୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନବକଳେବର ହେବ: ଦ୍ରାବିଡ

ରୋହିତ, କୋହଲି ଓ ରାହୁଲଙ୍କ ଟ୍ବେଣ୍ଟି-୨୦ କ୍ୟାରିୟର ଅନ୍ତ!

୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନବକଳେବର ହେବ: ଦ୍ରାବିଡ

Cricketkeeda

ନୂଆଦିଲ୍ଲୀ : ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ମୁଣ୍ଡିଆଳମାନେ ମନ୍ଥନ କରିବା ପରେ ଆଗାମୀ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳରେ ନବକଳେବର ହେବ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ ପରୋକ୍ଷରେ ଆଭାସ ଦେଇଛନ୍ତି। ବରିଷ୍ଠ ଖେଳାଳିମାନଙ୍କ ଉପସ୍ଥିତି ସତ୍ତ୍ବେ ଭାରତ ଯେଭଳି ଭାବେ ସେମିଫାଇନାଲ୍‌ରେ ଇଂଲଣ୍ଡ ନିକଟରୁ ହାରିଯାଇଥିଲା ତାହାକୁ ପ୍ରଶିକ୍ଷକମଣ୍ଡଳି ଏବଂ ଚୟନକର୍ତ୍ତାଙ୍କ ସହିତ ବିସିସିଆଇ ଅଧିକାରୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ତେବେ ଆଗାମୀ ବିଶ୍ବକପ୍‌ ପାଇଁ ଧୈର୍ଯ୍ୟ ଧରିବାକୁ ବ୍ରାବିଡ୍‌ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆମେ ୨୦୨୪ ବିଶ୍ବକପ୍‌ ପାଇଁ ନୂଆ ପର୍ଯ୍ୟାୟର ବାଟ ବାହାର କରିଛୁ। ମୁଖ୍ୟତଃ ଭାରତୀୟ ଦଳ ଭିନ୍ନ ରୂପରେ ତିଆରି ହେବ। ବିଶେଷକରି ବରିଷ୍ଠଙ୍କ ଅପେକ୍ଷା ଯୁବ ଖେଳାଳିଙ୍କୁ ଅଭିଜ୍ଞତା ହାସଲ ପାଇଁ ଏବେଠାରୁ ସୁଯୋଗ ଦିଆଯିବ ଏବଂ ଦଳର ପୁନର୍ଗଠନ କରାଯାଇ ବିଶ୍ବକପ୍‌ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କୌଣସି ବରିଷ୍ଠଙ୍କ ନାମ ନେଇନଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା, ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କ ପରି ଖେଳାଳିଙ୍କ ଟ୍ବେଣ୍ଟି-୨୦ କ୍ୟାରିୟର ଅନ୍ତ ଘଟିବ ବୋଲି ଦ୍ରାବିଡ୍‌ଙ୍କ ଆଭାସରୁ ଜଣାପଡୁଛି। ଅଭିଜ୍ଞତାର ଅଭାବରୁ ମଧ୍ୟ ଭାରତ ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୧୬ ରନ୍‌ର ପରାଜୟ ବରଣ କରିଛି। ଶ୍ରୀଲଙ୍କା ଦଳର ଚୂଡାନ୍ତ ଏକାଦଶରେ ସେଭଳି ଅଭିଜ୍ଞ ଖେଳାଳି ନଥିବା ସତ୍ତ୍ବେ ଭାରତ ଭିନ୍ନ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିଲା। ସେଥିରେ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିଥିବା ଅଧିକାଂଶ ଖେଳାଳି ସାମିଲ ନଥିଲେ। ‌ତେଣୁ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଇଂଲଣ୍ଡଠୁ ହାରିଥିବା ଦଳଠୁ ଶ୍ରୀଲଙ୍କା ବିପକ୍ଷ ପରାଜିତ ଦଳ ସଂପୂର୍ଣ୍ଣ ଭିନ୍ନ ଥିଲା। ତଥାପି ପରାଜୟ ବରଣ କରିଥିବା ଭାରତୀୟ ଯୁବ ଖେଳାଳିଙ୍କ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି। କେବଳ ମାତ୍ର ଅଭିଜ୍ଞତା ଓ ଶିକ୍ଷାର ଅଭାବ ରହିଛି। ସେମାନେ ଆନ୍ତର୍ଜାତିକ କ୍ରିକେଟ୍‌ ପାଇଁ କିଛି ଶିକ୍ଷା ହାସଲ କରିବା ଉଚିତ। ସେଥିପାଇଁ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ବୋଲି ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦ୍ରାବିଡ୍‌। ଯୁବ ତାରକା ମାନେ ଚାପକୁ ଧୈର୍ଯ୍ୟର ସହ ଏଡ଼ାଇପାରିବେ ଏବଂ ସେମାନଙ୍କୁ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ ପୂରା ସମର୍ଥନ ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

ଅନ୍ୟପକ୍ଷରେ ଭାରତ ଦିନିକିଆ ବିଶ୍ବକପ୍‌ ଆୟୋଜନ କରୁଥିବାରୁ ତା’ ଉପରକୁ ଏବେ ସମସ୍ତଙ୍କ ଫୋକସ୍‌ ଚାଲିଯାଇଛି। ତେଣୁ ଟ୍ବେଣ୍ଟି-୨୦ରେ ଯୁବ ତାରକାମାନଙ୍କୁ ପରୀକ୍ଷା କରିବାର ଏହା ହିଁ ପ୍ରକୃଷ୍ଟ ସମୟ ଆମ ପାଇଁ ରହିଛି। ବରିଷ୍ଠମାନେ ଦିନିକିଆ‌ ବିଶ୍ବକପ୍‌ ଏବଂ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପାଇଁ ପ୍ରସ୍ତୁତି ଚଳାଇବା ବେଳେ ଯୁବ ପ୍ରତିଭା ଟ୍ବେଣ୍ଟି-୨୦ ପ୍ରସ୍ତୁତିରେ ଲାଗିପଡ଼ିବେ ବୋଲି ଦ୍ରାବିଡ୍‌ କହିଛନ୍ତି। ଦ୍ରାବିଡ୍‌ ମୁଖ୍ୟତଃ ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ୍‌, ଶିବମ ମାଭି ଏବଂ ଉମ୍ରାନ୍‌ ମଲ୍ଲିକଙ୍କୁ ନବଗଠିତ ଟ୍ବେଣ୍ଟି-୨୦ ଦଳ ପାଇଁ ପସନ୍ଦର ଖେଳାଳି ବାଛିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe