୨୫ତମ ଏସ୍‌ଆର ଅନଲାଇନ୍ ଚେସ୍: ତନ୍ମୟ ବିଜେତା

Advertisment
୨୫ତମ ଏସ୍‌ଆର ଅନଲାଇନ୍ ଚେସ୍: ତନ୍ମୟ ବିଜେତା

ଭୁବନେଶ୍ବର: ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାର ୨୫ତମ ସଂସ୍କରଣରେ ସର୍ବମୋଟ ୬ରୁ ୫ ପଏଣ୍ଟ୍‌ ପାଇ ଷ୍ଟୁଆର୍ଟ ସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ର ତନ୍ମୟ ତ୍ରିପାଠୀ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ କଟକର ରବୀନ୍ଦ୍ର କୁମାର ଓଝା (୪.୫ ପଏଣ୍ଟ୍‌) ଉପବିଜେତା ହୋଇଥିଲା ବେଳେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ତେଜସ୍ ଲୋହାନୀ (୪.୫) ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ସେହିଭଳି ବିଭିନ୍ନ ବୟସବର୍ଗ ଯଥା ୧୩ ବର୍ଷରୁ କମ୍, ୧୫ ବର୍ଷରୁ କମ୍‌ ଓ ୭ ବର୍ଷରୁ କମ୍‌ରେ ଯଥାକ୍ରମେ ଆରିନ ଅନ୍ବେଷ ସ୍ବାଇଁ (୪), ପ୍ରତୀକ ଚୌରାସିଆ (୩.୫) ଓ ଅଦିତି ମହାରଣା (୩.୫) ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ସଞ୍ଜୟ ପଟ୍ଟନାୟକ (୩.୫) ଶ୍ରେଷ୍ଠ ଭେଟେରାନ୍ ଏବଂ ଶିବାଂଶ ମିଶ୍ର (୩), ସାଇ ଅମୃତ ପରିଜା (୩) ଓ ରିଶିତ ଦେବନାଥ (୩) ମିଳିତ ଭାବେ ୧୧ ବର୍ଷରୁ କମ୍ ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୬ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତା ଏସ୍‌ଆର ଚେସ୍ ସେଣ୍ଟରର ସଂପାଦକ ସତ୍ୟ ରଞ୍ଜନ ପଟ୍ଟନାୟକ, କିମ୍ସର ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ‌ରେ ଆୟୋଜିତ ହୋଇଥିଲା। ସେପଟେ କୋଭିଡ୍-୧୯ ମହାମାରୀ ସଙ୍କଟ ପାଇଁ ଗତ ମାର୍ଚ ମାସରୁ ବନ୍ଦ ଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍‌ଆର ଚେସ୍ ସେଣ୍ଟର ତା’ର କାର୍ଯ୍ୟାରମ୍ଭ କରିଛି। ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିୟମାବଳୀ ପାଳନ ସହ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ସ୍ଥାନୀୟ ସହିଦ ନଗର, କଟକ ବାଦାମବାଡ଼ି ବରାଳ ଲେନ୍ ଏବଂ କଟକର ସିଡିଏସ୍ଥିତ ଶାଖାରେ ପୁଣି ଥରେ ଗୁଣାତ୍ମକ ଚେସ୍ ଶିକ୍ଷାର ଶୁଭାରମ୍ଭ ହୋଇଥିବା ଏସ୍‌ଆର ଚେସ୍ ସେଣ୍ଟରର ସଂପାଦକ ସତ୍ୟ ରଞ୍ଜନ ପଟ୍ଟନାୟକ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe