ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଗୁଜରାଟର ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ବୁଧବାର ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟକାରିଣୀ ବୋର୍ଡ ଆଜି ଭାରତର ବିଡ୍‌କୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ପରେ ଅହମଦାବାଦର ନାଁ ଆୟୋଜକ ସହର ଭାବେ ସୁପାରିସ୍ କରିଛି।

commonwealth

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ବୁଧବାର ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟକାରିଣୀ ବୋର୍ଡ ଆଜି ଭାରତର ବିଡ୍‌କୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ପରେ ଅହମଦାବାଦର ନାଁ ଆୟୋଜକ ସହର ଭାବେ ସୁପାରିସ୍ କରିଛି। ଏଥିରେ ଚୂଡ଼ାନ୍ତ ମୋହର ଇଂଲଣ୍ଡର ଗ୍ଲାସ୍‌ଗୋଠାରେ ନଭେମ୍ବର ୨୬ ତାରିଖରେ ବସିବାକୁ ଥିବା ବୋର୍ଡର ପୂର୍ଣ୍ଣକାଳୀନ ସାଧାରଣ ଅଧିବେଶନରେ ବାଜିବ। ଯାହା କେବଳ ଏକ ଔପଚାରିକତା ହେବ। ଫଳରେ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ଦୁଇ ଦଶନ୍ଧି ପରେ ଭାରତକୁ ଫେରିବାକୁ ଯାଉଛି। ସେହିଭଳି ୨୦୩୦ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଶତବାର୍ଷିକୀ ହୋଇଥିବାରୁ ଭାରତରେ ଏହା ଆୟୋଜିତ ହେବା ସ୍ବତନ୍ତ୍ର ଓ ସ୍ମରଣୀୟ ହେବ। ପ୍ରଥମ ଥର ପାଇଁ ଭାରତ ୨୦୧୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ସହିତ ଭାରତ ମଧ୍ୟ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଦିଗରେ ଏକ ବଡ଼ ପାଦ ବଢ଼ାଇଛି। ଏହି ବହୁ ପ୍ରତୀକ୍ଷିତ ଆଶା, ଆକାଂକ୍ଷା ପୂରଣ ହେବାର ସମ୍ଭାବନା ବି ବଢ଼ିଛି। ଅଲିମ୍ପିକ୍ସ ଆୟୋଜନ କରିବାରେ ଭାରତୀୟ ସହର ମଧ୍ୟରେ ଅହମଦାବାଦ ବି ସର୍ବାଗ୍ରେ ରହିଛି। 

ଅହମଦାବାଦ ଏହି କ୍ଷେତ୍ରରେ ନାଇଜେରିଆର ଅବୁଜା ସହରଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲା। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟକାରିଣୀ ବୋର୍ଡ ବିଶ୍ବସ୍ତରୀୟ ସୁବିଧାସୁଯୋଗ, ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ତଥା ଅନ୍ୟ ଅନୁଷଙ୍ଗିକ କଥାକୁ ବିଚାରକୁ ନେଇ ଅହମଦାବାଦ ସପକ୍ଷରେ ନିଷ୍ପତ୍ତି ନେଇଥିଲା। ତଥାପି ଭବିଷ୍ୟତରେ ଆଫ୍ରିକାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ନାଇଜେରିଆ ସହ ଆଲୋଚନା ଜାରି ରହିବ ବୋଲି ବୁଧବାର ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ ବୋର୍ଡ କହିଛି। ସୂଚନା ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୂଲ୍ୟାଙ୍କନ କମିଟି ଉଭୟ ସହର ଦାଖଲ କରିଥିବା ବିଡ୍‌କୁ ବିଚାରକୁ ନେଇଥିଲା। ଶେଷ ରାଉଣ୍ଡ୍‌ରେ କିନ୍ତୁ କ୍ରୀଡ଼ାବିତ୍‌ଙ୍କ ଅଭିଜ୍ଞତା, ସହରର ପରିଚାଳନା ବ୍ୟବସ୍ଥା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନୈତିକ ମୂଲ୍ୟବୋଧ ଆଧାରରେ ଅହମଦାବାଦ ମୁଣ୍ଡରେ ସୁନା କଳସ ଢାଳିଥିଲା। ଏହି ଖବର ପଦାକୁ ଆସିବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ତଥା ଦୌଡ଼ରାଣୀ ପିଟି ଉଷା ଖୁସି ଜାହିର କରିଛନ୍ତି। ଭାରତ ଆଗାମୀ ସମୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ନୂଆ ସ୍ତର ସ୍ଥାପନ କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ। ସେହିଭଳି ଅହମଦାବାଦର ନାମ ସୁପାରିସ ହେବା ପରେ ଭାରତୀୟ କ୍ରୀଡ଼ା ଦୁନିଆ ଏବଂ ଗୁଜରାଟରେ ଖୁସିର ଲହରି ଖେଳି ଯାଇଛି। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରି ଭାରତୀୟ କ୍ରୀଡ଼ା ଜଗତକୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ କ୍ରୀଡ଼ା ପାଇଁ ଆଜିର ଦିନ ଉଲ୍ଲାସ ଓ ଗୌରବର ଦିନ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ବିଡ୍ ଦାଖଲ କରିବା ପୂର୍ବରୁ ଅହମଦାବାଦ ସହ ନୂଆଦିଲ୍ଲୀ ଓ ଭୁବନେଶ୍ବର ମଧ୍ୟ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ସମ୍ଭାବ୍ୟ ସହର ତାଲିକାରେ ଥିଲେ। ତେବେ ଶେଷରେ ଅହମଦାବାଦକୁ ବିଡ୍ ଦାଖଲ କରିବା ଲାଗି ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe