୨୬ ‌ନୂଆ କୀର୍ତ୍ତିମାନ: ଓଡ଼ିଶା ପଦକଶୂନ୍ୟ, ଜାତୀୟ କନିଷ୍ଠ ଜଳକ୍ରୀଡ଼ାରେ କର୍ଣ୍ଣାଟକ ବିଜେତା

Advertisment
୨୬ ‌ନୂଆ କୀର୍ତ୍ତିମାନ: ଓଡ଼ିଶା ପଦକଶୂନ୍ୟ, ଜାତୀୟ କନିଷ୍ଠ ଜଳକ୍ରୀଡ଼ାରେ କର୍ଣ୍ଣାଟକ ବିଜେତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ୪୮ତମ ଜାତୀୟ କନିଷ୍ଠ ଜଳକ୍ରୀଡ଼ା ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୬୨୩ ପଏଣ୍ଟ୍‌ ପାଇ କର୍ଣ୍ଣାଟକ ସାମଗ୍ରିକ ଭାବେ ବିଜେତା ହୋଇଥିଲା ବେଳେ ଗ୍ରୁପ୍‌-୧ ଓ ଗ୍ରୁପ୍‌-୨ ଉଭୟ ବାଳିକା ଓ ବାଳକରେ ମଧ୍ୟ ବିଜେତା ହେବାର ଗୌରବ ପାଇଥିଲା। ୱାଟର ପୋଲୋ ବାଳକରେ ବେଙ୍ଗଲ ଓ ବାଳିକାରେ କେରଳ ବିଜେତା ହୋଇଥିଲା। ବାଳକ ଗ୍ରୁପ୍‌-୧ରେ କର୍ଣ୍ଣାଟକର ଉତ୍କର୍ଷ ପାଟିଲ ଓ ଗୁଜରାଟର ଦେବାଂଶ ପରମାର ୩ ସ୍ବର୍ଣ୍ଣ, ୧ ରୌପ୍ୟ ଲେଖାଏଁ ପାଇଁ ମିଳତ ଭାବେ ଶ୍ରେଷ୍ଠ ସନ୍ତରଣକାରୀ ହୋଇଥିଲେ। ବାଳକ ଗ୍ରୁପ୍‌-୨ରେ କର୍ଣ୍ଣାଟକର ଆର୍‌ ନବନୀତ ଗୌଡ଼ (୫ ସ୍ବର୍ଣ୍ଣ) ଶ୍ରେଷ୍ଠ ବିବେଚିତ ହୋଇଥିଲେ। ବାଳିକା ଗ୍ରୁପ୍‌-୧ରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଡିଜ୍‌ (୫ ସ୍ବର୍ଣ୍ଣ, ୫ ଜାତୀୟ ମିଟ୍‌ କୀର୍ତ୍ତିମାନ) ଏବଂ ବାଳିକା ଗ୍ରୁପ୍‌-୨ରେ କର୍ଣ୍ଣାଟକର ହାଶିକା ରାମଚନ୍ଦ୍ର (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୪ ଜାତୀୟ ମିଟ୍‌ କୀର୍ତ୍ତିମାନ) ଶ୍ରେ‌ଷ୍ଠ ହୋଇଥିଲେ।

ଏହି ୫ ଦିନିଆ ପ୍ରତିଯୋଗିତାରେ ମୋଟ ୨୬ ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ବୁଧବାର ଶେଷ ଦିନରେ ମଧ୍ୟ ୩ ଜାତୀୟ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଗ୍ରୁପ୍‌-୨ ବାଳିକା ୪୦୦ ମିଟର ମେଡ୍‌ଲିରେ କର୍ଣ୍ଣାଟକର ହାଶିକା (୫:୧୦.୭୦), ୨୦୦ ମିଟର ବ୍ରେ‌ଷ୍ଟ ଷ୍ଟ୍ରୋକ୍‌ରେ ମହାରାଷ୍ଟ୍ରର ଅପେକ୍ଷା (୨:୪୦.୩୬) ଏବଂ ୪୦୦ ମିଟର ମେଡ୍‌ଲି ବାଳିକା ଗ୍ରୁପ୍‌-୧ରେ ତାମିଲନାଡ଼ୁର ଶକ୍ତି ଏସ୍‌ (୫:୧୫.୦୪) ଜାତୀୟ କୀର୍ତ୍ତିମାନ କରିଥିଲେ। ଓଡ଼ିଶାରୁ ୨୦ (୧୨ ବାଳକ, ୮ ବାଳିକା) ଜଣ ଅଂଶଗ୍ରହଣ କରିଥିଲେ ମଧ୍ୟ ପଦକଶୂନ୍ୟ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଅନ୍ୟତମ ଅତିତି ଭାବେ ଅଭିନେତା ଆର୍‌ ମାଧବନ, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା, କର୍ଣ୍ଣାଟକ ସନ୍ତରଣ ସଂଘ (କେଏସ୍‌ଏ) ସଭାପତି ଗୋପାଳ ହୋସୁର, ଭାରତୀୟ ସନ୍ତରଣ ମହାସଂଘ ସାଧାରଣ ସମ୍ପାଦକ ମୋନାଲ ଚୋକସି, ଓଡ଼ିଶା ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର ଏବଂ ସାଧାରଣ ସମ୍ପାଦକ ଗୋଲାପ ମହାନ୍ତ ପ୍ରମୁଖ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe