ଆଉ ୬ ଦିନ: ଜୀବନ ଯୁଦ୍ଧ ପରେ ସ୍ବର୍ଣ୍ଣ ଲକ୍ଷ୍ୟରେ ସୁଖଜିତ

Advertisment
ଆଉ ୬ ଦିନ: ଜୀବନ ଯୁଦ୍ଧ ପରେ ସ୍ବର୍ଣ୍ଣ ଲକ୍ଷ୍ୟରେ ସୁଖଜିତ

ନୂଆଦିଲ୍ଲୀ: ୬ ବର୍ଷ ‌ତଳେ ମେରୁଦଣ୍ଡରେ ଆଘାତ ଲାଗିବାରୁ ଡାହାଣ ଗୋଡ଼ ପକ୍ଷାଘାତର ଶିକାର ହୋଇଥିଲା। କିନ୍ତୁ ସୁଖଜିତ ସିଂହ ଏଭଳି କଠିନ ସମୟରୁ ବାହାରି କଠିନ ପରିଶ୍ରମ କରିବା ସହ ଆତ୍ମବିଶ୍ବାସ ହରାଇ ନଥିଲେ। ଫଳସ୍ବରୂପ ଅଲିମ୍ପିକ୍ସ ଯାଉଥିବା ଭାରତୀୟ ପୁରୁଷ ହକି ଦଳରେ ସେ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଖଜିତ ପଦାର୍ପଣ କରିବେ। ସମସ୍ତଙ୍କ ପରି ତାଙ୍କର ମଧ୍ୟ ଅଲିମ୍ପିକ୍ସ ଖେଳିବା ଏକ ସ୍ବପ୍ନ ଥିଲା। ଏବେ ସେ ତାଙ୍କ ଖେଳ ଜୀବନର ଶୀର୍ଷ ସ୍ତରରେ ପହଞ୍ଚିସାରିଥିବା ଭଳି ଅନୁଭବ କରୁଥିବା କହିଛନ୍ତି।

ଜଳନ୍ଧରରେ ଜନ୍ମିତ ସୁଖଜିତ ୬ ବର୍ଷ ବୟସରୁ ‌ହକି ଖେଳିବା ଆରମ୍ଭ କରିଥିଲେ। ବାପା ଅଜିତ ସିଂହ ପଞ୍ଜାବ ପୁଲିସ ପାଇଁ ହକି ଖେଳୁଥିବାରୁ ତାଙ୍କଠୁ ପ୍ରେରଣା ପାଇ ସେ ଭାରତ ପକ୍ଷରୁ ଖେଳିବାକୁ ସ୍ବପ୍ନ ଦେଖିଥିଲେ।‌ ଶେଷରେ ୨୦୨୨ରେ ଆନ୍ତର୍ଜାତିକ ହକିରେ ପଦାର୍ପଣ କରିଥିଲେ। ୨୦୧୮ରେ ବରିଷ୍ଠ ଦଳର ସମ୍ଭାବ୍ୟ ତାଲିକାରେ ସୁଖଜିତ ଥିଲେ। କିନ୍ତୁ ଗୋଟିଏ ଆଘାତ ତାଙ୍କ ସ୍ବପ୍ନକୁ ବିଳମ୍ବିତ କରିଥିଲା। ଏହି ସମୟକୁ ଅତିକ୍ରମ କରିବା ତାଙ୍କ ପାଇଁ ବହୁତ କଠିନ ଥିଲା ବୋଲି ସୁଖଜିତ କହିଛନ୍ତି। ପାଖାପଖି ୫ ମାସ ପର୍ଯ୍ୟନ୍ତ ସେ ଖଟରେ ପଡ଼ିରହିବା ପରେ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇଯାଇଥିଲେ। ଚାଲିବା ସମ୍ଭବ ନଥିଲା, ତେଣୁ ଖେଳିବା ଆଶା ହରାଇ ସାରିଥିଲେ। ଏପରିକି ନିଜେ ହାତରେ ଖାଇବା ମଧ୍ୟ ସମ୍ଭବ ନଥିଲା। ଜୀବନରେ ଆଉ ହକି ଖେଳିପାରିବିନି ବୋଲି ପ୍ରତ୍ୟେକ ଦିନ ଅନୁଭୂତ ହେଉଥିଲା। ଧୀରେଧୀରେ ସେ ଭାଙ୍ଗିପଡୁଥିଲେ। କିନ୍ତୁ ପରିବାର ଲୋକେ, ବିଶେଷକରି ତାଙ୍କ ବାପାଙ୍କ ସମର୍ଥନ ଓ ବିଶ୍ବାସ ହିଁ ତାଙ୍କୁ ସ୍ବପ୍ନ ହରାଇବାକୁ ଦେଇ ନଥିଲା। ସୁସ୍ଥ ହେବା ପରେ ୨୦୨୧-୨୨ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପଦାର୍ପଣରେ ସ୍ପେନ୍‌ ବିପକ୍ଷରେ ଗୋଲ୍‌ ସ୍କୋର କରିଥିଲେ। ଗତ ଦୁଇ ବର୍ଷ ଭିତରେ ସୁଖଜିତ ତାଙ୍କ ପ୍ରତିଭାର ପରିଚୟ ଦେଇ ୭୦ ମ୍ୟାଚ୍‌ରେ ୨୦ ଗୋଲ୍‌ ସ୍କୋର କରିଥିଲେ।

ଏପରିକି ଗତବର୍ଷ ଭୁବନେଶ୍ବରରେ ହୋଇଥିବା ହକି ବିଶ୍ବକପ୍‌ରେ ସେ ୬ ମ୍ୟାଚ୍‌ ଖେଳିଥିଲା ବେଳେ ୩ ଗୋଲ୍‌ ସ୍କୋର କରିଥିଲେ। ଚେନ୍ନାଇରେ ହୋଇଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ଓ ହାଂଝୌ ଏସୀୟ କ୍ରୀଡ଼ାର ସ୍ବର୍ଣ୍ଣ ବି‌ଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ବର୍ତ୍ତମାନ ଚାଲିଥିବା ପ୍ରୋ ଲିଗ୍‌ରେ ସେ ୫ ଗୋଲ୍‌ ଦେଇସାରିଲେଣି। ସୁଖଜିତଙ୍କ ମତରେ, ତାଙ୍କର ଏବେ ସବୁ ଧ୍ୟାନ ପ୍ୟାରିସ୍‌ ଅଲିମ୍ପିକ୍ସ ଉପରେ ରହିଛି। ମୋର କଠିନ ପରିଶ୍ରମ ଓ ଖେଳ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ମୋତେ ଆଜି ଏତେ ବାଟରେ ପହଞ୍ଚାଇପାରିଛି। ଏବେ ‌ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଦେଶକୁ ସ୍ବର୍ଣ୍ଣ ଜିତାଇବା ମୋର ପରବର୍ତ୍ତୀ ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe