ପ୍ରଥମ ଟ୍ବେଣ୍ଟି-୨୦: ଭାରତର ଜବରଦସ୍ତ ବିଜୟ

Advertisment
ପ୍ରଥମ ଟ୍ବେଣ୍ଟି-୨୦: ଭାରତର ଜବରଦସ୍ତ ବିଜୟ

ତରୌବା (ପୋର୍ଟ ଅଫ୍ ସ୍ପେନ୍‌): ରୋହିତ ଶର୍ମା ଓ ଦୀନେଶ କାର୍ତ୍ତିକଙ୍କ ବଢ଼ିଆ ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ୬୮ ରନ୍‌ରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏଥି ସହ ଭାରତୀୟ ଦଳ ମଧ୍ୟ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୯୦ ରନ୍‌ କରିଥିଲା। ଏହା ପରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ରଖିଥିବା ‌ଘରୋଇ ଦଳକୁ ଭାରତୀୟ ବୋଲରମାନେ ୧୨୨/୮ରେ ସୀମିତ ରଖିଥିଲେ। ଦଳକୁ ପ୍ରତ୍ୟାବର୍ତନ କରିଥିବା ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ନେଇ ୱେଷ୍ଟଇଣ୍ଡିଜ୍‌କୁ ରୋକି ଦେଇଥିଲେ। ରବୀନ୍ଦ୍ର ଜାଦେଜା ଓ ଭୁବନେଶ୍ବର କୁମାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଦୀନେଶ କାର୍ତ୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ଦିନିକିଆ ସୋମବାର ଖେଳାଯିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ପାଳି ଆରମ୍ଭ କରିଥିଲେ। ଉଭୟ ୪.୪ ଓଭରରେ ୪୪ ରନ୍‌ ଆଦାୟ କରିବା ପରେ ଅଲଗା ହୋଇଯାଇଥିଲେ। ସୂର୍ଯ୍ୟ (୧୬ ବଲ୍‌ରୁ ୨୪ ରନ୍‌)ଙ୍କୁ ଅକିଲ ହୋସେନ୍‌ ଆଉଟ୍ କରି ପ୍ରାରମ୍ଭିକ ଯୋଡ଼ିଙ୍କୁ ଭାଙ୍ଗିଥିଲେ। ଦୀପକ ହୁଦାଙ୍କୁ ପଛରେ ପକାଇ ଚୂଡାନ୍ତ ଏକାଦଶକୁ ଆସିଥିବା ଶ୍ରେୟସ ଆୟର କିନ୍ତୁ ଖାତା ଖୋଲିପାରିନଥିଲେ। ଋଷଭ ପନ୍ତ୍‌, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା ମଧ୍ୟ ପ୍ରଭାବ ଛାଡ଼ି ପାରିନଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଅଲଜାରି ଯୋସେଫ୍‌ ବ୍ୟୟବହୁଳ ସାବ୍ୟସ୍ତ ‌ହୋଇଥିଲେ ମଧ୍ୟ ୨ ୱିକେଟ୍ ଦଖଲ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଓ‌ ରବୀନ୍ଦ୍ର ଜାଦେଜାଙ୍କ ୱିକେଟ୍ ସେ ନେଇଥିଲେ। ଅକିଲ ‌ହୋସେନ୍ (୪-୦-୧୪-୧) କିନ୍ତୁ ସବୁଠାରୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ଜାସନ୍ ହୋଲ୍ଡର କିନ୍ତୁ ତାଙ୍କ ପ୍ରତ୍ୟାବର୍ତନ ମ୍ୟାଚ୍‌ର ୪ ଓଭରରେ ୫୦ ରନ୍‌ ଦେଇଥିଲେ। ୧୯ତମ ଓଭରରେ ଅଶ୍ବିନ୍‌-କାର୍ତିକ ତାଙ୍କଠାରୁ ୨୧ ରନ୍ ଆଦାୟ କରିଥିଲେ। କାର୍ତ୍ତିକଙ୍କ ବିସ୍ଫୋରକ ପାଳି (୧୯ ବଲ୍‌ରୁ ୪୧ ରନ୍‌) କାରଣରୁ ଭାରତ ମଧ୍ୟ ଶେଷ ୨ ଓଭରରୁ ୩୬ ରନ୍‌ ଆଦାୟ କରିଥିଲା। ଦିନିକିଆ ଶୃଙ୍ଖଳା ଖେଳିନଥିବା ଜାସନ୍ ‌‌ହୋଲ୍ଡର, ସିମ୍ରନ ହେଟମାୟର୍‌, ଓଡିନ୍ ସ୍ମିଥ୍‌ ସୁଯୋଗ ପାଇଥିଲେ। ଅକିଲ ହୋସେନ୍‌ ଏକମାତ୍ର ସ୍ପିନର ଭାବେ ଖେଳିଥିଲେ। ଭାରତ କିନ୍ତୁ ୩ ସ୍ପିନରଙ୍କୁ ସୁଯୋଗ ଦେଇଥିଲା। ଆଣ୍ଠୁ ସମସ୍ୟା କାରଣରୁ ଦିନିକିଆ ଖେଳିନଥିବା ରବୀନ୍ଦ୍ର ଜାଦେଜା ପ୍ରତ୍ୟାବର୍ତନ କରିଥିଲେ। ୨୦୨୧ ନଭେମ୍ବର ପରେ ଅଶ୍ବିନ୍‌ ଟ୍ବେଣ୍ଟି-୨୦ ଦଳକୁ ଫେରିଥିଲେ। ପୋର୍ଟ ଅଫ୍‌ ସ୍ପେନ୍‌ର ତରୌବାରେ ଥିବା ବ୍ରାଏନ୍ ଲାରା ଷ୍ଟାଡିୟମ୍‌ରେ ଶୁକ୍ରବାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ପୂର୍ବରୁ କେବଳ ଏଠାରେ କାରବୀୟ ପ୍ରିମିୟର୍ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe