୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌, ସଚିନ୍‌ଙ୍କ ୱିକେଟ୍‌କୁ ଝୁରୁଛନ୍ତି ଆଜମଲ୍‌

Advertisment
୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌, ସଚିନ୍‌ଙ୍କ ୱିକେଟ୍‌କୁ ଝୁରୁଛନ୍ତି ଆଜମଲ୍‌

Firstpost

କରାଚି: ପୂର୍ବତନ ପାକିସ୍ତାନୀ ଅଫ୍‌ ସ୍ପିନର ସଇଦ୍‌ ଆଜ୍‌ମଲ୍‌ ଏବେ ବି ବିଶ୍ବାସ ରଖିଛନ୍ତି ଯେ ସେ ୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌ରେ ସଚିନ୍‌ ତେନ୍ଦୁଲକରଙ୍କୁ ଆଉଟ୍‌ କରିଥିଲେ। ତାଙ୍କ କହିବା ମୁତାବକ ସେତେବେଳେ ତୃତୀୟ ଅମ୍ପାୟାରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ସଚିନ୍‌ଙ୍କ ୱିକେଟ୍‌ ଦଖଲରୁ ବଞ୍ଚିତ ହେବା ତାଙ୍କୁ ଏବେ ବି ନିରାଶ କରିଛି। ହେଲେ ଇଂଲିଶ୍‌ ଅମ୍ପାୟାର ଇଆନ୍‌ ଗୁଲ୍‌ଡଙ୍କଠୁ ସାନ୍ତ୍ବନାମୂଳକ ଟିପ୍ପଣୀ ଶୁଣିବା ପରେ ଆଜ୍‌ମଲଙ୍କ ବିଶ୍ବାସ ଦୃଢ଼ ହୋଇଯାଇଛି। ଗୁଲ୍ଡ ନିକଟରେ ଜୋର୍‌ଦେଇ କହିଛନ୍ତି ‌ଯେ ସଚିନ୍‌ଙ୍କ ଆଉଟ୍‌ ନିଷ୍ପତ୍ତି ବାସ୍ତବରେ ଠିକ୍‌ ଥିଲା। ଯାହାକୁ ତୃତୀୟ ଅମ୍ପାୟାର ବଦଳାଇ ଦେଇଥିଲେ।

୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୋହାଲିରେ ଖେଳାଯାଇଥିଲା। ସେହି ଉତ୍କଣ୍ଠାପୁର୍ଣ୍ଣ ମ୍ୟାଚ୍‌ରେ ସଚିନ୍‌ ୨୩ ରନ୍‌ କରିଥିଲା ବେଳେ ଆଜ୍‌ମଲ୍‌ଙ୍କ ବଲ୍‌ରେ ଗୁଲ୍‌ଡ ତାଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ ଦେଇଥିଲେ। ହେଲେ ଏକ ସମୀକ୍ଷା ପରେ ତୃତୀୟ ଅମ୍ପାୟାର ବିଲି ବାଓଦିନ୍‌ ଆଉଟ୍‌ ନିଷ୍ପତ୍ତିକୁ ନାକଚ କରିଦେଇଥିଲେ। ଆଉ ଜୀବନଦାନ ପାଇଥିବା ସଚିନ୍ ସେହି ମ୍ୟାଚ୍‌ରେ ୮୫ ରନ୍‌ର ପାଳି ଖେଳିବା ସାଙ୍ଗକୁ ଭାରତକୁ ବିଜୟୀ କରାଇଥିଲେ। ହେଲେ ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟାର ଥିବା ଗୁଲ୍‌ଡ ନିକଟରେ ଏହା ଉପରେ ତାଙ୍କ ନିଷ୍ପତ୍ତି ଯଥାର୍ଥ ଥିଲା ବୋ‌ଲି ଜୋର୍‌ ଦେଇ କହିଛନ୍ତି। ସଚିନ୍‌ଙ୍କୁ ଦେଇଥିବା ଆଉଟ୍‌ ନିଷ୍ପତ୍ତି ତାଙ୍କର ଠିକ୍‌ ଥିଲା ବୋଲି କହିଛନ୍ତି। ଆଉ ଗୁଲ୍‌ଡଙ୍କ ଏଭଳି ଦମ୍ଭୋକ୍ତି ପରେ ସେହି ଘଟଣାକୁ ମନେ ପକାଇଛନ୍ତି ଆଜ୍‌ମଲ୍‌। ୪୨ ବର୍ଷ ବୟସ୍କ ଆଜ୍‌ମଲ କହିଛନ୍ତି, ସେହି ବଲ୍‌ ସିଧା ସଚିନ୍‌ଙ୍କ ଗୋଡ଼ରେ ବାଜିଥିଲା ଏବଂ ମୁଁ ଶତ ପ୍ରତିଶତ ନିଶ୍ଚିତ ଥିଲି ‌ଯେ ସେ ଆଉଟ୍‌ ବୋଲି। ସେତେବେଳେ ସାଥୀ ଖେଳାଳି ସାହିଦ ଆଫ୍ରିଦି, କମ୍ରାନ୍‌ ଆକ୍‌ମଲ, ୱାହବ୍‌ ରିଆଜ୍‌ ଓ ଅନ୍ୟମା‌ନେ ସେ ଆଉଟ୍‌ ଥିଲେ କି ବୋଲି ପଚାରିଥିଲେ। ହଁ, ସେ ଆଉଟ୍‌ ବୋଲି ସେମାନଙ୍କୁ ମୁଁ ଜୋର୍‌ଦେଇ କହିଥିଲି। ହେଲେ ତୃତୀୟ ଅମ୍ପାୟାର ସେତେବେଳେ ସଚିନ୍‌ଙ୍କୁ ବଞ୍ଚାଇ ଦେଇଥିଲେ, କିନ୍ତୁ ମୁଁ ସଚିନ୍‌ଙ୍କୁ ଅଉଟ୍‌ କରିଥିଲି ବୋଲି ଏବେ ବି ବିଶ୍ବାସ ରଖିଥିବା କହିଛନ୍ତି ଆଜ୍‌ମଲ୍‌। ତୃତୀୟ ଅମ୍ପାୟାର ତାଙ୍କ ନିଷ୍ପତ୍ତିକୁ ନାକଚ କରିଦେବା ପରେ ଗୁଲ୍‌ଡ ମଧ୍ୟ ଖୁବ୍‌ ଭାଙ୍ଗି ପଡ଼ିଥିଲେ ବୋଲି ଆଜ୍‌ମଲ କହିଛନ୍ତି। ଏପରିକି ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ମୋର ଦୃଦୟ ବିଦାରି ପକାଇଥିଲା ବୋଲି କମ୍ରାନ୍‌ କହିଥିଲେ।
ମୁଁ ସଚିନ୍‌ଙ୍କୁ କଦାପି ଟେଷ୍ଟ୍‌ରେ ବୋଲିଂ କରିବାର ସୁଯୋଗ ପାଇନଥିଲି। ତେଣୁ ଯେତେବେଳେ ତାଙ୍କ ବିପକ୍ଷରେ ଧଳା ବଲ୍‌ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଏ, ସବୁବେଳେ ମୋର ଶ୍ରେଷ୍ଠ ଦେବାକୁ ପ୍ରୟାସ କରିଥାଏ। ହେଲେ ୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌ ହାରିଯିବା ହିଁ ଆମ ପାଇଁ ନୈରାଶ୍ୟଜନକ ଥିଲା। ସଚିନ୍‌ଙ୍କ ୮୫ ରନ୍‌ ହିଁ ସବୁ କିଛି ଫରକ୍‌ ପକାଇଥିଲା ବୋଲି ଏକ ଟେଲିଭିଜନ୍‌ ଚାନେଲକୁ କହିଛନ୍ତି ଆଜ୍‌ମଲ୍‌। ଆଜି ପର୍ଯ୍ୟନ୍ତ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ମୋତେ ଆନ୍ଦୋଳିତ କରୁଛି। ହୁଏତ ଭାଗ୍ୟ ସେଦିନ ସଚିନ୍‌ଙ୍କ ସହ ଥିଲା ଏବଂ ସେ ଏକ ଗୁରୁତ୍ବପୂର୍ଣ୍ଣ ପାଳି ତାଙ୍କ ଦଳ ପାଇଁ ଖେଳିଥିଲେ ବୋଲି ଆଜ୍‌ମଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଆଜ୍‌ମଲ୍‌ ପାକିସ୍ତାନ ପାଇଁ ୨୦୦୯ରୁ ୨୦୧୪ ମଧ୍ୟରେ ୩୫ ଟେଷ୍ଟ୍‌, ୧୧୩ ଦିନିକିଆ ଏବଂ ୬୪ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ସେମଧ୍ୟରେ ଟେଷ୍ଟ୍‌ରେ ୧୭୮, ଦିନିକିଆରେ ୧୮୩ ଓ ଟ୍ବେଣ୍ଟି-୨୦ରେ ୮୫ ୱିକେଟ୍‌ ଦଖଲ କରିଥିଲେ। ଏହି ଅଫ୍‌ ସ୍ପିନରଙ୍କ ଆନ୍ତର୍ଜାତିକ ଜୀବନ ବାଂଲାଦେଶ ଗସ୍ତ ପରେ ଶେଷ ହୋଇଯାଇଥିଲା। ୨୦୧୪ରେ ତାଙ୍କ ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା ଏବଂ ସେ କଦାପି ଆଧୁନିକତା ସହ ତାଳ ଦେଇନପାରି ଶେ‌ଷରେ ୨୦୧୭ରେ ଅବସର ନେବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe