ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳରେ ୫ ନବାଗତ

Advertisment
ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳରେ ୫ ନବାଗତ

ABC

ମେଲବର୍ନ: ବହୁ ପ୍ରତୀକ୍ଷିତ ଭାରତ ଟେଷ୍ଟ୍ ଶୃଙ୍ଖଳା ଲାଗି ଗୁରୁବାର ଘୋଷଣା କରିଥିବା ୧୮ ଜଣିଆ ଦଳରେ ୫ ଜଣ ନବାଗତ ଓ ଅନକ୍ୟାପ୍‌ଡ (ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି) ଖେଳାଳିଙ୍କୁ ସ୍ଥାନ ଦେଇଛି କ୍ରିକେଟ୍‌ ଅଷ୍ଟ୍ରେଲିଆ। ଟିମ୍ ପେନଙ୍କ ନେତୃତ୍ବାଧୀନ କଙ୍ଗାରୁ ଦଳରେ ଦୁଇ ପ୍ରତିଭାବାନ ଯୁବ ତାରକା ୱିଲ୍ ପକୋଭକ୍ସି ଓ କ୍ୟାମେରୁନ୍ ଗ୍ରିନ୍ ରହିଛନ୍ତି। ଅନ୍ୟ ୩ ଜଣ ହେଲେ ଦ୍ରୁତ ବୋଲର ସିନ୍ ଆବୋଟ, ଲେଗ୍ ସ୍ପିନର ମିଚେଲ ସ୍ବିପସନ୍ ଏବଂ ଅଲରାଉଣ୍ଡର ମାଇକେଲ ନାସେର। ଏହି ସମସ୍ତ ଖେଳାଳି ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍ ଋତୁରେ ଅସାଧାରଣ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଆଶା ଓ ଭରସା ଜିତିଛନ୍ତି। ୨୦୧୪ ମସିହାରେ ସେଫିଲ୍ଡ ସିଲ୍ଡର ଏକ ମ୍ୟାଚ୍‌ରେ ଆବୋଟଙ୍କ ବାଉନ୍ସର ମାଡ଼ରେ ହିଁ ଅଷ୍ଟ୍ରେଲୀୟ ତାରକା ଫିଲ୍ ହ୍ୟୁଗ୍ସଙ୍କ ଅକାଳ ବିୟୋଗ ଘଟିଥିଲା। ଯାହା କ୍ରିକେଟ୍ ଜଗତ ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଥିଲା। ଅନ୍ୟ ଚାରିଜଣ ମଧ୍ୟ ଯେ କୌଣସି ସମୟରେ ପ୍ରତିପକ୍ଷ ଦଳକୁ ଘାଇଲା କରିବାକୁ ପୂରା ସକ୍ଷମ। ୨୨ ବର୍ଷୀୟ ପକୋଭକ୍ସି ସେଫିଲ୍ଡ ସିଲ୍ଡରେ ଲଗାତାର ଦ୍ବିଶତକ ଅର୍ଜନ କରିବା ପରେ ବହୁ ପୂର୍ବତନ ଖେଳାଳି ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳରେ ସାମିଲ କରିବାକୁ ଆହ୍ବାନ କରିଥିଲେ। ଭାରତ ଶୃଙ୍ଖଳାରେ ‌ଡେଭିଡ୍ ୱାର୍ନରଙ୍କ ସହ ପାଳି ଆରମ୍ଭ କରିପାରନ୍ତି ସେ। ସେଫିଲ୍ଡ ସିଲ୍ଡ ପ୍ରଦର୍ଶନ ଆଧାରରେ ହିଁ ଏହି ପାଞ୍ଚ ଜଣଙ୍କୁ ଭାରତ ଶୃଙ୍ଖଳା ପାଇଁ ବଛା ଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହନ୍ସ ଦଳ ଘୋଷଣା କରିବା ବେଳେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮-୧୯ ଋତୁରେ ଭାରତଠାରୁ ହାରି ବର୍ଡର-ଗାଭାସ୍କର ଟ୍ରଫି ହରାଇଥିବା ଅଷ୍ଟ୍ରେଲିଆ ଏଥର ଏହାକୁ ଫେରି ପାଇବାକୁ ଲଢ଼େଇ କରିବ। ଚଳିତ ବର୍ଷର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଆଧିପତ୍ୟ ବିସ୍ତାର କରିଥିବାରୁ ଭାରତକୁ ଏଥର ପରାସ୍ତ କରିବାକୁ ଅଷ୍ଟ୍ରେଲିଆ ଆଶା ରଖିଛି। ଗତ ଗସ୍ତରେ କିନ୍ତୁ ବିରାଟ କୋହଲିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ମାଟିରେ ଭାରତ ପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟ ହାସଲ କରିବାର ଗୌରବ ଅର୍ଜନ କରିଥିଲା। ଏହା କରି ବର୍ଡର-ଗାଭାସ୍କର ଟ୍ରଫି ଉପରେ ମଧ୍ୟ କବ୍‌ଜା କରି ନେଇଥିଲା। କରୋନା କଟକଣା ଭିତରେ ଖେଳାଯିବାକୁ ଥିବା ଏଥରର ଶୃଙ୍ଖଳା ଲାଗି ବିଶ୍ବର ଏକନମ୍ବର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଉପଅଧିନାୟକ ନିଯୁକ୍ତ କରିଛି। ଚୟନକର୍ତ୍ତାମାନେ ମଧ୍ୟ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଲାଗି ୧୯ ଜଣିଆ ଅଷ୍ଟ୍ରେଲିଆ ‘ଏ’ ଦଳ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ୯ ଜଣ ଖେଳାଳି ରହିଛନ୍ତି। ଚଳିତ ମାସ ୨୭ରୁ ଆରମ୍ଭ ହେଉଥିବା ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ପୂର୍ବରୁ ଦଳ ଘୋଷଣା କରିସାରିଛି।

ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ: ଟିମ୍ ପେନ୍ (ଅଧିନାୟକ), ସିନ୍ ଆବୋଟ, ଜୋ ବର୍ନସ, ପ୍ୟାଟ୍ କମିନ୍ସ, କ୍ୟାମେରୁନ୍ ଗ୍ରିନ୍, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ମାର୍ନସ ଲବୁସାନେ, ନାଥନ ଲାୟନ, ମାଇକେଲ୍ ନାସେର, ଜେମ୍ସ ପାଟିନସନ୍, ୱିଲ୍ ପକୋଭକ୍ସି, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମିଚେଲ ସ୍ବିପସନ୍, ମାଥ୍ୟୁ ୱାଦେ, ଡେଭିଡ୍ ୱାର୍ନର।

ଅଷ୍ଟ୍ରେଲିଆ ‘ଏ’ ଦଳ: ସିନ୍ ଆବୋଟ, ଆ‌ଷ୍ଟନ୍ ଆଗର, ଜୋ ବର୍ନସ, ଜ୍ୟାକସନ୍ ବାର୍ଡ, ଆଲେକ୍ସ କ୍ୟାରି, ହାରି କନୱେ, କ୍ୟାମେରୁନ୍ ଗ୍ରିନ୍, ମାର୍କସ ହାରିସ୍, ଟ୍ରାଭିସ୍ ହେଡ୍, ମୋଜେସ୍ ହେନରିକ୍ସ, ନିକ ମାଡିନସନ୍, ମିଚେଲ ମାର୍ସ (ଫିଟ୍ ଥିଲେ), ମିଚେଲ ନାସେର, ଟିମ୍ ପେନ୍, ଜେମ୍ସ ପାଟିନସନ୍, ୱିଲ ପକୋଭକ୍ସି, ମାର୍କ ଷ୍ଟେକେଟି, ୱିଲ୍ ସଦରଲାଣ୍ଡ, ମିଚେଲ ସ୍ବିପସନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe