ଭୁବନେଶ୍ବର: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ୯୩ତମ ସର୍ବଭାରତୀୟ ମୁରୁଗପ୍ପା ଗୋଲ୍ଡ କପ୍ ହକି ପ୍ରତିଯୋଗିତାର ପରିଚାଳନା ମଣ୍ଡଳିରେ ଓଡ଼ିଶାର ୩ ଜଣ ହକି ବିଶେଷଜ୍ଞ ସାମିଲ ହୋଇଛନ୍ତି। ରାଜିନ ଏକ୍କା ଅମ୍ପାୟାର ନିଯୁକ୍ତ ହୋଇଥିଲା ବେଳେ ନିଶାନ ଜ୍ୟୋତି ମହାନ୍ତି ଓ ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ପଦ ପାଇଛନ୍ତି। ଏକ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ୩ ଜଣ ଓଡ଼ିଆ ଅଧିକାରୀ ଓ ଅମ୍ପାୟାର ନିଯୁକ୍ତ ହେବା ରାଜ୍ୟ ହକି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏହା ପୂର୍ବରୁ ରାଜିନ ବହୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନ୍ୟପକ୍ଷରେ ନିଶାନ ଓ ବିଶ୍ବରଞ୍ଜନଙ୍କର ଅନ୍ତର୍ଜାତୀୟ ପ୍ରତିଯୋଗିତା ପରିଚାଳନା କରିବାର ଅଭିଜ୍ଞତା ରହିଛି। ପୂର୍ବରୁ ରେଳବାଇରେ କାର୍ଯ୍ୟ କରୁଥିବା ନିଶାନ ମୁରୁଗପ୍ପା ପ୍ରତିଯୋଗିତାରେ ଅମ୍ପାୟାରିଂ କରି ସାରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ବୈଷୟିକ ଅଧିକାରୀ ଦାୟିତ୍ବରେ ରହିବେ। ନିଶାନ ଏହା ପୂର୍ବରୁ ସୁଲତାନ ଆଜଲାନ ସାହା ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ବୈଷୟିକ ଅଧିକାରୀ ଥିଲେ। ଏଜିରେ କାମ କରୁଥିବା ବିଶ୍ବରଞ୍ଜନ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାରିଂ ଓ ବୈଷୟିକ ଅଧିକାରୀ ଦାୟିତ୍ବକୁ ସଫଳତାର ସହ ତୁଲାଇଛନ୍ତି। ସେଥିପାଇଁ ଆୟୋଜକ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି। ଏହି ସଫଳତା ପାଇଁ ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ମୁରୁଗପ୍ପା ହକି ପ୍ରତିଯୋଗିତା ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us