୧୯୯୯ ମସିହାରେ ବିଶ୍ବକପ୍ ପୁଣି ଥରେ ଇ˚ଲଣ୍ତକୁ ଫେରିଥିଲା। ଇ˚ଲଣ୍ତ ସହ ସ୍କଟଲାଣ୍ତ, ଆୟର୍ଲାଣ୍ତ, ୱେଲ୍ସ ଓ ନେଦରଲାଣ୍ତ ବିଶ୍ବକପ୍ର ଏହି ସପ୍ତମ ସ˚ସ୍କରଣକୁ ମିଳିତ ଭାବେ ଆୟୋଜନ କରିଥିଲେ। କାରଗିଲ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ନ ହେଲେ ବି ଛାୟା ଯୁଦ୍ଧରେ ଜଡ଼ିତ ଥିଲା ବେଳେ ମାଞ୍ଚେଷ୍ଟରରେ ଦୁଇ ଦଳ ମଧୢରେ ଖେଳା ଯାଇଥିବା ମ୍ୟାଚ୍ ବେଶ୍ ଚର୍ଚିତ ହୋଇଥିଲା। ଭାରତ ଅବଶ୍ୟ ସବୁଥର ଭଳି ଏଥର ବି କାରଗିଲ ଯୁଦ୍ଧ ଭଳି କ୍ରିକେଟ୍ ଯୁଦ୍ଧକୁ ଜିତି ନେଇଥିଲା। ତେବେ ଦୁର୍ଭଗ୍ୟବଶତଃ ସେମିଫାଇନାଲ୍ ଯାଇ ପାରି ନ ଥିଲା। ସେପଟେ ଭାରତଠାରୁ ହାରିବା ସତ୍ତ୍ବେ ପାକିସ୍ତାନ ଫାଇନାଲ୍ ଖେଳିବାର ସୌଭାଗ୍ୟ ଲାଭ କରିଥିଲା। ଐତିହାସିକ ଲର୍ଡସ ପଡ଼ିଆରେ ଖେଳା ଯାଇଥିବା ଫାଇନାଲ୍ରେ କିନ୍ତୁ ଅଷ୍ଟ୍ରେଲିଆଠାରୁ ୯ ଵିକେଟ୍ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ନ୍ୟୁଜିଲାଣ୍ତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିଥିଲେ ମଧୢ ଏହି ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ନ୍ୟୁଜିଲାଣ୍ତ (୨୪୧/୭) ଓ ପାକିସ୍ତାନ (୨୪୨/୧, ୪୭.୩ ଓଭର, ସଇଦ ଅନଵର ୧୧୩) ମଧୢରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ଏକ ତରଫା ବିଜୟ ହାସଲ କରିଥିଲା। ତେବେ ଅଷ୍ଟ୍ରେଲିଆ (୨୧୩, ୪୯.୨ ଓଭର) ଓ ଦକ୍ଷିଣ ଆଫ୍ରିକା (୨୧୩, ୪୯.୪ ଓଭର) ମଧୢରେ ଖେଳା ଯାଇଥିବା ଦ୍ବିତୀୟ ସେମିଫାଇନାଲ୍ ନାଟକୀୟ ଭାବେ ଟାଇ ରହି ଯାଇଥିଲା। ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବାରୁ ଅଷ୍ଟ୍ରେଲିଆ ଫାଇନାଲ୍ ଖେଳିଥିଲା। ଦକ୍ଷିଣ ଆଫ୍ରିକା ପୂରା ପ୍ରତିଯୋଗିତାରେ ଭଲ ଖେଳିଥିଲେ ମଧୢ ପୁଣି ଥରେ ଫାଇନାଲକୁ ଯିବାର ସୁଯୋଗ ହରାଇଥିଲା। ୧୨ଟି ଦଳକୁ ନେଇ ଖେଳା ଯାଇଥିବା ଏହି ବିଶ୍ବ ଲଢେ଼ଇରେ ଭାରତର ରାହୁଲ ଦ୍ରାବିଡ (୪୬୧) ସର୍ବାଧିକ ରନ୍ କରିଥିଲେ। ନ୍ୟୁଜିଲାଣ୍ତର ଜେଫ୍ ଆଲଟ (୨୦) ଓ ଅଷ୍ଟ୍ରେଲିଆର ସେନ୍ ଵାର୍ନ (୨୦) ସର୍ବାଧିକ ଵିକେଟ୍ ନେବାର ସୌଭାଗ୍ୟ ପାଇଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁଜନର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ପାଇଥିଲା।
୧୯୯୯:ପୁଣି କଙ୍ଗାରୁ କରିସ୍ମା
Advertisment
Follow Us