ଆଉ ୬ ଦିନ: ଭୁବନେଶ୍ବରରେ ଜର୍ମାନି ଓ ୱେଲ୍‌ସ ବିଶ୍ବକପ୍‌ ଦଳକୁ ବିପୁଳ ସ୍ବାଗତ

Advertisment
ଆଉ ୬ ଦିନ: ଭୁବନେଶ୍ବରରେ ଜର୍ମାନି ଓ ୱେଲ୍‌ସ ବିଶ୍ବକପ୍‌ ଦଳକୁ ବିପୁଳ ସ୍ବାଗତ

ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଖେଳିବା ଲାଗି ଆଉ ଦୁଇ ଆନ୍ତର୍ଜାତିକ ଦଳ ଶନିବାର ଓଡ଼ିଶାରେ ପାଦ ଦେଇଛନ୍ତି। ଆୟୋଜକ ଭାରତୀୟ ଦଳ ବହୁ ଆଗରୁ ଆସି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଅଭ୍ୟାସ ଚଳାଇଥିଲା ବେଳେ ଗୁରୁବାର ୨ଟି ଏବଂ ଶୁକ୍ରବାର ୭ ଦଳ ପହଞ୍ଚିସାରିଛନ୍ତି। ଶନିବାର ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ୱେଲ୍‌ସ ଏବଂ ଜର୍ମାନି। ଏହି ଦୁଇ ଦଳ ଶନିବାର ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ଏଥି ସହିତ ମୋଟ ୧୬ ଦଳୀୟ ବିଶ୍ବକପ୍‌ ପାଇଁ ଶନିବାର ସୁଦ୍ଧା ୧୨ ଦଳ ଓଡ଼ିଶାରେ ପହଞ୍ଚି ସାରିଲେଣି। ଅବଶି‌ଷ୍ଟ ୪ ଦଳ ଆସନ୍ତାକାଲିସୁଦ୍ଧା ପହଞ୍ଚିଯିବେ ବୋଲି ଜଣାପଡ଼ିଛି।

ଜର୍ମାନି ଦଳ: ଆଲେକ୍‌ଜାଣ୍ଡର ଷ୍ଟାଡଲର, ମାଥିଆସ ମୁଲେର, ମାଟ୍ସ ଗ୍ରାମବୁଚ, ଲୁକାସ ୱିଣ୍ଡଫେଡର, ନିକୋଲାସ ୱେଲେନ, ଟମ୍‌ ଗ୍ରାମବୁଚ, ଟିଓ ହିନରିକ୍ସ, ଗୋଞ୍ଜାଲୋ ପେଲେଟ, ଖ୍ରିଷ୍ଟୋଫର ରୁର, ଜଷ୍ଟୁସ ୱେଇଗାଣ୍ଡ, ମାର୍କୋ ମିଲକାଉଳ, ମାର୍ଟିନ ୱିକର, ହାନେସ ମୁଲର, ଟିମୁର ଓରୁଜ, ଥିଏଜ ପ୍ରିଞ୍ଜ, ମୋରିଜ ଟ୍ରୋମ୍ପେର୍ଜ, ମୋରିଜ ଲୁଡୱିଗ, ଜିଅନ ଡାନେବର୍ଗ। ଆନ୍ଦ୍ରେ ହେନିଙ୍ଗ (ପ୍ରଶିକ୍ଷକ)। ନିକଲାସ ‌ବସରହୋଫ, ପଲ୍‌-ଫିଲିପ କଫ୍‌ମାନ (‌ଷ୍ଟାଣ୍ଡବାଇ)।
ୱେଲ୍ସ ଦଳ: ଟବି ରେନଲ୍‌ଡ୍ସ-କଟେରିଲ, ରିଜ୍‌ ପାଇନେ, ଗାରେଥ ଫୁରଲଙ୍ଗ, ଡାନିଏଲ କିରାକିଡେଜ, ହାୱେଲ ଜୋନ୍ସ, ଲୋନ୍‌ ୱାଲ, ଷ୍ଟିଭ କେଲି, ଲୁଇସ ପ୍ରୋଜର (ଅଧିନାୟକ), ଡାଲେ ହୁଚିନସନ, ଜାକବ ଡ୍ରାପର, ଗାରେଥ ଗ୍ରିଫିଥ୍ସ, ରିଜ୍‌ ବ୍ରାଡସ, ରୁପର୍ଟ ସିପରଲେ (ଅଧିନାୟକ), ଫ୍ରେଡ ନ୍ୟୁବୋଲ୍ଡ, ବେନ୍‌ ଫ୍ରାନ୍‌ସିସ୍‌ଏ, ଲୁକେ ହକର (ଅଧିନାୟକ), ଜେମ୍ସ କାର୍ସନ, ଜାକ ପ୍ରିଚାର୍ଡ। ଡାନିଏଲ ନ୍ୟୁକମ୍ବ (ପ୍ରଶିକ୍ଷକ), ରେଡ୍ରି ଫୁରଲଙ୍ଗ, ଜଲିଅନ୍‌ ମୋର୍ଗାନ (ଷ୍ଟାଣ୍ଡବାଇ)।
ସେମିଫାଇନାଲ୍‌ରେ ପହଞ୍ଚିବା ଦଳ ପାଇଁ ବଡ଼ ସଫଳତା ହେବ: ଆନ୍ଦ୍ରେ ହେନିଂ

ଅଲିମ୍ପିକ୍ସ ପରଠୁ ଜର୍ମାନି ନୂଆ ‌ପ୍ରଶିକ୍ଷକ ପାଇଛି। ଏପରିକି ବିଶ୍ବକପ୍‌ ପାଇଁ ୮ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ଦଳ ପ୍ରସ୍ତୁତି କରିଛି। ଗତବର୍ଷ ଦଳ ଖେଳିଥିବା ୧୮ ମ୍ୟାଚ୍‌ରୁ ୧୩ରେ ବି‌ଜୟୀ ହୋଇଛି। ଏହି ବିଜୟ ଧାରାକୁ ସାଙ୍ଗରେ ନେଇ ଜର୍ମାନି ହକି ବିଶ୍ବକପ୍‌ ଖେଳିବାକୁ ଭୁବନେଶ୍ବରରେ ପହଞ୍ଚିଛି। ଗତ ୨୦୧୮ ସଂସ୍କରଣରେ ଜର୍ମାନି ପଞ୍ଚମ ସ୍ଥାନରେ ରହିଥିଲା। ତେବେ ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ଅଧିନାୟକ ମାଟ୍ସ ଗ୍ରାମ୍ବସ୍କ ଆଶାବ୍ୟକ୍ତ କରିଛନ୍ତି। ବିଶ୍ବକପ୍‌କୁ ଆସିବା ପୂର୍ବରୁ ସ୍ପେନ୍‌ରେ ୬ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜର୍ମାନି ଖେଳିସାରିଛି। ତେଣୁ ଯେଉଁଠାରେ ଦୋଷ ତ୍ରୁଟି ରହିଯାଇଛି ସେଥିରେ ସୁଧାର ଆଣିବାକୁ କସରତ କରାଯାଇଛି। ସେହିପରି ଦଳ ୧୩ଟି ପ୍ରୋ ଲିଗ୍‌ ମ୍ୟାଚ୍‌ ଜିତିଥିଲା ବେଳେ ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ତେଣୁ ଦଳ ସବୁବେଳେ ବିଜେତା ହେବାକୁ ଚାହିଁବ। ତଥାପି ଯଦି ଦଳ ସେମିଫାଇନାଲ୍‌ରେ ବି ପହଞ୍ଚେ ତାହେଲେ ଜର୍ମାନି ପାଇଁ ବଡ଼ ସଫଳତା ହେବ ବୋଲି ପ୍ରଶିକ୍ଷକ ଆନ୍ଦ୍ରେ ହେନିଂ କହିଛନ୍ତି। ଜର୍ମାନି ପୁଲ୍‌ ବି’ରେ ଜାପାନ, ବେଲଜିୟମ, କୋରିଆ ସହିତ ସ୍ଥାନ ପାଇଥିଲା ବେଳେ ୧୪ ତାରିଖରେ ଜାପାନ ବିପକ୍ଷରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe