ଇତି ଊଣେଇଶ: ଅଧିକ ଛକା ଅଳପ ଗୋଲ୍

Advertisment

ଗାଙ୍ଗୁଲିଙ୍କ ନୂଆ ପାଳି, ଗୋଲାପି ଇତିହାସ

ଗାଙ୍ଗୁଲିଙ୍କ ନୂଆ ପାଳି, ଗୋଲାପି ଇତିହାସ

ଇତି ଊଣେଇଶ: ଅଧିକ ଛକା ଅଳପ ଗୋଲ୍

ଊଣେଇଶ’ର ଅଫେରା କ୍ରୀଡ଼ା କ୍ୟାଲେଣ୍ଡରରେ ଅନେକ ଅପାସୋରା ମୁହୂର୍ତ କ୍ରୀଡ଼ାପ୍ରେମୀଙ୍କ ମନରେ ଅଦ୍ଭୂତପୂର୍ବ ରୋମାଞ୍ଚ ଭରିଥିଲା। କ୍ରିକେଟ୍ ବିଶ୍ବକପ୍‌ର ନାଟକୀୟ ଫାଇନାଲ୍‌ଠାରୁ ଆରମ୍ଭ କରି ଦୋହାର ଅସହ୍ୟ ଗରମରେ ‘ରାତି ମାରାଥନ’ର ଆୟୋଜନ, ଏ ବର୍ଷ କ୍ରୀଡ଼ା ଦୁନିଆ କରିଥିଲା ଅନେକ ନୂଆ ଏବଂ ଅଭୁଲା ଅଭିଜ୍ଞତା। ଭାରତରେ ଏନ୍‌ବିଏ ପଦାର୍ପଣ ସହ ଗୋଲାପି କ୍ରିକେଟ୍‌ର ଉତ୍ସାହ, ପିଭି ସିନ୍ଧୁ ବିଶ୍ବ ବିଜୟିନୀ ହେବାଠାରୁ ମୁଷ୍ଟିଯୁଦ୍ଧରେ ମେରିକମଙ୍କୁ ସର୍ବାଧିକ ବିଶ୍ବ ପଦକ ମିଳିବା ପର୍ଯ୍ୟନ୍ତ, ଆଦ୍ୟରୁ ଅନ୍ତିମ ପର୍ବ ପର୍ଯ୍ୟନ୍ତ ଊଣେଇଶ କ୍ରୀଡ଼ା ପିଚ୍ ନେଇଥିଲା ଅନେକ ପ୍ରଭାବୀ ସୁଇଂ ଓ ଟର୍ନ। କୋହଲିଙ୍କ ‌ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ସଫଳତାର ଛକା ବର୍ଷା କରିଥିଲା। ଫୁଟବଲ୍ ଦଳ କିନ୍ତୁ ଅଳ୍ପ ଗୋଲ୍ କରି ବିଶ୍ବକପ୍ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲା। ହକିରେ ଭାରତ ଭୁବନେଶ୍ବରରୁ ଯୁଗଳ ଅଲିମ୍ପିକ୍ସ ଟିକେଟ ହାସଲ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା। ବିଶ୍ବକପ୍ ସେମିଫାଇନାଲ୍‌ରୁ ଭାରତ ବାଦ୍ ପଡ଼ିବା ଅବଶ୍ୟ ୧୩୫ କୋଟିରୁ ଅଧିକ ହୃଦୟ ଭାଙ୍ଗିଥିଲା। ସେପଟେ ଇଂଲଣ୍ଡ ନିଜ ମାଟିରେ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ଅନନ୍ୟ ଇତିହାସ କରିଥିଲା। ଟେନିସ୍, ଦୌଡ଼କୁଦ, ବନ୍ଧୁକ ଚାଳନାରେ ଅନେକ ଟାଣୁଆ ପ୍ରଦର୍ଶନ ସହ ମହିଳା ଫୁଟବଲ୍ ବିଶ୍ବକପ୍, ରଗ୍‌ବି ବିଶ୍ବକପ୍ ଭଳି ବଡ଼ ଏବଂ ବୃହତ୍ ପ୍ରତିଯୋଗିତା ଊଣେଇଶ’କୁ କରିଥିଲା ସ୍ବତନ୍ତ୍ର ଏବଂ ଅବିସ୍ମରଣୀୟ।

ଇଂଲଣ୍ଡ ପ୍ରଥମ ଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଜିତିଥିଲା। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ନାଟକୀୟ ଫାଇନାଲ୍ ଖେଳପ୍ରେମୀଙ୍କୁ ବିସ୍ମିତ ଓ ଚକିତ କରିଥିଲା। ଫାଇନାଲ୍ ଦୁଇ ଥର ଟାଇ ରହିବା ଭଳି ଅବିଶ୍ବସନୀୟ ଘଟଣା ଘଟିଥିଲା ଏଥରର ବିଶ୍ବକପ୍‌ରେ। ବାଉଣ୍ଡାରି କାଉଣ୍ଟ୍‌ ବିବାଦଠାରୁ ଆରମ୍ଭ କରି ଅଜବ ଓଭର ଥ୍ରୋ ନିୟମ ପର୍ଯ୍ୟନ୍ତ ବିଶ୍ବକପ୍ ପରେ ମଧ୍ୟ ବହୁଦିନ ଧରି ବିଶ୍ବକପ୍ ଫଳାଫଳକୁ କ୍ରିକେଟ୍‌ପ୍ରେମୀ ସହଜରେ ଗ୍ରହଣ କରି ପାରି ନଥିଲେ।

publive-image

୧ରୁ ଆରମ୍ଭ, ୧ରେ ଶେଷ
ଭାରତୀୟ କ୍ରି‌କେଟ୍ ଦଳ ‘୨୦୧୯’ରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ଟେଷ୍ଟ୍‌ ମାନ୍ୟତାର ୧ ନମ୍ବରରେ ବର୍ଷ ଆରମ୍ଭ କରି ସେହି ୧ ନମ୍ବରରେ ଶେଷ କରିଥିଲା। ଏ ବର୍ଷ ଗୋଲାପି ବଲ୍ ଟେଷ୍ଟ‌୍‌ରେ ପାଦ ଥାପିଥିଲା ଭାରତୀୟ ଦଳ। ବିଶ୍ବକପ୍ ସେମିଫାଇନାଲ୍‌ରେ ହାରିବା ଅବଶ୍ୟ ଭାରତ ପାଇଁ ବଡ଼ ଧକ୍କା ଥିଲା। ତେବେ ଦିନିକିଆ ମାନ୍ୟତାର ଦ୍ବିତୀୟ ଏବଂ ଟ୍ବେଣ୍ଟି-୨୦ର ପଞ୍ଚମ ସ୍ଥାନରେ ରହିଥିଲା ଭାରତ। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଏ ବର୍ଷ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା। ସ୍ମୃତି ମନ୍ଧାନା ଆଇସିସି ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଦଳରେ ସ୍ଥାନ ପାଇବା ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲା। ୨୦୧୯ରେ ଭାରତୀୟ ଦ୍ରୁତ ବୋଲର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଯଶପ୍ରୀତ ବୁମରା, ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ୨୦୧୯ରେ ୧୫.୧୬ ହାର ଏବଂ ୩୧.୦୬ ଷ୍ଟ୍ରାଇକ୍ ରେଟ୍‌ରେ ମିଳିତ ଭାବେ ୯୫ ୱି‌କେଟ୍ କରାୟତ କରିଥିଲେ। ଯାହା କୌଣସି ଏକ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଦ୍ରୁତ ବୋଲରଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ହିଟ୍‌ମ୍ୟାନ୍‌ଙ୍କ ହଟ୍ ସୋ’
ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କ ପାଇଁ ୨୦୧୯’ ବେଶ୍ ସ୍ବତନ୍ତ୍ର ଏବଂ ସ୍ମରଣୀୟ ଥିଲା। ବିଶ୍ବକପ୍‌ରେ ପାଞ୍ଚଟି ଶତକ ସହ ଟେଷ୍ଟ୍‌ କ୍ରିକେଟ୍‌ରେ ପାଳି ଆରମ୍ଭ କରିବାର ଆହ୍ବାନକୁ ସଫଳତାର ସହ ଗ୍ରହଣ କରିଥିଲେ ସେ। ୨୦୧୯’ର ସର୍ବାଧିକ ଦିନିକିଆ ରନ୍ ସଂଗ୍ରହକାରୀଠାରୁ ଆରମ୍ଭ କରି ଗୋଟିଏ ବର୍ଷରେ ସର୍ବାଧିକ ଶତକ ଅର୍ଜନରେ ସଚିନ ତେନ୍ଦୁଲକରଙ୍କୁ ଟପିବା ପର୍ଯ୍ୟନ୍ତ ଅନେକ ନିଆରା କୀର୍ତ୍ତିମାନର ଅଧିକାରୀ ହୋଇଥିଲେ ରୋହିତ। ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରହକାରୀ ଉପାଧି ପାଇଁ ସାରାବର୍ଷ ବିରାଟ କୋହଲି ଓ ତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦୦ ଛକା ମାରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ।

ଗାଙ୍ଗୁଲିଙ୍କ ନୂଆ ପାଳି
ଭାରତୀୟ କ୍ରିକେଟ୍ ଦଳକୁ ବିଦେଶ ବିଜୟର କଳା ଶିଖାଇଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ‘୧୯’ରେ ଆଉ ଏକ ମହତ୍ବପୂର୍ଣ୍ଣ ପାଳି ଆରମ୍ଭ କରିଥିଲେ। ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ସମିତିର ୩୩ ମାସିଆ ଓ ବିବାଦୀୟ କାର୍ଯ୍ୟକାଳ ଶେଷ ‌ହେବା ପରେ ଗାଙ୍ଗୁଲି ବିସିସିଆଇ ସଭାପତି ପଦ ଅଳଙ୍କୃତ କରିଥିଲେ। ତାଙ୍କ ପ୍ର‌ତ୍ୟକ୍ଷ ତତ୍ତ୍ବାବଧାନରେ ହିଁ କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଭାରତର ପ୍ରଥମ ଗୋଲାପି ବଲ୍ ଟେଷ୍ଟ୍‌ ଖେଳା ଯାଇଥିଲା। ସେହିଭଳି ବିସିସିଆଇ ଅଢ଼େଇ ବର୍ଷରୁ ଅଧିକ ସମୟ ପରେ ନିର୍ବାଚିତ କର୍ମକର୍ତା ପାଇଥିଲା। ଜୟ ଶାହା ଏହାର ସଂପାଦକ ହେବା ସହ ଅରୁଣ ସିଂହ ଧୁମାଲ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

ଗୋଲାପି ଇତିହାସ
ଭାରତରେ ଦିବାରାତ୍ର ଟେଷ୍ଟ୍‌ ବା ଗୋଲାପି ବଲ୍ ଟେଷ୍ଟ୍‌ ପଦାର୍ପଣ କରିଥିଲା। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ମାଇଲଖୁଣ୍ଟ ଅଧ୍ୟାୟ ଥିଲା। ବିଳମ୍ବରେ ହେଲେ ମଧ୍ୟ ଭାରତ ଦିବା ରାତ୍ର ଟେଷ୍ଟ୍‌ ଅଭିଯାନରେ ସାମିଲ ହୋଇଥିଲା। ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶକୁ ତିନି ଦିନ ଭିତରେ ପରାସ୍ତ କରି ଏହାକୁ ଅଧିକ ସ୍ମରଣୀୟ କରିଥିଲା କୋହଲି ବାହିନୀ। ରାତି ଟେଷ୍ଟ୍‌କୁ ଦର୍ଶକ ଦେଇଥିବା ସମର୍ଥନ ସବୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ଉଲ୍ଲସିତ କରିଥିଲା। ଗୋଲାପି ବଲ୍ ଟେଷ୍ଟ୍‌ ଆୟୋଜନ କରିବାରେ ଭାରତ ସପ୍ତମ ଦେଶ ହୋଇଥିଲା।

ଫୁଟ୍‌ବଲ୍‌ରେ ନିରାଶା
କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଗୋଲ୍ଡ କପ୍ ବହୁରାଷ୍ଟ୍ରୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଉଚ୍ଚ ମାନ୍ୟତା ପ୍ରାପ୍ତ ଇରାନକୁ ପରାସ୍ତ କରି ଭାରତୀୟ ମହିଳା ଫୁଟ୍‌ବଲ୍ ଦଳ ଇତିହାସ ରଚିଥିଲା। ସେହିଭଳି ଭାରତୀୟ ମହିଳା ଦଳ ମଧ୍ୟ ନେପାଳକୁ ହରାଇ ଲଗାତର ତୃତୀୟ ଥର ପାଇଁ ଦକ୍ଷିଣ ଏସୀୟ କ୍ରୀଡ଼ା ବା ସାଗ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ପୁରୁଷ ଦଳ ପାଇଁ ‘୨୦୧୯’ କିନ୍ତୁ ସେତଟୋ ସୁଖଦ ନଥିଲା। ଦୁର୍ବଳ ପ୍ରଦର୍ଶନ ସହ ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରୁ ହିଁ ଭାରତ ବାଦ୍ ପଡ଼ିଥିଲା। ଭାରତୀୟ ପୁରୁଷ ଫୁଟ୍‌ବଲ୍ ଦଳ ନୈରାଶ୍ୟ ଜନକ ଭାବେ ୧୮୭ତମ ସ୍ଥାନରେ ବର୍ଷ ଶେଷ କରିଥିଲା। ସେପଟେ ଆମେରିକା ଚତୁର୍ଥ ଥର ପାଇଁ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe