Photo: IPL Twitter
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୧୩ର ୫୩ତମ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଂଜାବ ଆଜି ଚେନ୍ନାଇ ସୁପର କିଙ୍ଗସ୍କୁ ୧୫୪ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୀପକ ହୁଡ୍ଡାଙ୍କ ଅପରାଜିତ ଅର୍ଦ୍ଧଶତକ (୬୨ ରନ୍, ୩୦ ବଲ, ୩ ଚୌକା, ୪ ଛକା) ବଳରେ ପଂଜାବ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୫୩ରନ୍ ସଂଗ୍ରହ କରିଥିଲା।
ପଂଜାବର ଇନିଂସ ଆରମ୍ଭ କରିବାକୁ ଆସିଥିଲେ ଅଧିନାୟକ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ। ଉଭୟ ଖେଳାଳି ସ୍କୋର ୬୨ ରନ୍ରେ ଆଉଟ୍ ହୋଇଯାଇଥିଲେ। ସ୍କୋର ୪୮ ରନ୍ରେ ମୟଙ୍କ ଅଗ୍ରଓ୍ଵାଲ (୨୬ ରନ୍)ଙ୍କ ଆଉଟ ପଂଜାବକୁ ପ୍ରଥମ ଝଟକା ଲାଗିଥିଲା। ଚେନ୍ନାଇର ୨ୟ ଶିକାର ହୋଇଥିଲେ କେଏଲ୍ ରାହୁଲ (୨୯ ରନ୍)।
ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ମାତ୍ର ୧୨ ରନ୍ ସଂଗ୍ରହ କରି ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ନିକୋଲାସ ପୂରନ ୨ ରନ୍, ମନ୍ଦୀପ ସିଂହ ୧୪ ରନ୍, ଜେମୀ ନୀସମ୍ ୨ ରନ୍ ଓ କ୍ରିସ୍ ଜେର୍ଡାନ ୪ ରନ୍ କରିଥିଲେ। ଚେନ୍ନାଇଣ ଲୁଙ୍ଗି ଏନ୍ଗିଡି ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଓ ଇମ୍ରାନ୍ ତାହିରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
  
 Follow Us