Photo: ICC Twitter
କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯାଉଛି। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନେଇଥିଲା। ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୮୪ ରନ୍ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୧୮୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଟିମ୍ ଇଣ୍ଡିଆର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଇଶନ କିଶନ (୨୯ ରନ୍, ୨୧ ବଲ୍, ୬ଚୌକା)। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ରୋହିତ ଓ ଇଶନ୍ ୧୦.୮୯ ହାରରେ ୬୯ ରନ୍ ସଂଗ୍ରହ କରିଥିଲେ। ଇଶନ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ପଡ଼ିଆକୁ ପ୍ରବେଶ କରିଥିଲେ ଏବଂ ସେ ୪ଟି ବଲ୍ ସାମ୍ନା କରି କୌଣସି ରନ୍ ନକରି ପଡ଼ିଆରୁ ଫେରିଯାଇଥିଲେ। ସେହିପରି ଯୁବ କ୍ରିକେଟର ଋଷଭ ପନ୍ତ ମଧ୍ୟ ୬ଟି ବଲ୍ ଖେଳି ଦଳପାଇଁ ବ୍ୟକ୍ତିଗତ ଭାବେ ୪ ରନ୍ କରିଥିଲେ।
ସ୍କୋର ୭୧ ରନ୍ରେ ନ୍ୟୁଜିଲାଣ୍ଡକୁ ୨ୟ ଓ୍ଵିକେଟ୍ (ସୂର୍ଯ୍ୟକୁମାର) ଓ ୮୩ ରନ୍ରେ ୩ୟ ଓ୍ଵିକେଟ୍ (ଋଷଭ ପନ୍ତ) ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ଭାରତ ୨ଟି ଓ୍ଵିକେଟ୍ ହରାଇବା ପରେ ସ୍କୋର ହାରରେ ବ୍ରେକ୍ ଲାଗି ଯାଇଥିଲା। ପରେ କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ମାନେ ଭାରତର ସ୍କୋରକୁ ଏକ ମଜବୁତ ସ୍ତରରେ ପହଞ୍ଚାଇପାରିଥିଲେ। ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ଈଷ ସୋଢ଼ୀଙ୍କ ଦ୍ୱାରା ଆଉଟ୍ ହେବା ପୂର୍ବରୁ ୩୧ଟି ବଲ୍ର ସାମ୍ନା କରି ୫ଟି ଚୌକା ଓ ୩ଟି ଛକା ବଳରେ ଦଳପାଇଁ ୫୬ ରନ୍ ଯୋଗଦାନ ଦେଇଥିଲେ।
ଭାରତ ପାଇଁ ଶ୍ରେୟସ ଆୟର ୨୫ ରନ୍, ଭେଙ୍କଟେସ୍ ଆୟର ୨୦ ରନ୍, ହର୍ଷଲ ପଟେଲ ୧୮ ରନ୍ ଓ ଦୀପକ ଚହର ଅପରାଜିତ ୨୧ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସଣ୍ଟନରଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ୍ ମିଳିଥିଲା। ସେହିପରି ଟ୍ରେଣ୍ଟ ବୋଲ୍ଟ, ଆଦାମ୍ ମିଲ୍ନେ, ଲକି ଫର୍ଗୁସନ୍ ଓ ଈଷ ସୋଢ଼ୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
Follow Us