ପୋଚେଫ୍ଷ୍ଟ୍ରୁମ୍: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ଦମ୍ଦାର ପ୍ରଦର୍ଶନ କରିଚାଲିଥିବା ଭାରତ ଅପରାଜେୟ ସହ ସେମିଫାଇନାଲ୍ରେ ପହଞ୍ଚିଯାଇଛି। ଯଶସ୍ବୀ ଜୟସ୍ବାଲ ଓ ଅଥର୍ବ ଅଙ୍କୋଲେକରଙ୍କ ଅର୍ଧଶତକୀୟ ପାଳି ପରେ କାର୍ତିକ ତ୍ୟାଗୀ (୮-୦-୨୪-୪) ଓ ଆକାଶ ସିଂହ (୮.୩-୦-୩୦-୩)ଙ୍କ ଘାତକ ବୋଲିଂ ବଳରେ ମଙ୍ଗଳବାର ସୁପର ଲିଗ୍ ପ୍ରଥମ କ୍ବାର୍ଟର ଫାଇନାଲ୍ରେ ଭାରତ .୭୪ ରନ୍ରେ ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଦେଇଛି। ସବୁଠୁ କଞ୍ଜୁସ୍ ବୋଲିଂ କରିଥିବା ରବି ବିଷ୍ଣୋଇ (୯-୦-୨୬-୧) ଗୋଟିଏ ୱିକେଟ୍ ପାଇଥିଲେ। ଭାରତର ୨୩୩/୯ ଜବାବରେ ଅଷ୍ଟ୍ରେଲିଆ ପାଳି ୧୫୯ ରନ୍ (୪୩.୩ ଓଭର)ରେ ସଫା ହୋଇଯାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସାମ୍ ଫାନିଙ୍ଗ୍ (୭୫ ରନ୍, ୧୨୪ ବଲ୍, ୭ ଚୌକା, ୩ ଛକା) ଓ ଲିଆମ୍ ସ୍କଟ୍ (୩୫ ରନ୍) ଭଲ ଲଢ଼ିଥିଲେ ମଧ୍ୟ ଦଳ ବିଜୟଠୁ ବହୁ ଦୂରରେ ଅଟକି ଯାଇଥିଲା। କାର୍ତିକ ତ୍ୟାଗୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସ୍ବାଲ (୬୨ ରନ୍, ୮୨ ବଲ୍ ୬ ଚୌକା, ୨ ଛକା) ଓ ଅଥର୍ବ ଅଙ୍କୋଲେକର (୫୫* ରନ୍, ୫୪ ବଲ୍, ୫ ଚୌକା, ୧ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ଅଲ୍ରାଉଣ୍ଡର ରବି ବିଷ୍ଣୋଇ (୩୦ ରନ୍, ୩୧ ବଲ୍, ୧ ଚୌକା, ୧ ଚକା), ସିଦ୍ଦେଶ ବୀର (୨୫ ରନ୍, ୪ ଚୌକା), ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ (୧୫ ରନ୍) ଓ ଦିବ୍ୟାଂଶ ସାକ୍ସେନା (୧୪)ଙ୍କ ଉପଯୋଗୀ ପାଳି ବଳରେ ୨୩୩/୯ କରିଥିଲା। ଅଙ୍କୋଲେକର ଓ ବିଷ୍ଣୋଇଙ୍କ ମଧ୍ୟରେ ସପ୍ତମ ୱିକେଟ୍ରେ ୬୧ ରନ୍ର ଭାଗୀଦାରି ଉଲ୍ଲେଖନୀୟ ଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ କେଲି ଓ ମର୍ଫି ୨ ଲେଖାଏଁ ୱିକେଟ୍ ପାଇଥିଲେ।
୧୯ ବର୍ଷରୁ କମ୍ ବିଶ୍ବକପ୍: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
Advertisment
Follow Us