Possible11
ଇସ୍ଲାମାବାଦ: ତିନି ମ୍ୟାଚ୍ ବିଶିଷ୍ଟ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପାଇଁ ୧୭ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିବା ଇଂଲଣ୍ଡ କ୍ରିକେଟ୍ ଦଳର ୧୪ ଜଣ ଖେଳାଳି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ରାୱଲପିଣ୍ଡି ଟେଷ୍ଟ୍ ପୂର୍ବରୁ ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି। ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସମେତ ଏତେ ସଂଖ୍ୟକ ଖେଳାଳି ଭୂତାଣୁ ଜ୍ବରରେ ସଂକ୍ରମିତ ହୋଇଥିବା ବିବିସି ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶତପ୍ରତିଶତ ସୁସ୍ଥ ଅନୁଭବ କରୁନଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ଅଧିନାୟକ ଜୋ ରୁଟ୍।
ଅସୁସ୍ଥଙ୍କ ମଧ୍ୟରୁ କିଛି ଖେଳାଳି ବାନ୍ତି ଓ ଝାଡ଼ାବାନ୍ତି ରୋଗର ଶିକାର ହୋଇଥିବା ଏହି ସୂତ୍ରରୁ କୁହାଯାଇଛି। ଏହା ଖାଦ୍ୟ ବିଷାକ୍ତିକରଣ ଯୋଗୁଁ ନା କୋଭିଡ୍ ସେନେଇ କିଛି ସ୍ପଷ୍ଟ ହୋଇନି। ତଥାପି ସଂକ୍ରମଣ ଅନ୍ୟଙ୍କୁ ବ୍ୟାପିବା ଆଶଙ୍କାରେ ସେମାନଙ୍କୁ ହୋଟେଲ ରୁମ୍ରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ରୁଟ୍ଙ୍କ ସହିତ ହାରି ବ୍ରୁକ୍ସ, ଜାକ୍ କ୍ରଲି, କିଟନ ଜେନିଙ୍ଗ୍ସ, ଓଲି ପୋପ୍ କେବଳ ସୁସ୍ଥ ଥିବା ଏବଂ ଗୁରୁବାରଠୁ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ୍ ପାଇଁ ଉପଲବ୍ଧ ବୋଲି ନିଜେ ରୁଟ୍ କହିଛନ୍ତି। ମୁଁ ମଧ୍ୟ ଗତକାଲି ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲି, ହେଲେ ଏବେ ସୁସ୍ଥ ଅଛି ବୋଲି ରୁଟ୍ କହିଛନ୍ତି। ଫଳରେ ରାୱଲପିଣ୍ଡିରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଏହି ଦୃଷ୍ଟିରୁ ଘୁଞ୍ଚିପାରେ ବୋଲି କୁହାଯାଇଛି। ୨୦୦୫ ପର ପ୍ରଥମ ପାକିସ୍ତାନ ଗସ୍ତ କରିଥିବା ଇଂଲଣ୍ଡ ଦଳ ରାୱଲପିଣ୍ଡି ପରେ ମୁଲ୍ତାନ ଓ କରାଚିରେ ଅବଶିଷ୍ଟ ଦୁଇଟି ଟେଷ୍ଟ୍ ଖେଳିବାର ସୂଚୀ ରହିଛି।
Follow Us