ଅଷ୍ଟ୍ରେଲିଆର କ୍ରମାଗତ ଚତୁର୍ଥ ବିଜୟ

Advertisment
ଅଷ୍ଟ୍ରେଲିଆର କ୍ରମାଗତ ଚତୁର୍ଥ ବିଜୟ

ୱେଲିଂଟନ୍‌, ୧୫ା୩: ଚଳିତ ମହିଳା ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ମଙ୍ଗଳବାର କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୧୨ ରନ୍‌, ପାକିସ୍ତାନକୁ ୭ ୱିକେଟ୍‌ ଏବଂ ନ୍ୟୁଜିଲାଣ୍ଡ୍‌କୁ ୧୪୧ ରନ୍‌ରେ ପରାସ୍ତ କରିବା ପରେ ଏହି ଅଦମନୀୟ ଦଳ ଚତୁର୍ଥ ମ୍ୟାଚ୍‌ରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍‌କୁ ୭ ୱିକେଟ୍‌ରେ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି।

ମଙ୍ଗଳବାର ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଏଲିସା ପେରି (୩/୨୨), ଆସ୍‌ଲେ ଗାର୍ଡନର୍‌ (୩/୨୫), ଜେସ୍‌ ଜୋନାସେନ୍‌ (୨/୧୮) ଓ ମେଗାନ ସ୍କୁଟ୍‌ (୧/୨୩)ଙ୍କ ମାରାତ୍ମକ ବୋଲିଂ ଆଗରେ ତିଷ୍ଠିନପାରି ନ୍ୟୁଜିଲାଣ୍ଡ୍‌ର ପୂରା ଦଳ ୪୫.୫ ଓଭରରେ ମାତ୍ର ୧୩୧ ରନ୍‌ କରିପାରିଥିଲା।

ଅଧିନାୟିକା ଷ୍ଟିଫାନି ଟେଲର (୫୦) ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ରାଚେଲ ହେନ୍‌ସ (୮୩*)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ବେଥ୍‌ ମୁନି (୨୮)ଙ୍କ ବଳରେ ଅଷ୍ଟ୍ରେଲିଆ ୩୦.୨ ଓଭରରେ ୩ ୱିକେଟ୍‌ ବିନିମୟରେ ୧୩୨ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଏଲିସା ପେରି (୧୦ ରନ୍‌, ୨୨/୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଷ୍ଟ୍ରେଲିଆ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ସମାନ ୪ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଖସିଯାଇଛି।

ଆଜି ଇଂଲଣ୍ଡକୁ ଭେଟିବ ଭାରତ

ଚଳିତ ମହିଳା ବିଶ୍ବକପ୍‌ରେ ବୁଧବାର ଭାରତ ଏବଂ ଇଂଲଣ୍ଡ ମାଉଣ୍ଟ ମଙ୍ଗନୁଇରେ ମୁହାଁମୁହିଁ ହେବେ। ପ୍ରଥମ ୩ ମ୍ୟାଚ୍‌ରୁ ୨ ବିଜୟ ହାସଲ କରିଥିବା ଭାରତ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିବାର ସୁଯୋଗ ରହିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ୬୨ ରନ୍‌ରେ ହାରିଯାଇଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ ବିରାଟ ପ୍ରତ୍ୟାବର୍ତନ କରି ୱେଷ୍ଟଇଣ୍ଡିଜ୍‌କୁ ୧୫୫ ରନ୍‌ରେ ପରାସ୍ତ କରି ଶୀର୍ଷ-୪ ମଧ୍ୟରେ ସ୍ଥାନ ସୁରକ୍ଷିତ ରଖିଛି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ଏବଂ ହର୍ମନପ୍ରୀତ୍‌ କୌର ଶତକ ଜମାଇଥିଲା ବେଳେ ଦଳ ମଧ୍ୟ ୩୦୦ ସ୍କୋର୍‌ ପାରି କରିଥିଲା। ୩୦୦/୮ କରିଥିବା ଭାରତର ଏହା ମଧ୍ୟ ବିଶ୍ବକପ୍‌ ଇତିହାସରେ ସର୍ବୋଚ୍ଚ ସ୍କୋର୍‌ ଥିଲା। ପୁଣି ବୋଲିଂରେ ପୂଜା ବସ୍ତ୍ରକାର, ରାଜେଶ୍ବରୀ ଗାଏକ୍ବାଡ, ସ୍ନେହା ରାଣା, ଝୁଲଣ ଗୋସ୍ବାମୀ ଏବଂ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ପ୍ରତିପକ୍ଷକୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି। ତେଣୁ ଇଣ୍ଡିଜ୍‌ ବିପକ୍ଷ ସଫଳତାକୁ ଇଂଲଣ୍ଡ ବିପକ୍ଷରେ ଦୋହରାଇବା ଲକ୍ଷ୍ୟରେ ରହିଛି ମିତାଲି ରାଜଙ୍କ ଦଳ। ଅନ୍ୟପକ୍ଷରେ ଇଂଲଣ୍ଡ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇଛି।

ଅଷ୍ଟ୍ରେଲିଆଠୁ ୧୨ ରନ୍‌, ୱେଷ୍ଟଇଣ୍ଡିଜ୍‌ ନିକଟରୁ ୭ ରନ୍‌ ଏବଂ ଦକ୍ଷିଣ ଆଫ୍ରିକାଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇ ହିଦର ନାଇଟ୍‌ଙ୍କ ଇଂଲଣ୍ଡ ଦଳ ଅଲୋଡା ହ୍ୟାଟ୍ରିକ୍ ଅର୍ଜନ କରିଛି। ତେଣୁ ଗତଥରର ଏହି ବିଜେତା ଦଳ ବିଜୟ ଧାରାକୁ ପ୍ରତ୍ୟାବର୍ତନ ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe