ଆଉ ୧ ଦିନ: ନଈ ଭିତରେ ଉଦ୍‌ଘାଟନୀ ସମାରୋହ

Advertisment

ଇତିହାସରେ ପ୍ରଥମ, ୧୦୦ ଡଙ୍ଗାରେ ଆସିବେ ୨୦୬ ‌ରାଷ୍ଟ୍ରର କ୍ରୀଡ଼ାବିତ୍‌

ଇତିହାସରେ ପ୍ରଥମ, ୧୦୦ ଡଙ୍ଗାରେ ଆସିବେ ୨୦୬ ‌ରାଷ୍ଟ୍ରର କ୍ରୀଡ଼ାବିତ୍‌

ଆଉ ୧ ଦିନ: ନଈ ଭିତରେ ଉଦ୍‌ଘାଟନୀ ସମାରୋହ

ପ୍ୟାରିସ୍‌: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କୌଣସି ଷ୍ଟାଡିୟମ୍‌ରେ ହେବ ନାହିଁ। ବରଂ ସ୍ଥାନୀୟ ସିନ୍‌ ନଦୀରେ ସଂପୂର୍ଣ୍ଣ ପ୍ୟାରିସ୍‌ ସହରବ୍ୟାପୀ ଏହି ଉଦ୍‌ଘାଟନୀ ସମାରୋହ ଚାଲିବ। ଯେଉଁଥିରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌ଙ୍କୁ ନେଇ ଏକାଧିକ ଡଙ୍ଗା ନଦୀରେ ଚାଲିବ। ସହର ଭିତରେ ଯାଇଥିବା ଏହି ନଦୀର ଉଭୟ ପାର୍ଶ୍ବରେ ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବାକୁ ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସଂପୂର୍ଣ୍ଣ ସହର ଏକ ବିରାଟ ଷ୍ଟାଡିୟମ୍‌ରେ ପରିଣତ ହୋଇଯିବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଟନି ଇଷ୍ଟାନ୍‌ଗ୍ବେଟ୍‌ କହିଛନ୍ତି।

ଆୟୋଜକଙ୍କ ସୂଚନା ଅନୁସାରେ, ‌କ୍ରୀଡ଼ାବିତ୍‌ଙ୍କୁ ନେଇ ଡଙ୍ଗାଗୁଡ଼ିକ ପଣ୍ଟ୍‌ ଡି’ ଅଷ୍ଟରଲିଜ୍‌ ବ୍ରିଜ୍‌ ନିକଟରୁ ବାହାରିବ। ଏହି ଡଙ୍ଗା ଯାତ୍ରା ସିନ୍‌ ନଦୀରେ ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଯାହାମଧ୍ୟରେ ୧୮ ବ୍ରିଜ୍‌ ଓ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଅତିକ୍ରମ କରିବାକୁ ହେବ। ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଏହି ଯାତ୍ରା ପଣ୍ଟ ଡି’ ଲିନାଠାରେ ପହଞ୍ଚିବ। ଯାହାକି ଆଇଫେଲ୍‌ ଟାୱାରର ଖୁବ୍‌ ନିକଟତମ ସ୍ଥାନ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସମାରୋହରେ ୮୦ରୁ ୧୦୦ ଡଙ୍ଗା ବ୍ୟବହୃତ ହେବ। ଡଙ୍ଗାଗୁଡ଼ିକରେ ୨୦୬ଟି ଜାତୀୟ ଅଲିମ୍ପିକ୍ସ କମିଟିର କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ରହିବେ। ଦର୍ଶକମାନଙ୍କ ପାଇଁ ମଧ୍ୟ ନଦୀର ଉଭୟ ପାର୍ଶ୍ବରେ ବସିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ଡଙ୍ଗା ପରେଡ୍‌ ଦେଖିବା ପାଇଁ ୩ ଲକ୍ଷ ୨୬ ହଜାର ଟିକେଟ୍‌ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ରହିଛି। ଯାହାମଧ୍ୟରୁ ୨ ଲକ୍ଷ ୨୨ ହଜାର ଟିକେଟ୍‌ ମାଗଣାରେ ବଣ୍ଟାଯିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପ୍ୟାରିସ୍‌ ସହର ଭିତରେ ୮ଟି ବଡ଼ ପରଦା ଲଗାଯାଇ ଡଙ୍ଗା ଯାତ୍ରାର ସିଧାପ୍ରସାରଣ କରାଯିବ।

ଇତିହାସରେ ପ୍ରଥମ
୧୦୦ ଡଙ୍ଗାରେ ଆସିବେ ୨୦୬ ‌ରାଷ୍ଟ୍ରର କ୍ରୀଡ଼ାବିତ୍‌
ସୁରକ୍ଷା ଦୃଷ୍ଟିରୁ ପ୍ଲାନ୍‌ ‘ବି’ ଓ ‘ସି’ ପ୍ରସ୍ତୁତ

ଅଲିମ୍ପକ୍ସର ଉଦ୍‌ଘାଟନୀ ଭାଷଣ ପାଇଁ ଆଇଫେଲ୍‌ ଟାୱାରର ଅପରପାର୍ଶ୍ବରେ ଥିବା ଟ୍ରକାଡେରୋ ସମ୍ମୁଖରେ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ ନିର୍ମାଣ କରାଯାଇଛି। ଏହି ଷ୍ଟାଡିୟମ୍‌ର କ୍ଷମତା ୧୩ ହଜାର ରହିଛି। ଏଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ‌ଏଲ୍‌ ମାକ୍ରନ୍‌ଙ୍କ ପ୍ରାରମ୍ଭିକ ଭାଷଣ ସହ ଅଲିମ୍ପିକ୍ସ ପ୍ରୋଟୋକଲ୍‌ ଅନୁସାରେ ଉଦ୍‌ଯାପନୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଉଦ୍‌ଘାଟନୀ ଓ ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ପାଖାପାଖି ୩ ହଜାର କଳାକାର ଭାଗ ନେଉଛନ୍ତି। ଖେଳାଳିମାନଙ୍କୁ ଡଙ୍ଗାରେ ଆଣି ଆସୁଥିବା ବେଳେ ରାସ୍ତାରେ ପଡ଼ୁଥିବା ପ୍ରତ୍ୟେକ ବ୍ରିଜ୍‌ ଉପରେ ନୃତ୍ୟଶିଳ୍ପୀମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ଆୟୋଜକଙ୍କ ପକ୍ଷରୁ କରାଯାଇଥିବା ଏହି ଡଙ୍ଗା ପରେଡ୍‌ ଯୋଜନା ଆଗରେ ମଧ୍ୟ ବଡ଼ ଆହ୍ବାନ ରହିଛି। ବିଭିନ୍ନ ରାଷ୍ଟ୍ରର ଖେଳାଳି ଓ ରାଷ୍ଟ୍ରମୁଖ୍ୟମାନେ ସର୍ବସାଧାରଣ ସ୍ଥାନରେ ଯାତ୍ରା କରିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବା ଆୟୋଜକଙ୍କ ପାଇଁ ବଡ଼ ଆହ୍ବାନ ହେବ। ଏହାବାଦ୍‌ ବିଭିନ୍ନ ଇସ୍‌ଲାମିକ୍‌ ଗ୍ରୁପ୍‌ ଆକ୍ରମଣ ପାଇଁ ଧମକ ଦେଇଥିବାରୁ ଆୟୋଜକଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ଗତ ଜୁନ୍‌ ୨୪ ତାରିଖରେ ନଦୀରେ ଜଳସ୍ରୋତ ପ୍ରଖର ହେବାରୁ ଏହା ଉପରେ ହେବାକୁ ଥିବା ଡଙ୍ଗା ପରେଡ୍‌ର ରିହରସାଲ୍‌କୁ ମଧ୍ୟ ବାତିଲ କରିବାକୁ ପଡ଼ିଥିଲା। ତଥାପି ଆୟୋଜକଙ୍କ ପାଖରେ ପ୍ଲାନ୍‌ ବି’ ଓ ପ୍ଲାନ୍‌ ସି’ ମଧ୍ୟ ପ୍ରସ୍ତୁତ ରହିଛି। ଶେଷ ସମୟରେ ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିଲେ, ଆଇଫିଲ୍‌ ଟାୱାର ଅପରପାର୍ଶ୍ବରେ ଥି‌ବା ଟ୍ରକାଡେରୋଠାରେ ଉଦ୍‌ଘାଟନୀ ଉତ୍ସବ ହେବ ନଚେତ୍‌ ଫ୍ରାନ୍ସର ସବୁଠୁ ବଡ଼ ଷ୍ଟାଡିୟମ୍‌ ‘ଷ୍ଟେଡ୍‌ ଡି ଫ୍ରାନ୍ସ’ଠାରେ ଏହି କାର୍ଯ୍ୟକ୍ରମ ଯୋଜନା ରହିଥିବା ନେଇ ଗତ ଏପ୍ରିଲ୍‌ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe