ଟ୍ବେଣ୍ଟି-୨୦ ବିଶ୍ବ କପ୍‌କୁ ଆଉ ୧୦୦ ଦିନ: ଟ୍ରଫି ଉନ୍ମୋଚିତ

Advertisment
ଟ୍ବେଣ୍ଟି-୨୦ ବିଶ୍ବ କପ୍‌କୁ ଆଉ ୧୦୦ ଦିନ: ଟ୍ରଫି ଉନ୍ମୋଚିତ

ମେଲ୍‌ବର୍ଣ୍ଣ : ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ୧୦୦ ଦିନିଆ ଅବଗଣନା ଆରମ୍ଭ ହୋଇଯାଇଛି। ଫଳରେ ଶୁକ୍ରବାର ଏଠାର ୟାରା ନଦୀ ନିକଟସ୍ଥ କ୍ରାଉନ୍‌ ରିଭରୱାକ୍‌ଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ପରିକ୍ରମା ଉନ୍ମୋଚିତ ହୋଇଛି। ବିଶ୍ବକପ୍‌କୁ ଆଉ ଠିକ୍‌ ୧୦୦ ଦିନ ବାକି ଥିଲା ବେଳେ ଆୟୋଜିତ ଟ୍ରଫି ଉନ୍ମୋଚନ ଉତ୍ସବରେ ବିପୁଳ ସଂଖ୍ୟକ ଯୁବ ପ୍ରଶଂସକଙ୍କ ସମେତ ପୂର୍ବତନ କ୍ରିକେଟର୍‌ ୱାକର ୟୁନିସ୍‌, ମର୍ନି ମର୍କେଲ, ସେନ୍‌ ୱାଟ୍‌ସନ, ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍‌ ତାୟଲା ଜାଦେ ଭ୍ଲାଇମିଙ୍କ୍‌ ଓ ଜର୍ଜିଆ ୱାରେହାମ୍‌, ଅଷ୍ଟ୍ରେଲୀୟ ଟ୍ବେଣ୍ଟି-୨୦ ଅଧିନାୟକ ଆରୋନ ଫିଞ୍ଚ୍‌ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଫିଞ୍ଚ୍‌ ଯୁବ ପ୍ରଶଂସକମାନଙ୍କ ସହିତ ମଜା କରୁଥିବା ଦେଖାଯାଇଥିଲା। ଏହି ବିଶ୍ବକପ୍‌ରେ ୧୬ ଦଳ ଭାଗ ନେଉଥିଲା ବେଳେ ଟ୍ରଫି ପାଇଁ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ ଆଲାରଡିସ୍‌ କହିଥିଲେ। ଶୁକ୍ରବାର ଉନ୍ମୋଚିତ ହୋଇଥିବା ଟ୍ରଫି ୪ ମହା‌ଦେଶର ୧୩ ରାଷ୍ଟ୍ର ପରିକ୍ରମା କରିବା ପରେ ଅକ୍ଟୋବର ୧୬ ତାରିଖ ବିଶ୍ବକପ୍‌ ଆରମ୍ଭର ଅବ୍ୟବହିତ ପୂର୍ବରୁ ଗିଲଙ୍ଗ୍‌ ଫେରିଆସିବ। ଟ୍ରଫି ପରିକ୍ରମା ପାଇଁ ୩୫ ସ୍ଥାନ ସ୍ଥିର କରାଯାଇଛି। ପୂର୍ବ ତୁଳନାରେ ଅଧିକ ସ୍ଥାନ ସ୍ଥିର ହୋଇଥିଲା ବେଳେ ପ୍ରଥମ ଥର ପାଇଁ ଫିଜି, ଫିନ୍‌ଲାଣ୍ଡ, ଜର୍ମାନି, ଘାନା, ଇଣ୍ଡୋନେସିଆ, ଜାପାନ, ନାମିବ୍ୟା, ନେପାଳ, ସିଙ୍ଗାପୁର ଏବଂ ଭନୁଆତୁ ପରିକ୍ରମା କରିବ। ବିଶ୍ବକପ୍‌ର ଫାଇନାଲ୍‌ ମୁକାବିଲା ନଭେମ୍ବର ୧୩ ତାରିଖରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe