ଟୋକିଓରେ କୀର୍ତ୍ତିମାନ: ପାରାଲିମ୍ପକ୍ସରେ ଭାରତକୁ ୧୩ ପଦକ

Advertisment

୪୪ ବର୍ଷରେ ମିଳିଥିଲା ମୋଟ ୧୨ ପଦକ

୪୪ ବର୍ଷରେ ମିଳିଥିଲା ମୋଟ ୧୨ ପଦକ

ଟୋକିଓରେ କୀର୍ତ୍ତିମାନ: ପାରାଲିମ୍ପକ୍ସରେ ଭାରତକୁ ୧୩ ପଦକ

ଟୋକିଓ : ୧୯୭୨ ମସିହାରୁ ୨୦୧୬ ରିଓ ପର୍ଯ୍ୟନ୍ତ ୪୪ ବର୍ଷର ପାରାଲିମ୍ପିକ୍ସ ଇତିହାସରେ ଭାରତ ମୋଟ ଯେତିକି ପଦକ ଅମଳ କରିଥିଲା ଏବେ କେବଳ ଟୋକିଓରେ ହିଁ ସେହି ସଂଖ୍ୟା ପଛରେ ପଡ଼ିଯାଇଛି। ୪୪ ବର୍ଷ ମଧ୍ୟରେ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତ ମୋଟ ୧୨ ପଦକ ଜିତିପାରିଥିଲା। ସେଥିରୁ ୨୦୧୬ ରିଓ ପାରାଲିମ୍ପିକ୍ସରେ ୩ ପଦକ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ହେଲେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିନେଇଛନ୍ତି ଭାରତୀୟ ପ୍ରତିଯୋଗୀମାନେ। ଏହି ଅଲିମ୍ପିକ୍ସ ପୂର୍ବରୁ ଭାରତ ମୋଟ ୧୨ ପଦକ ଜିତିଥିଲା ବେଳେ କେବଳ ଟୋକିଓରେ ହିଁ ଶୁକ୍ରବାର ସୁଦ୍ଧା ଭାରତୀୟ ପାରା ଆଥ୍‌ଲେଟ୍‌ମାନେ ୧୩ ପଦକ ଜିତିସାରି ଏହାକୁ ଟପିଯାଇଛନ୍ତି।

ଗୁରୁବାର ସୁଦ୍ଧା ୨ ସ୍ବର୍ଣ୍ଣ, ୫ ରୌପ୍ୟ ଏବଂ ୩ କାଂସ୍ୟ ସହ ମୋଟ ୧୦ ପଦକ ଜିତିଥିବା ଭାରତ ଶୁକ୍ରବାର ଆଉ ୩ ପଦକ ଅମଳ କରିନେଇଛି। ପଦାର୍ପଣରେ ପ୍ରବୀଣ କୁମାର ପୁରୁଷ ହାଇଜମ୍ପ୍‌ ଟି୬୪ ବର୍ଗରେ ରୌପ୍ୟ ପଦକ ଜିତିଥିଲା ବେଳେ ଅନ୍ୟତମ ପଦାର୍ପଣକାରୀ ଅବନୀ ଲେଖରା ବନ୍ଧୁକଚାଳନାରେ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ଶୁକ୍ରବାରର ଶେଷ ପଦକ ଭେଟି ଦେଇଥିଲେ ତୀରନ୍ଦାଜି ତାରକା ହରବିନ୍ଦର ସିଂହ। ସେ ପୁରୁଷ ବ୍ୟକ୍ତିଗତ ରିକର୍ଭରେ କାଂସ୍ୟ ପଦକ ଜିତିଥିଲେ। ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୧୩ (୨ ସ୍ବର୍ଣ୍ଣ, ୬ ରୌପ୍ୟ, ୫ କାଂସ୍ୟ)କୁ ବୃଦ୍ଧି ପାଇଛି। ଚଳିତ ପାରାଲିମ୍ପିକ୍ସ ‌ଶେଷ ହେବାକୁ ଆଉ ଦୁଇ ଦିନ ବାକି ଥିଲା ବେଳେ ଟୋକିଓରେ ଭାରତ ଆହୁରି ଏକାଧିକ ପଦକ ଅମଳ କରିବାର ଦୃଢ଼ ଆଶା ରହିଛି।

ବିଶେଷକରି ବ୍ୟାଡ୍‌ମିଣ୍ଟନରେ ଶୁକ୍ରବାର ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସମେତ ୬ ଜଣ ସେମିଫାଇନାଲ୍‌ରେ ପହଞ୍ଚିସାରିଥିବାରୁ ଏହି କ୍ରୀଡ଼ାରୁ ଏକାଧିକ ପଦକ ସମ୍ଭାବନା ରହିଛି। ପୁଣି ଅବନୀ ଲେଖରା ବ୍ୟକ୍ତିଗତ ଭାବେ ୨ ପଦକ ଜିତି କୌଣସି ପାରାଲିମ୍ପିକ୍ସରେ ଏକାଧିକ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର କୀର୍ତ୍ତିମାନ ମଧ୍ୟ ରଚିଛନ୍ତି। ଶୁକ୍ରବାର କାଂସ୍ୟ ଜିତିବା ପୂର୍ବରୁ ସେ ସୋମବାର ସ୍ବର୍ଣ୍ଣ ପଦକ ଜିତିଥିଲେ। ମାତ୍ର ୧୯ ବର୍ଷ ବୟସରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର ବିରଳ କୃତିତ୍ବ ମଧ୍ୟ ହାସଲ କରିଛନ୍ତି ଅବନୀ। ତାଙ୍କ ପଛକୁ ପ୍ରବୀଣ କୁମାର ମଧ୍ୟ ଭାରତ ପକ୍ଷରୁ ଦ୍ବିତୀୟ ସର୍ବକନିଷ୍ଠ ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ଏହି ୧୮ ବର୍ଷ ବୟସ୍କ ହାଇଜମ୍ପ୍‌ର ରୌପ୍ୟ ଜିତି ପଦାର୍ପଣକୁ ସ୍ମରଣୀୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe