ଟି-୨୦ ବିଶ୍ୱକପ୍‌: ଓମାନ୍‌ ଆଗରେ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାପୁଆ ନ୍ୟୁଗିନି

Advertisment
ଟି-୨୦ ବିଶ୍ୱକପ୍‌: ଓମାନ୍‌ ଆଗରେ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାପୁଆ ନ୍ୟୁଗିନି

Photo: ICC Twitter

ଓମାନ: ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆମିରାତ୍‌ କ୍ରିକେଟ୍‌ ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଭେଟିଛି। ଓମାନ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାପୁଆ ନ୍ୟୁଗିନି ବେଟିଂ କରିଥିଲା। ପାପୁଆ ନ୍ୟୁଗିନି ୨୦ ଓଭରରେ ୯ ଓ୍ଵିକେଟକ୍‌ ହରାଇ ୧୨୯ ରନ୍‌ ସଂଗ୍ରହ କରିବା ପରେ ଓମାନକୁ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ପାପୁଆ ନ୍ୟୁଗିନିକୁ ଆରମ୍ଭରୁ ଝଟକା ଲାଗିଥିଲା। କାରଣ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦ୍ୱୟ ଖାତା ଖୋଲି ନପାରି ଶସ୍ତାରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଆସଦ୍‌ ଭାଲା ବ୍ୟକ୍ତିଗତ ଭାବେ ୫୬ ରନ୍‌ ସଂଗ୍ରହ କରିଥିଲେ। ସେ ୪୩ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ଚାର୍ଲେସ ଆମିନି ୨୬ଟି ବଲ ଖେଳି ୩୭ ରନ୍‌ ସଂଗ୍ରହ କରିଥିବା ବେଳେ ସେସେ ବାଉ ୧୩ଟି ବଲ ସାମ୍ନା କରି ବ୍ୟକ୍ତିଗତ ଭାବେ ୧୩ ରନ୍‌ କରିଥିଲେ।

ପାପୁଆ ନ୍ୟୁଗିନିର ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ନୋର୍ମାନ ଭାନୁଆ ୧ ରନ୍‌, ସିମୋନ ଆତିଆ ୩ ରନ୍‌, ଦାମିନ ରାଭୁ ୧ ରନ୍‌, କାବୁଆ ମୋରିଆ ଅପରାଜିତ ୬ ରନ୍‌ ଓ ନୋସାଇନା ପୋକାନା ଅପରାଜିତ ୫ ରନ୍‌ ସଂଗ୍ରହ କରିଥିଲେ। ଓମାନ ପକ୍ଷରୁ ଜୀଶନ୍‌ ମକ୍‌ସୁଦ୍‌ ସର୍ବାଧିକ ୪ଟି ଓ୍ଵିକେଟ୍‌ ନେଇଥିବା ବେଳେ ବିଲାଲ ଖାନ୍‌ ଓ କଲୀମ ଉଲ୍ଲା ୨-୨ଟି ଓ୍ଵିକେଟ୍‌ ନେଇଥିଲେ।

ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍‌ ଖେଳାଯିବ। ଆଜି ଦ୍ଵିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ସ୍କଟଲାଣ୍ଡ ଭେଟିବ। ଏହାର ସୁପର ୧୨ ପର୍ଯ୍ୟାୟ ଆସନ୍ତା ୨୩ ତାରିଖରୁ ଖେଳାଯିବ। ଏଥିରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୮ ଏବଂ ପ୍ରଥମ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଥିବା ୪ ଦଳ ସାମିଲ ରହିବେ। ଭାରତର ଅକ୍ଟୋବର ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୪ ତାରିଖରେ ଏହି ପ୍ରତିଯୋଗିତାର ମେଗା ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe