୬୦୦ ସିସିର ରେସିଂ ରୋମାଞ୍ଚ

Advertisment

ଏମ୍‌ଏମ୍‌ଆରଟିରେ ଏସିଆ ରୋଡ୍‌ ରେସିଂ ଆରମ୍ଭ, ୮ ଦେଶର ୬୪ ଚାଳକଙ୍କ ଅଂଶଗ୍ରହଣ

ଏମ୍‌ଏମ୍‌ଆରଟିରେ ଏସିଆ ରୋଡ୍‌ ରେସିଂ ଆରମ୍ଭ, ୮ ଦେଶର ୬୪ ଚାଳକଙ୍କ ଅଂଶଗ୍ରହଣ

୬୦୦ ସିସିର ରେସିଂ ରୋମାଞ୍ଚ

ଚେନ୍ନାଇ(ଦେବାଶିଷ ସୁନ୍ଦରାୟ): ମୋଟରସାଇକେଲ୍‌ ରେସିଂର ମଜା ନିଆରା। ଆହ୍ଵାନପୂର୍ଣ୍ଣ ହେଲେ ମଧ୍ୟ ଏଥିରେ ଥିବା ରୋମାଞ୍ଚ ଅନ୍ୟ ସବୁ ଖେଳଠାରୁ ଭିନ୍ନ ଓ ସ୍ୱତନ୍ତ୍ର। ସେହି ଉତ୍କଣ୍ଠାପୂର୍ଣ୍ଣ ମୋଟର ରେସିଂ ମୁକାବିଲାର ପ୍ରତିଶ୍ରୁତି ନେଇ ଶୁକ୍ରବାରଠାରୁ ଚେନ୍ନାଇର ମାଡ୍ରାସ୍‌ ମୋଟର ରେସିଂ ଟ୍ରାକ୍‌ରେ ଆରମ୍ଭ ହୋଇଛି ଏସିଆ ରୋଡ୍‌ ରେସିଂ ପ୍ରତିଯୋଗିତାର ଚତୁର୍ଥ ପର୍ଯ୍ୟାୟ। ଏସିଆ ମହାଦେଶର ଏହି ସର୍ବବୃହତ୍‌ ମୋଟର ସାଇକେଲ୍‌ ରେସିଂ ପ୍ରତିଯୋଗିତାର ପ୍ରଥମ ତିନି ପର୍ଯ୍ୟାୟ ଜାପାନ, ଥାଇଲାଣ୍ଡ ଓ ଅଷ୍ଟ୍ରେଲିଆରେ ଶେଷ ହୋଇସାରିଛି। ଶୁକ୍ରବାର ଏହାର ଭାରତ ପଦାର୍ପଣ ହୋଇଛି। ଏଥିରେ ୮ ଦେଶର ୬୪ ପ୍ରତିଯୋଗୀ ଭାଗ ନେଉଛନ୍ତି। ଭାରତରୁ ପ୍ରଥମ ଥର ପାଇଁ ‘ଇଦେମିତ୍‌ସୁ ହଣ୍ଡା ରେସିଂ ଇଣ୍ଡିଆ’ ନାମରେ ଏକ ଦଳ ଅଂଶ ଗ୍ରହଣ କରୁଛି। ପ୍ରଥମ ଥର ପାଇଁ ମଧ୍ୟ ଏକ ଭାରତୀୟ ଦଳରେ ଦୁଇ ଜଣ ଭାରତୀୟ ରେସର୍‌ ବା ଚାଳକ ଅଛନ୍ତି। ସେଥିପାଇଁ ଘରୋଇ ମୋଟରସାଇକେଲ୍‌ ରେସିଂ ଜଗତ ପାଇଁ ଏହି ପ୍ରତିଯୋଗିତା ଐତିହାସିକ ସୁଯୋଗ ନେଇ ଆସିଛି। ପ୍ରତିଯୋଗିତା ତିନିଟି ବର୍ଗ ଯଥା ଉତ୍ପାଦନସ୍ତରରେ ଥିବା ୧୫୦୦ ସିସି, ୨୫୦ ସିସି ଓ ୬୦୦ ସିସି ବାଇକ୍‌କୁ ନେଇ ଆୟୋଜିତ ହେଉଛି। ‘ଇଦେମିତ୍‌ସୁ ହଣ୍ଡା ରେସିଂ ଇଣ୍ଡିଆ’ ଦୁଇଟି ବର୍ଗ ୨୫୦ ଓ ୬୦୦ ସିସି ବର୍ଗରେ ଅଂଶ ଗ୍ରହଣ କରୁଛି। ଭାରତୀୟ ଚାଳକ ଆନିଶ ସେଟ୍ଟୀ ଏବଂ ରାଜୀବ ସେଥୁ ୨୫୦ ସିସି ବର୍ଗରେ ହଣ୍ଡା ମୋଟରସାଇକେଲ ଚଳାଇ ଏସିଆ ମହାଦେଶର ଅନ୍ୟ ବଛାବଛା ଓ ତାରକା ରେସରଙ୍କୁ ଟକ୍କର ଦେବେ। ୬୦୦ ସିସିରେ ଜାପାନୀ ରେସର ତାଇଗା ହାଦା ହଣ୍ଡା ଦଳର ପ୍ରତିନିଧିତ୍ୱ କରିବେ। ଶୁକ୍ରବାର ପ୍ରତିଯୋଗିତାର ଅଭ୍ୟାସ ରେସ୍‌ ଅନୁଷ୍ଠିତ ହୋଇଛି। ଶନିବାର ଯୋଗ୍ୟତା ପର୍ଯ୍ୟାୟ ଏବଂ ରବିବାର ମୁଖ୍ୟ ରେସ୍‌ ଆୟୋଜିତ ହେବ। ଶୁକ୍ରବାରର ଅଭ୍ୟାସ ରେସ୍‌ରେ ଉଭୟ ଆନିଶ ଏବଂ ରାଜୀବ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି। ଶନିବାର ଯୋଗ୍ୟତା ପର୍ଯ୍ୟାୟରେ ଭଲ କରି ଉଭୟ ଶ୍ରେଷ୍ଠ ୧୦ ସ୍ଥାନରୁ ମୁଖ୍ୟ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏସିଆ ରୋଡ୍‌ ରେସିଂ ପ୍ରତିଯୋଗିତା ୬ ପର୍ଯ୍ୟାୟ ବିଶିଷ୍ଟ ହୋଇଥିଲା ବେଳେ ଅଷ୍ଟ୍ରେଲିଆରେ ଆନିଶ ଶ୍ରେଷ୍ଠ ୧୫ ଜଣ ରେସର୍‌ଙ୍କ ମଧ୍ୟରେ ରହି ନିଜ ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ରବିବାରର ମୁଖ୍ୟ ରେସ୍‌ରେ ଘରୋଇ ତାରକା ଆନିଶ ଓ ରାଜୀବ ମୁଖ୍ୟ ଆକର୍ଷଣ ହେବେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାର ପଞ୍ଚମ ପର୍ଯ୍ୟାୟ ଇଣ୍ଡୋନେସିଆ ଏବଂ ଫାଇନାଲ୍‌ ତଥା ଶେଷ ପର୍ଯ୍ୟାୟ ଥାଇଲାଣ୍ଡରେ ଆୟୋଜିତ ହେବ। ଆଜିର ଦୁଇଟି ଅଭ୍ୟାସ ପର୍ଯ୍ୟାୟରେ ଆନିଶ ୧୮ ଏବଂ ୨୧ ତମ ସ୍ଥାନରେ ଥିଲେ। ସେହିଭଳି ରାଜୀବ ୧୭ ଓ ୧୮ରେ ରହିଥିଲେ। ୬୦୦ ସିସି ଅଭ୍ୟାସ ରେସ୍‌ରେ ହାଦା କିନ୍ତୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ଉଦୀପ୍ତଙ୍କ ପାଇଁ ଓଡ଼ିଆ ଛାପ
ଚେନ୍ନାଇରେ ଥିବା ମାଡ୍ରାସ୍‌ ମୋଟର ରେସିଂ ଟ୍ରାକ୍‌ (ଏମ୍‌ଏମ୍‌ଆରଟି) ହେଉଛି ଭାରତର ସର୍ବ ପୂରାତନ ସ୍ଥାୟୀ ମୋଟର ସାଇକେଲ୍‌ ରେସିଂ ଟ୍ରାକ୍‌। ଏହାକୁ ଭାରତୀୟ ମୋଟରସାଇକେଲ୍‌ ରେସିଂର ଏନ୍ତୁଡ଼ିଶାଳ କୁହାଯାଏ। ସୌଭାଗ୍ୟବଶତଃ ୨୦୧୫ ମସିହାରୁ ଏଠାରେ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପେସାଦାର ରେସିଂ ଚାଳକ ଉଦୀପ୍ତ କୁମାର ରଥ ଅଭ୍ୟାସ କରୁଛନ୍ତି। ନରସିମ୍‌ ରେସିଂ ନାମରେ ଏକ ଦଳ ଗଠନ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ଚେନ୍ନାଇରେ ମୋଟରସାଇକେଲ୍‌ ରେସିଂର ଭଲ ଭିତ୍ତିଭୂମି ଥିବାରୁ ସେ ଏହି ଦକ୍ଷିଣ ଭାରତୀୟ ସହରକୁ ନିଜ ଘର କରି ନେଇଛନ୍ତି। ଉଦୀପ୍ତ ମଧ୍ୟ ବିଶ୍ୱସ୍ତରକୁ ଯିବାର ସ୍ୱପ୍ନ ନେଇ ନିଜ ଅଭିଯାନ ଜାରି ରଖିଛନ୍ତି। ଏମ୍‌ଏମ୍‌ଆରଟି ମୋ ଘର ଭଳି। ମୁଁ ଏଠାରେ ହିଁ ନିୟମିତ ଅଭ୍ୟାସ କରେ। ଓଡ଼ିଶାରେ ଏଭଳି ଭିତ୍ତିଭୂମି ହେଲେ ଆମ ରାଜ୍ୟରୁ ମଧ୍ୟ ଭଲ ରେସିଂ ତାରକା ସୃଷ୍ଟି ହୋଇପାରନ୍ତେ। ଚେନ୍ନାଇ ପରେ କେବଳ ଦିଲ୍ଲୀ ଓ କୋଏମ୍ବାଟୁରରେ ମୋଟରସାଇକେଲ୍‌ ରେସିଂ ଟ୍ରାକ୍‌ ଅଛି। ଭୁବନେଶ୍ୱର କିମ୍ବା ଆଖପାଖରେ ଏଭଳି ଏକ ଟ୍ରାକ୍‌ ହୋଇପାରିଲେ ପୂର୍ବ ଭାରତରେ ଏହା ପ୍ରଥମ ଟ୍ରାକ୍‌ର ମାନ୍ୟତା ଲାଭ କରନ୍ତା। ବ୍ୟକ୍ତିଗତ ଭାବେ ମୋର ବି ଏସିଆନ୍‌ ରୋଡ୍‌ ରେସିଂ ପ୍ରତିଦ୍ୱନ୍ଦ୍ୱିତାରେ ଅଂଶଗ୍ରହଣ କରିବାର ଦକ୍ଷତା ଅଛି। ହେଲେ ପ୍ରାୟୋଜକ ନାହାନ୍ତି। ହକି ଭଳି ମୋତେ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଲେ ମୋଟରସାଇକେଲ୍‌ ରେସିଂ ଭଳି ବିଶ୍ୱସ୍ତରୀୟ ଖେଳରେ ଓଡ଼ିଶା ଆଗକୁ ବଢ଼ିପାରନ୍ତା। କାରଣ ଏହି ଖେଳରେ ମଧ୍ୟ ହକି ଭଳି ପ୍ରଶଂସକ ଏବଂ ସମର୍ଥକ ଅଛନ୍ତି ବୋଲି କହିଛନ୍ତି ଉଦୀପ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe