୩୦୦ ଦିନିକିଆର ଅଭିଜ୍ଞତା କାମରେ ଆସିଲା: ଧେ‌ାନି

Advertisment
୩୦୦ ଦିନିକିଆର ଅଭିଜ୍ଞତା କାମରେ ଆସିଲା: ଧେ‌ାନି

The Hindu

ଦୁବାଇ: ଆଇପିଏଲ-୧୩ ଆରମ୍ଭରୁ ଚେନ୍ନାଇ ସୁପରକିଙ୍ଗ୍ସ ଧମାଲ କରିଛି। ଉଦ୍‌ଘାଟନୀ ମୁକାବିଲାରେ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍‌ରେ ହରାଇ ପୁଣି ଥରେ ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ଲଗାତାର ପାଞ୍ଚଟି ପରାଜୟ ପରେ ମୁମ୍ବାଇ ବିପକ୍ଷରେ ଚେନ୍ନାଇର ମଧ୍ୟ ଏହା ପ୍ରଥମ ବିଜୟ ଥିଲା।

ଚେନ୍ନାଇର ଏହି ଚମକପ୍ରଦ ବିଜୟରେ ଦଳୀୟ ଖେଳାଳିଙ୍କ ଲମ୍ବା ଅନ୍ତର୍ଜାତୀୟ ଅଭିଜ୍ଞତା ନିର୍ଣ୍ଣାୟକ ଭୂମିକା ନେଇଥିଲା ବୋଲି ପାଖାପାଖି ‌ଗୋଟିଏ ବର୍ଷର ବ୍ୟବଧାନ ପରେ କ୍ରିକେଟ୍ ପଡ଼ିଆକୁ ଫେରିଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ ବୋଲି ମଧ୍ୟ ସେ ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ। ଧୋନି କହିଥିଲେ ‘‘ଅଭିଜ୍ଞତା କାମରେ ଆସିଲା। ସମସ୍ତେ ଏହି କଥା କହୁଛନ୍ତି। ଅନେକ ମ୍ୟାଚ୍ ଖେଳିଲା ପରେ ଯାଇ ଆପଣ ଏଭଳି ସ୍ଥିତିରେ ପହଞ୍ଚିପାରନ୍ତି। ୩୦୦ ଦିନିକିଆ ଖେଳିବା ସମସ୍ତଙ୍କ ପାଇଁ ସ୍ବପ୍ନ ହୋଇଥାଏ। ଆପଣ ଯେତେବେଳେ କୌଣସି ଦଳକୁ ଖେଳିବା ପାଇଁ ପଡ଼ିଆକୁ ପଠାନ୍ତି, ସବୁବେଳେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ମିଶ୍ରିତ ଦଳ ପଠାଇବାକୁ ଚାହାନ୍ତି। ପଡ଼ିଆ ଭିତରେ ଓ ବାହାରେ ଯୁବ ତାରକାଙ୍କ ମାର୍ଗଦର୍ଶନ କରିବା ଲାଗି ଆପଣଙ୍କୁ ଅଭିଜ୍ଞଙ୍କ ସେବା ନିଶ୍ଚିତ ଦରକାର ହେବ।

ଆଇପିଏଲ୍‌ରେ ଯୁବ ଖେଳାଳିମାନେ ଅଭିଜ୍ଞ ଖେଳାଳିଙ୍କ ସହ ୬୦-୭୦ ଦିନ ଖେଳିବାକୁ ସୁଯୋଗ ପାଆନ୍ତି। ଆପଣ ବହୁତ ଅଭ୍ୟାସ କରିଥାଇପାରନ୍ତି, ହେଲେ ଯେତେବେଳେ ଆପଣ ପଡ଼ିଆ ଭିତରକୁ ଯାଆନ୍ତି, ସେତେବେଳର ପରିସ୍ଥିତି ଓ ପରିବେଶକୁ ପରଖିବାର ଆବଶ୍ୟକତା ସବୁବେଳେ ଥାଏ। ନିର୍ଦ୍ଦିଷ୍ଟ ଗତି ଓ ଲେନ୍ଥ ପାଇବା ଲାଗି ଆମ ବୋଲରଙ୍କୁ ଢେର ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ରୁ ଆମେ ଅନେକ ଭଲ କଥା ଶିଖିପାରିଛୁ। ତଥାପି କେତେକ କ୍ଷେତ୍ରରେ ଆମକୁ ଉନ୍ନତି ଆଣିବାକୁ ପଡ଼ିବ’’। ଧୋନି ମଧ୍ୟ ଏହି ଅବସରରେ ଅର୍ଧଶତକ ହାସଲକାରୀ ଅମ୍ବାତି ରାୟୁଡୁ ଓ ଫାଫ୍ ଡୁ’ପ୍ଲେସିସ୍‌ଙ୍କୁ ପ୍ରଶଂସା କରିଥିଲେ। ସେହିଭଳି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ଲାଗି ରବୀନ୍ଦ୍ର ଜାଦେଜା ଓ ସାମ୍ କରନଙ୍କୁ ତାଙ୍କ ଆଗରୁ ବ୍ୟାଟିଂ ପାଇଁ ପଠାଇଥିଲେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe