିତ କରିଥିଲା।

ସ୍ୱାଗତିକା କହନ୍ତି, “ମହିଳାମାନଙ୍କ ପ୍ରଗତି ଲାଗି ଲକ୍ଷ୍ୟ ନେଇ ମୁଁ କାର୍ଯ୍ୟ ଆରମ୍ଭକଲି। ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ମୁଁ ବୁଝିଥିଲି। ତେ‌ଣୁ ମହିଳା ଓ ଯୁବତୀମାନଙ୍କ ବିକାଶ ପାଇଁ ସେମାନଙ୍କୁ ଶିକ୍ଷିତ ହେବାକୁ ପରାମର୍ଶ ଓ ପ୍ରେରଣା ଦେଇ ମୋ କାମକୁ ଆଗକୁ ନେଇଥିଲି। ମୁଁ ଜାଣିଥିଲି ଦୃଢ଼ ଇଚ୍ଛାଶକ୍ତି ଓ ସକ୍ରିୟ କାର୍ଯ୍ୟଧାରା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଏଥିପାଇଁ ସତ୍ୟ ନାଡେଲାଙ୍କ ପ୍ରେଣାଦାୟୀ କଥା- ‘ସମସ୍ତ ବିଷୟ ଜାଣିଥିବା ବ୍ୟକ୍ତି ହୁଅନାହିଁ, ସବୁକିଛି ଶିଖିଥିବା ବ୍ୟକ୍ତି ହୁଅ’ ମୋ ପାଇଁ ରାମବାଣ ସାବ୍ୟସ୍ତ ହୋଇଥିଲା। ଏଣୁ ମହିଳାମାନଙ୍କ ସାମାଜିକ ପ୍ରତିବନ୍ଧକ ଦୂର କରିବା ସହିତ ସେମାନଙ୍କୁ ନେତୃତ୍ୱ ନେବା ଓ ସେମାନଙ୍କ ଦକ୍ଷତା ବିକାଶ ପରି କାର୍ଯ୍ୟକ୍ରମମାନ ହାତକୁ ନେଇ ସଫଳ ହେଲି।

ମୋର ଛୋଟ ପ୍ରୟାସଗୁଡ଼ିକ ବଡ଼ ପରିବର୍ତ୍ତନ ଆଣିଲା। ମୋ କାମ କ୍ରମେ ବିଶ୍ୱରେ ଆଦୃତ ହେଲା। ସୌଭାଗ୍ୟକୁ ମୁଁ ଜାତିସଂଘର ଲଣ୍ଡନ୍‌ ମହିଳା ପ୍ରତିନିଧି ବର୍ଗରେ ସାମିଲ ହେବା ସହ ଜି-୧୦୦ର ପରାମର୍ଶଦାତା ସଦସ୍ୟ ଓ ଜାତିସଙ୍ଘ ଗ୍ଲୋବାଲ୍‌ କୁଇନ୍‌ସ ଆମ୍ବାସାଡର୍‌ ହେଲି। ଏବେ ଚୀନ୍‌ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାକାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଙ୍କ ବିକାଶ ଦିଗରେ ମୁଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ତେବେ ଏ ମଧ୍ୟରେ ୱିମେନ୍‌ ଅଫ୍‌ ହାର୍ଟ ପୁରସ୍କାର ଗ୍ରହଣ କରିବା ଏବଂ ମହିଳା ଦିବସ ପାଳନ କରିବା ପାଇଁ ବ୍ରିଟେନ୍‌ର ସଂସଦ ଭବନକୁ ଆମନ୍ତ୍ରିତ ହେବା ମୋର ଅଭୁଲା ଦିନ ହୋଇ ରହିବ। ଏଠାରୁ ଥାଇ କେତୋଟି ଏନ୍‌ଜିଓ ମାଧ୍ୟମରେ ମୁଁ ଓଡ଼ିଶାର ମହିଳା ସଶକ୍ତୀକରଣ ଉପ‌େର କାମ କରୁଛି, ଏହି କାମ ଆଗକୁ ମଧ୍ୟ ଜାରି ରହିବ।”

ଭାରତ ଓ ବ୍ରିଟେନ୍‌ରେ ବିଭିନ୍ନ ଆର୍ଥିକ ପ୍ରକଳ୍ପରେ କାମ କରିବା ସହିତ ସ୍ୱାଗତିକା ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ତାଳମେଳ ରଖି ନିଜ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେ ଅକ୍ସଫୋର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରେ ‘କୃତ୍ରିମ ବୁଦ୍ଧିମତା’ ଉପରେ ଅଧ୍ୟୟନ କରିଛନ୍ତି। ବିବାହ ପରେ ସ୍ବାମୀଙ୍କ ସହିତ ଲଣ୍ଡନ୍‌ରେ ବାସ କରୁଥିବା ସ୍ବାଗତିକା ନିଜ ଯାତ୍ରାର ପ୍ରାଥମିକ ପର୍ଯ୍ୟାୟରେ ଅନେକ ଆହ୍ୱାନର ମୁକାବିଲା କରିଥିଲେ। ପରେ ସେ ବାର୍କ୍ଲେସ୍‌ ବ୍ୟାଙ୍କ୍‌ରେ ନିଯୁକ୍ତି ପାଇଥିଲେ। ଏହାପରେ ବ୍ରିଟେନ୍‌ର ଫାଇନାନ୍‌ସିଆଲ୍‌ କଣ୍ଡକ୍ଟ ଅଥରିଟି(ଏଫ୍‌ସିଏ)ରେ ଯୋଗଦେଲେ। ଏହି ସଂସ୍ଥା ବ୍ରିଟେନ୍‌ରେ ପ୍ରାୟ ୬୦ ହଜାର ଆର୍ଥିକ ସଂସ୍ଥା ପରିଚାଳନା କରିଥାଏ।
“ଭାରତ ମୁଖ୍ୟତଃ ଓଡ଼ିଶା ଭଳି ରାଜ୍ୟରେ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟମଶୀଳତା କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ତାଳଦେଇ ଓଡ଼ିଶାର ଯୁବତୀମାନଙ୍କ ଭବିଷ୍ୟତ କିପରି ବିକଶିତ ହେବ ସେଥିପାଇଁ ମୁଁ କାର୍ଯ୍ୟ ଜାରି ରଖିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବି।

ଯେଉଁଠି ରହିଲେ ମଧ୍ୟ ଓଡ଼ିଶାର ଅଭିବୃଦ୍ଧି ଓ ବିକାଶ ଦିଗରେ ମୁଁ ନିରନ୍ତର କାର୍ଯ୍ୟ କରିବି। କୋରାପୁଟର ସୁନାବେଡ଼ାରୁ ଆସି ବିଶ୍ୱର ବିକଶିତ ରାଷ୍ଟ୍ରରେ ରହି ବୈଶ୍ୱିକସ୍ତରରେ କାର୍ଯ୍ୟ କରିବାର ନିଆରା ଅଭିଜ୍ଞତାକୁ ମୁଁ ମୋ ରାଜ୍ୟର ପ୍ରଗତିରେ ଉପଯୋଗ କରିବି। ଓଡ଼ିଶାକୁ ଉନ୍ନତ କରିବା ମୋର ଆଜୀବନ ଲକ୍ଷ୍ୟ ହୋଇରହିବ” ବୋଲି ସ୍ୱାଗତିକା ପାତ୍ର ନିଜ ପ୍ରେରଣାଦାୟୀ ଯାତ୍ରା ଅନୁଭୂତି ବଖାଣି କହନ୍ତି। ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ସେ କହନ୍ତି, ‘‘ଯୁବପିଢ଼ି ବଡ଼ ସ୍ବପ୍ନ ‌ଦେଖନ୍ତୁ, ବଡ଼ ଚିନ୍ତା କରନ୍ତୁ ଏବଂ ଏହାର କାର୍ଯ୍ୟାନ୍ବୟନ ଉପରେ ଅଟଳ ଧ୍ୟାନ ରଖନ୍ତୁ। ପ୍ରକୃତ ସଫଳତା କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଜୀବନ ରାସ୍ତାରେ ଅନ୍ୟମାନଙ୍କୁ ସଫଳ କରାଇବା ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe