Image Courtesy of Deccan Chronicle
ମୁମ୍ବାଇ: ଅସ୍ୱାଭାବିକ ଯୌନାଚାର ଯୋଗୁଁ ଘରୁ ଏବଂ ସମାଜରୁ ତଡ଼ା ଖାଇଥିବା ଭାରତୀୟ ଲେସ୍ବିୟାନ୍, ଗେ’, ଟ୍ରାନ୍ସ୍ଜେଣ୍ଡର୍ ଆଦିଙ୍କୁ ରାଜପ୍ରାସାଦର ଦ୍ୱାର ଖୋଲି ସ୍ୱାଗତ କରିଛନ୍ତି ଭାରତର ଏକମାତ୍ର ଜଣାଶୁଣା ସମଲିଙ୍ଗୀ ରାଜପୁତ୍ର ମାନବେନ୍ଦ୍ର ସିଂହ ଗୋଲି।
ମାନବେନ୍ଦ୍ର ଗୁଜୁରାଟ ଅନ୍ତର୍ଗତ ରାଜପିପଲା ସିଂହସନର ଉତ୍ତରାଧିକାରୀ। ସେ କହିଛନ୍ତି ଯେ ସାଧାରଣତଃ ପାରମ୍ପରିକ ମୂଲ୍ୟବୋଧ ଏବଂ ବିପରୀତ ଲିଙ୍ଗ ସମ୍ପର୍କକୁ ନିୟମ ଭାବେ ଜାବୁଡ଼ି ଧରିଥିବା ଭାରତର ଛୋଟ ଛୋଟ ସହରରେ ଏ ଭଳି ଲୋକେ ଚଳିବା କଷ୍ଟକର ହୋଇଥାଏ। ବାହା ହେବା ପାଇଁ ସେମାନଙ୍କ ଉପରେ ପରିବାର ତରଫରୁ ଚାପ ପଡ଼ିଥାଏ କିଂବା ସେମାନଙ୍କୁ ଘରୁ ତଡ଼ି ଦିଆ ଯାଇଥାଏ। ଫଳତଃ ସେମାନେ ବାସହରା ହୋଇ ଯାଆନ୍ତି ଏବଂ ଚଳିବା ନିମନ୍ତେ ସେମାନଙ୍କ ପାଇଁ କୌଣସି ପନ୍ଥା ନ ଥାଏ।
ତେଣୁ ସେମାନଙ୍କ ପାଇଁ ୫୨ ବର୍ଷିୟ ରାଜପୁତ୍ର ନିଜ ପୂର୍ବଜଙ୍କ ରାଜମହଲ ଜମିରେ ତୋଳୁଛନ୍ତି ‘ଏଲ୍ଜିବିଟି ସେଣ୍ଟର୍’ (ଲେସ୍ବିୟାନ୍, ଗେ’, ବାଇସେକ୍ସୁଆଲ୍ ଏବଂ ଟ୍ରାନ୍ସ୍ଜେଣ୍ଡର୍)।
ସେ କହନ୍ତି: ମୋର ପିଲାପିଲି ହେବ ନାହିଁ। ତେଣୁ ମୁଁ ଭାବିଲି ଏ ଜାଗାଟିକୁ ଗୋଟାଏ ମହତ୍ କାମରେ ନ ଲଗାଇବି କାହିଁକି? ସେ ଲୋକମାନଙ୍କ ରହିବା ପାଇଁ ଗୋଲି ରୁମ୍ ଯୋଗାଇ ଦେବା ସହ, ଡାକ୍ତରୀ ସୁବିଧା ଏବଂ ଇଂରାଜୀ ତାଲିମ୍ର ବ୍ୟବସ୍ଥା କରିବେ। ସେମାନଙ୍କ କର୍ମସଂସ୍ଥାନ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଇବେ।
ତାଙ୍କୁ ତେଜ୍ୟପୁତ୍ର କରିଛନ୍ତି ବୋଲି ଘୋଷଣା କରୁଥିବା ଗୋଟିଏ ବିଜ୍ଞାପନ ଖବରକାଗଜରେ ବାହାର କରିବାକୁ ନିଜ ମାଆଙ୍କୁ ପ୍ରବର୍ତ୍ତାଇ ସେ ଏକ ଦଶନ୍ଧିରୁ ଅଧିକ ବର୍ଷ ହେବ ପରିବାରରୁ ବାହାରି ଆସିଥିଲେ।
ପରିବାର ଛାଡ଼ିବା ପରେ ଗୋଲି ନିଜର ଜନ୍ମିତ ରକ୍ଷଣଶୀଳ ରାଜ୍ୟରେ ‘ଏଲ୍ଜିବିଟି’ ଲୋକମାନଙ୍କ ପାଇଁ ‘ଲକ୍ଷ୍ୟ ଟ୍ରଷ୍ଟ୍’ ନାମକ ଏକ ଦାତବ୍ୟ ସଂସ୍ଥାନ ଆରମ୍ଭ କରି ସମଲିଙ୍ଗୀ ଅଧିକାର ପାଇଁ ଜଣେ ଚାମ୍ପିୟନ୍ ହୋଇ ପାରିଥିଲେ। ଏଥିପାଇଁ ସେ ‘ଦି ଅର୍ଫା ଉଇନ୍ଫ୍ରେ ସୋ’ ସମତେ ବହୁ ଆନ୍ତର୍ଜାତିକ ଅନୁଷ୍ଠାନରେ ଦେଖା ଦେଇଛନ୍ତି।
ସେ କହିଛନ୍ତି: ୧୯୨୭ ମସିହାରେ ୧୫ ଏକର ଜମିରେ ନିର୍ମିତ ତାଙ୍କ ପ୍ରାସାଦର ସେ ନବୀକରଣ ଓ ପ୍ରସାରଣ କରୁଛନ୍ତି। ବିଜୁଳି ପାଇଁ ସୋଲାର୍ ପାନେଲ୍ ଲଗାଇବା ସହ ଜୈବିକ ଚାଷ ପାଇଁ କିଛି ଜମି ସଂରକ୍ଷଣ କରିଛନ୍ତି। ଟ୍ରଷ୍ଟର ପରିଚାଳନା ପାଇଁ କ୍ରାଉଡ୍ଫଣ୍ଡିଙ୍ଗ୍ର ବ୍ୟବସ୍ଥା ମଧ୍ୟ କରାଯାଉଛି।
Follow Us