ଏଥର ଡଜନେ ଓଡ଼ିଆ

ଏଥର ଡଜନେ ଓଡ଼ିଆ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗ୍‌ରେ ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଦ୍ୟାବଧି ଘୋଷିତ ଭାରତୀୟ ଦଳ ଉପରେ ନଜର ପକାଇଲେ ଏଥର ଓଡ଼ିଶାରୁ ଡଜନେ କ୍ରୀଡ଼ାବିତ୍‌ ଇଣ୍ଡୋନେସିଆ ଗସ୍ତ କରିବେ। ହକିରୁ ସର୍ବାଧିକ ୬ ଜଣ ଭାଗ ନେବାକୁ ଯାଉଥିବାବେଳେ ଅନ୍ୟ ୬ ଜଣ ହେଉଛନ୍ତି ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ଜିମ୍ନାଷ୍ଟିକ୍ସ, ରୋଇଂ ପ୍ରତିଭା। ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଥିବାବେଳେ ମହିଳା ହକିରେ ସୁନୀତା ଲାକ୍ରା, ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଏବଂ ଲିଳିମା ମିଞ୍ଜ୍‌ ସାମିଲ୍‌ ଅଛନ୍ତି ଭାରତୀୟ ଦଳରେ। ସେହିଭଳି ଦୌଡ଼କୁଦରେ ଜାତୀୟ କୀର୍ତିମାନଧାରୀ ଦୂତି ଚାନ୍ଦଙ୍କ ସହିତ ଜଉନା ମୁର୍ମୁ ଏବଂ ହେପ୍ଟାଥଲେଟ୍‌ ପୂର୍ଣ୍ଣିର୍ମା ହେମ୍ବ୍ରମ୍‌ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ରାକେଶ ପାତ୍ର, ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ନୌଚାଳିକା ସଂଜୁକ୍ତା ଡୁଙ୍ଗ୍‌ ଡୁଙ୍ଗ୍‌ଙ୍କ ନାମ ମଞ୍ଜୁର ହୋଇଛି। କରାଟେକା ପାୟଲ ବରାଳ ଏବଂ ଭାରୋତ୍ତୋଳିକା ଝିଲ୍ଲୀ ଦଳ ବେହେରା ଇଣ୍ଡୋନେସିଆ ଟିକେଟ୍‌ରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଉପରୋକ୍ତ ୧୨ ଜଣଙ୍କ ମଧ୍ୟରୁ ଋତୁପର୍ଣ୍ଣା ପଣ୍ଡା, ନମିତା ଟପ୍ପୋ, ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍‌, ଅମିତ ରୋହିଦାସ ଏସୀୟ କ୍ରୀଡ଼ାରେ ପ୍ରଥମ ପଦାର୍ପଣ କରିବେ। ପୂର୍ବରୁ ଅନ୍ୟ ୭ ଜଣ ଅଂଶଗ୍ରହଣ କରି ସାରିଛନ୍ତି। ରାକେଶ ତୃତୀୟ ଥର ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ବୀରେନ୍ଦ୍ର, ସୁନୀତା, ଦୀପ୍‌ଗ୍ରେସ, ଲିଲିମା, ଜଉନା, ସଂଜୁକ୍ତା ଦ୍ୱିତୀୟ ଥର ପାଇଁ ଏସିଆଡ୍‌ ଖେଳିବେ। ଏମାନଙ୍କ ମଧ୍ୟରୁ ଗତଥର ବୀରେନ୍ଦ୍ର ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଦୀପ୍‌ଗ୍ରେସ୍‌, ସୁନୀତା, ଲିଳିମା କାଂସ୍ୟ ପଦକ ଜିତିଥିଲେ। ଯାହାକି ସେମାନଙ୍କୁ ଏସିଆଡ୍‌ ପଦକ ତାଲିକାରେ ରାଜ୍ୟର ବିରଳ କ୍ଲବ୍‌ରେ ରଖିଛି। ଏଥର ହକି ଖେଳାଳିଙ୍କ ସହିତ ୩ ଓଡ଼ିଆ ଧାବିକା ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍‌ ଏବଂ ଜଉନା ମୁର୍ମୁଙ୍କ ପଦକ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe