ଆଜିଠୁ ପୁଣେରେ ଏକଦିବସୀୟ ଶୃଙ୍ଖଳା: କୋହଲିଙ୍କ ପାଇଁ ସଚିନଙ୍କ ସମକକ୍ଷ ଓ ପଣ୍ଟିଂଙ୍କୁ ଟପିବା ସୁଯୋଗ

ରୋହିତ-ଧାୱନ ପାଳି ଆରମ୍ଭ କରିବେ: କୋହଲି

ଆଜିଠୁ ପୁଣେରେ ଏକଦିବସୀୟ ଶୃଙ୍ଖଳା: କୋହଲିଙ୍କ ପାଇଁ ସଚିନଙ୍କ ସମକକ୍ଷ ଓ ପଣ୍ଟିଂଙ୍କୁ ଟପିବା ସୁଯୋଗ

ପୁଣେ: ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚଭରା ମୁକାବିଲା ପରେ ମଙ୍ଗଳବାରଠାରୁ ଭାରତ ଓ ଇଂଲଣ୍ଡ ଏକଦିବସୀୟ ଲଢ଼େଇରେ ଅବତୀର୍ଣ୍ଣ ହେବେ। ପ୍ରଥମ ଦୁଇ ଶୃଙ୍ଖଳାକୁ ଜିତିବା ପରେ ଭାରତ ଏହି ତିନି ଟିକିଆ ଶୃଙ୍ଖଳାକୁ ଜିତି ହ୍ୟାଟ୍ରିକ୍ ସଫଳତା ଲାଭ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ନିଜ ଗସ୍ତର ଶେଷ ପର୍ଯ୍ୟାୟକୁ ଜିତି ସମ୍ମାନର ସହ ସ୍ବଦେଶ ଫେରିବା ଆଶାରେ ଅଛି। ଏହା କିନ୍ତୁ ଇଅନ ମୋର୍ଗାନଙ୍କ ଦଳ ପାଇଁ ‌ସେତେଟା ସହଜ ହେଲା ଭଳି ମନେ ହେଉନି। ଭାରତୀୟ ଦୃଷ୍ଟିକୋଣରୁ ଏହି ଶୃଙ୍ଖଳା ୩୫ ବର୍ଷୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ଅହମଦାବାଦରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ବିଫଳ ହେବା ପରେ ପରବର୍ତ୍ତୀ ଦୁଇ ଦିନିକିଆରେ ତାଙ୍କୁ ସୁଯୋଗ ମିଳି ନଥିଲା। ଦିନିକିଆରେ ମଧ୍ୟ ସେ ସମାନ ସ୍ଥିତିର ସମ୍ମୁଖୀନ ହୋଇ ପାରନ୍ତି। ଏକାଧିକ ଯୁବ ଖେଳାଳି ପାଳି ଆରମ୍ଭ କରିବା ଦ୍ବାର ଦେଶରେ ରହିବା ସହ ଏଥିଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବିତା ମଧ୍ୟ ହେଉଛି।

ଏସବୁ ଦୃଷ୍ଟିରୁ ଧାୱନ ଗୋଟିଏ ବି ମ୍ୟାଚ୍‌ରେ ବିଫଳ ହେଲେ ଦଳରୁ ପୁଣି ଥରେ ବିଦା ହେବାର ଆଶଙ୍କା ରହିଛି। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳାରେ ୨୦୧୯ ଅଗଷ୍ଟ ପରେ ପ୍ରଥମ ଶତକ ଅର୍ଜନ କରିବାର ସୁଯୋଗ ରହିବ। ସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱାସିଂଟନ ସୁନ୍ଦର ଚୂଡ଼ାନ୍ତ ଦଳରେ ରହି ପାରନ୍ତି। ଇଂଲଣ୍ଡ ପାଇଁ ଜୋସ୍ ବଟଲର, ଜାସନ ରୟ ଓ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଭୂମିକା ମହତ୍ବପୂର୍ଣ୍ଣ ହେବ। ମୋଇନ ଅଲ୍ଲୀ ଓ ଆଦିଲ ରସିଦ ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ରେ ଭାରତୀୟ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ବି ରଖନ୍ତି। କୋଭିଡ୍-୧୯ ସଂକ୍ରମଣର ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ଏହି ଶୃଙ୍ଖଳା ବି ବିନା ଦର୍ଶକରେ ଖେଳାଯିବ।

ରୋହିତ-ଧାୱନ ପାଳି ଆରମ୍ଭ କରିବେ: କୋହଲି
ପ୍ରଥମ ଦିନିକିଆରେ ନିଶ୍ଚିତ ଭାବେ ଶିଖର ଧାୱନ ଓ ‌ରୋହିତ ଶର୍ମା ପାଳି ଆରମ୍ଭ କରିବେ। ଏକଥା କହିଛନ୍ତି ଅଧିନାୟକ ବିରାଟ କୋହଲି। ‌ହେଲେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଠିକ୍ ପୂର୍ବଦିନ ରୋହିତ ଶର୍ମା ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ବୋଲି କୋହଲି କହିଥିଲେ। ମ୍ୟାଚ୍ ଦିନ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେଏଲ୍ ରାହୁଲଙ୍କ ସହ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ। ଉଭୟ ପୂରା ବିଫଳ ବି ହୋଇଥିଲେ। ସେହିଭଳି ଦିନିକିଆ ଶୃଙ୍ଖଳାର ପୂର୍ବ ଦିନ ମଙ୍ଗଳବାରର ପ୍ରଥମ ମୁକାବିଲାରେ ରୋହିତ ଓ ଧାୱନ ପାଳି ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏଣୁ ତାଙ୍କର ଏହି ସୂଚନା ଆସନ୍ତାକାଲି ଠିକ୍ ପ୍ରମାଣିତ ହେଉଛି କି ନାହିଁ, ତାହା ଦେଖିବା ବାକି ରହିଛି। ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସକ ବି ଶୃଙ୍ଖଳାରେ ତାଙ୍କ ଏକଦିବସୀୟ କ୍ରିକେଟ୍ ଜୀବନ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି।

କୋହଲିଙ୍କ ପାଇଁ ସଚିନଙ୍କ ସମକକ୍ଷ ଓ ପଣ୍ଟିଂଙ୍କୁ ଟପିବା ସୁଯୋଗ

ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଦୁଇଟି ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ନେଇ ଆସିବ। ଆଉ ଗୋଟିଏ ଶତକ ଅର୍ଜନ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଘରୋଇ ପରିବେଶରେ ସର୍ବାଧିକ ଶତକ (୨୦) ଅର୍ଜନ କରିବାର ବିରଳ କୀର୍ତ୍ତିମାନ ସହ ସମକକ୍ଷ ହେବେ କୋହଲି। ସେହିଭଳି ଆଉ ଗୋଟିଏ ଶତକ ବଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଧିନାୟକ ଭାବେ ସର୍ବାଧିକ ଶତକ ଅର୍ଜନ କରିବାରେ ଅଷ୍ଟ୍ରେଲିଆର ମହାନ ଅଧିନାୟକ ରିକି ପଣ୍ଟିଂଙ୍କୁ ଟପିଯିବେ ସେ। ସଂପ୍ରତି ଉଭୟ କୋହଲି ଓ ପଣ୍ଟିଂ ଅଧିନାୟକ ଭାବେ ୪୧ ଲେଖାଏଁ ଅନ୍ତର୍ଜାତୀୟ ଶତକ (ସବୁ ଫର୍ମାଟ୍‌କୁ ମିଶାଇ) ହାସଲ କରିଛନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷଭ ପନ୍ତ, କେଏଲ୍ ରାହୁଲ/କ୍ରୁନାଲ ପାଣ୍ଡ୍ୟା/ୱାସିଂଟନ୍ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ/ କୁଲଦୀପ ଯାଦବ।

ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ‌ଷ୍ଟୋକ୍ସ, ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ସାମ୍ ବିଲିଙ୍ଗ୍ସ, ମୋଇନ ଅଲ୍ଲୀ/ଲିୟମ ଲିଭିଂଷ୍ଟୋନ୍, ସାମ କରନ/ଟମ୍ କରନ, ଆଦିଲ ରସିଦ, ରେସେ ଟପଲେ, ମାର୍କ ଉଡ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe