ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆଉ ଏକ ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଆଜି ଅଧିନାୟକ ଭାବେ ୩,୦୦୦ ରନ୍ କରିବାରେ ଦ୍ରୁତତମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। କୋହଲି ୪୯ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଯାହା ପୂର୍ବ କୀର୍ତ୍ତିମାନଧାରୀ ଏବି ଡିଭିଲିୟର୍ସଙ୍କଠାରୁ ୧୧ ପାଳି କମ୍। ଡିଭିଲିୟର୍ସ ୬୦ ଅଧିନାୟକ ପାଳିରେ ୩,୦୦୦ ରନ୍ କରିଥିଲେ।
ସେହିଭଳି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୭୦, ସୌରଭ ଗାଙ୍ଗୁଲି ୭୪, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ ଓ ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା-ଉଲ୍-ହକ୍ ୮୩ ଏବଂ ସନଥ ଜୟସୁରିୟା ଓ ରିକି ପଣ୍ଟିଂ ୮୪ ଲେଖାଏଁ ପାଳି ନେଇ ୩,୦୦୦ ରନ୍ ଛୁଇଁଥିଲେ। ମଙ୍ଗଳବାର କୋହଲି ଭାରତ ପାଳିର ଦଶମ ଓଭରରେ ଏହି କୀର୍ତ୍ତିମାନ କରିଥିଲେ। ଡେଭିଡ ଓ୍ଵିଲିଙ୍କ ବଲ୍ରୁ ଏକ ରନ୍ ନେଇ ସେ ଡିଭିଲିୟର୍ସଙ୍କୁ ଟପି ଯାଇଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ସେ ଦୁଇଟି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ୨,୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ରୁତତମ ଖେଳାଳି ହୋଇଥିଲେ।
Follow Us