୧୯୯୯ ବିଶ୍ବକପ୍‌ରେ ଆଫ୍ରିଦି ବ୍ୟାଟିଂ ଓ ବୋଲିଂ ପାଇଁ ଅକ୍ଷମ ଥିଲେ: ସୋହେଲ

Advertisment
୧୯୯୯ ବିଶ୍ବକପ୍‌ରେ ଆଫ୍ରିଦି ବ୍ୟାଟିଂ ଓ ବୋଲିଂ ପାଇଁ ଅକ୍ଷମ ଥିଲେ: ସୋହେଲ

Zee News

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବ୍ୟାଟିଂ କିଂବଦନ୍ତି ଅମିର ସୋହେଲ ଗୁରୁବାର ୧୯୯୯ ବିଶ୍ବକପ୍‌ରେ ହୋଇଥିବା ଏକ ଚୟନ ବିଭ୍ରାଟ ଉପରୁ ପରଦା ହଟାଇଛନ୍ତି। ବ୍ୟାଟିଂ ଓ ବୋଲିଂ ପାଇଁ ଅକ୍ଷମ ଅବସ୍ଥାରେ ଥିଲେ ମଧ୍ୟ ଆଫ୍ରିଦିଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦିଆଯାଇଥିଲା ବୋଲି ‌ସୋହେଲ ପ୍ରକାଶ କରିଛନ୍ତି। ୧୯୯୬ରୁ ୧୯୯୮ ମସିହା ମଧ୍ୟରେ ପାକିସ୍ତାନ ଦଳକୁ ୬ ଟେଷ୍ଟ୍‌ ଓ ୨୨ ଦିନିକିଆରେ ନେତୃତ୍ବ ଦେଇଥିବା ସୋହେଲ କହିଛନ୍ତି, ୧୯୯୯ ବିଶ୍ବକପ୍‌ରେ ମହମ୍ମଦ ୟୁସୁଫଙ୍କୁ ପାଳି ଆରମ୍ଭ କରନ୍ତୁ ବୋଲି ମୁଁ ଚାହୁଁଥିଲି, କିନ୍ତୁ ଦଳୀୟ ମ୍ୟାନେଜମେଣ୍ଟ୍‌ ଆଫ୍ରିଦିଙ୍କୁ ପସନ୍ଦ କରିଥିଲେ। ମୁଁ ୧୯୯୮ ମସିହାରେ ଅଧିନାୟକ ଥିବା ବେଳେ ଏହି ନିଷ୍ପତ୍ତି ହୋଇଥିଲା। ପରବର୍ତୀ ବର୍ଷର ବିଶ୍ବକପ୍‌ ପାଇଁ ଏଭଳି ଜଣେ ଖେଳାଳିଙ୍କୁ ବାଛିବା ‌ଯିଏ ନୂଆ ବଲ୍‌କୁ ଖେଳିପାରିବା ସହିତ କ୍ରିଜ୍‌ରେ ରହିପାରୁଥିବେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଅଳ୍ପ ବାଉଁସ୍‌ ମିଳୁଥିବା ଫ୍ଲାଟ୍ ପିଚ୍‌ରେ ଆଫ୍ରିଦି ଭଲ ଖେଳନ୍ତି ଏବଂ ପ୍ରତିପକ୍ଷଙ୍କୁ ଚାପରେ ପକାଇପାରନ୍ତି। କିନ୍ତୁ ଆବଶ୍ୟକତା ରଖୁଥିବା ପିଚ୍‌ରେ ତାଙ୍କୁ ଖେଳାଇବା ବଡ଼ ଜୁଆ ସହ ସମାନ। ସେ ବ୍ୟାଟିଂ କି ବୋଲିଂ କରିବାକୁ ସକ୍ଷମ ନଥିଲେ। ୱାସିମ୍ ଆକ୍ରମଙ୍କ ବଦଳରେ ମୁଁ ଯଦି ଅଧିନାୟକ ଥାଆନ୍ତି ତାଙ୍କୁ ନୁହେଁ ମହମ୍ମଦ ୟୁସୁଫଙ୍କୁ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଖେଳାଇଥାନ୍ତି ବୋଲି ସୋହେଲ ପ୍ରକାଶ କରିଥିଲେ।

ଆଫ୍ରିଦି ୧୯୯୯ ବିଶ୍ବକପ୍‌ରେ ଫ୍ଲପ୍ ହୋଇଥିଲେ। ୭ଟି ପାଳିରୁ ୧୩.୨୮ ହାରରେ ମାତ୍ର ୯୩ ରନ୍ କରିଥିଲେ। ସୋହେଲ ସ୍ବୀକାର କରିଥିଲେ ପାକିସ୍ତାନ ଏକ ସ୍ଥାନୀୟ ଦଳ ଭଳି ଖେଳିଥିଲା। ଦଳୀୟ ମ୍ୟାନେଜମେଣ୍ଟ୍‌ କିଛି ‌ଛୋଟ ନିଷ୍ପତ୍ତି ନେଇପାରିଥିଲେ ବଡ଼ ଫରକ ପଡ଼ିଥାନ୍ତା। ଫାଇନାଲ୍ ମ୍ୟାଚ୍‌ ପରାଜୟ ସମ୍ପର୍କରେ ସୋହେଲ କହିଥ‌ିଲେ ଗୋଟିଏ କଥା ହେଲା ଦଳୀୟ ସମନ୍ବୟ ସଠିକ୍ ନ ଥିଲା ଏବଂ ଅନ୍ୟଟି ହେଲା ଲଣ୍ଡନ୍ ପରିସ୍ଥିତି ଦୃଷ୍ଟିରୁ ଟସ୍ ଜିତି ଆମକୁ ପ୍ରଥମେ ବ୍ୟାଟିଂରେ ଯିବାର ନ ଥିଲା। ଲଣ୍ଡନ୍‌ରେ ବର୍ଷା ହୋଇଛି ବୋଲି ଆମେ ପୂର୍ବରୁ ଜାଣିଥିଲୁ। ଆତ୍ମବିଶ୍ବାସୀ ଅଷ୍ଟ୍ରେଲିଆକୁ ଆମ ବ୍ୟାଟିଂ ଦୁର୍ବଳତା ଦେଖାଇବାର ନ ଥିଲା। ପ୍ରଥମେ ବ୍ୟାଟିଂ ନ କରିବାକୁ ସଲିମ ମଲିକ ମଧ୍ୟ ୱାସିମ୍ ଆକ୍ରମଙ୍କୁ କହିଥ‌ିଲେ। ସୂଚନାଯୋଗ୍ୟ, ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୧୩୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବାରୁ ଅଷ୍ଟ୍ରେଲିଆ ୨୧ ଓଭର ଭିତରେ ଜିତି ବିଶ୍ବ ବିଜେତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe