ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଭାରତକୁ ଝଟ୍‌କା: ଡୋପ୍ ଟେଷ୍ଟ୍‌ରେ ଧରାପଡ଼ିଲେ ଧନଲକ୍ଷ୍ମୀ, ଦୂତି, ହିମାଙ୍କୁ ହରାଇ ଚର୍ଚ୍ଚାରେ ଥିଲେ

Advertisment

ଭାରତୀୟ ଦଳକୁ ମିଳିଲା ମୋଦୀ ମନ୍ତ୍ର

ଭାରତୀୟ ଦଳକୁ ମିଳିଲା ମୋଦୀ ମନ୍ତ୍ର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଭାରତକୁ ଝଟ୍‌କା: ଡୋପ୍ ଟେଷ୍ଟ୍‌ରେ ଧରାପଡ଼ିଲେ ଧନଲକ୍ଷ୍ମୀ, ଦୂତି, ହିମାଙ୍କୁ ହରାଇ ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ: ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଭାରତକୁ ବହୁତ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ରାଜ୍ୟଗୋଷ୍ଠୀ ଦଳର ସଦସ୍ୟା ତଥା ଧାବିକା ଧନଲକ୍ଷ୍ମୀ ସେକର ଏବଂ ଟ୍ରିପଲ ଜମ୍ପର ଏଶ୍ବର୍ଯ୍ୟା ବାବୁ ଡୋପ୍ ଟେଷ୍ଟ୍‌ରେ ବିଫଳ ହୋଇଛନ୍ତି। ଦୂତି ଚାନ୍ଦ ଓ ହିମା ଦାସଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଅଚାନକ ଚର୍ଚ୍ଚାକୁ ଆସିଥିବା ଧନଲକ୍ଷ୍ମୀ ଏହି କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଥିଲା ବେଳେ ବାବୁଙ୍କ ରିପୋର୍ଟ ଦ୍ବିତୀୟବାର ପଜିଟିଭ୍ ଆସିବା ପରେ ତାଙ୍କ ଅଡ଼ୁ୍ଆ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ହୋଇଥିବା ୩୬ ଜଣିଆ ଭାରତୀୟ ଦଳରେ ୨୪ ବର୍ଷୀୟା ଧନଲକ୍ଷ୍ମୀ ସ୍ଥାନ ପାଇଥିଲେ। ମହିଳା ୧୦୦ ମିଟର ଏବଂ ୪ ଗୁଣା ୧୦୦ ମିଟରରେ ଦେଶର ପ୍ରତିନିଧିତ୍ବ କରିଥା’ନ୍ତେ ସେ। ଏହି ଦଳରେ ଓଡ଼ିଆ ତାରକା ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ହିମା ଦାସ ମଧ୍ୟ ଥିଲେ।

ଧନଲକ୍ଷ୍ମୀ ମଧ୍ୟ ଆମେରିକାର ୟୁଜିନଠାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତେବେ ସେଠାକୁ ଯାଇନଥି‌ଲେ। ବିଶ୍ବ ଦୌଡ଼କୁଦ ଦ୍ବାରା କରାଯାଇଥିବା ଡୋପ୍ ପରୀକ୍ଷଣରେ ଧନଲକ୍ଷ୍ମୀ ଷ୍ଟେରଏଡ୍ ବା ଶକ୍ତିବର୍ଦ୍ଧକ ଔଷଧ ସେବନ କରୁଥିବା ଜଣାପଡ଼ିବା ପରେ ଦେଶର ସମ୍ମାନ ମଧ୍ୟ କ୍ଷୁଣ୍ଣ ହୋଇଛି। ଗତ ଜୁନ୍ ୨୬ ତାରିଖରେ ଧନଲକ୍ଷ୍ମୀ କାଜାଖସ୍ତାନର ଅଲମାଟିଠାରେ ଆୟୋଜିତ କସନୋଭ ସ୍ମାରକୀ ଦୌଡ଼କୁଦ ପ୍ରତିଯୋଗିତାରେ ୨୦୦ ମିଟରରେ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ (୨୨.୮୯ ସେକେଣ୍ଡ) ହାସଲ କରିଥିଲେ। ୨୩ ସେକେଣ୍ଡ ତଳେ ୨୦୦ ମିଟର ଶେଷ କରିବାରେ ସରସ୍ବତୀ ସାହ (୨୨.୮୨ ‌ସେକେଣ୍ଡ) ଓ ହିମା ଦାସ (୨୨.୮୮ ସେକେଣ୍ଡ)ଙ୍କ ପରେ ତୃତୀୟ ଭାରତୀୟ ହୋଇଥିଲେ ସେ। ଧନଲକ୍ଷ୍ମୀଙ୍କ ପ୍ରଦର୍ଶନକୁ ଆଧାର କରି ଭାରତୀୟ ଦୌଡ଼କୁଦ ମହାସଂଘ ଦୂତିଙ୍କ ପରିବର୍ତ୍ତେ ତାଙ୍କୁ ରାଜ୍ୟ‌ଗୋଷ୍ଠୀର ମହିଳା ୧୦୦ ମିଟର ଦୌଡ଼ିବାକୁ ବାଛିଥିଲା। ସେ ବାଦ୍ ପଡ଼ିବା ପରେ ଦୂତିଙ୍କୁ ଏହି ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଐଶ୍ବର୍ଯ୍ୟା ଗତମାସ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଅବସରରେ ଶକ୍ତିବର୍ଦ୍ଧକ ସେବନ କରୁଥିବାର ପ୍ରମାଣ ମିଳିଥିଲା। ସେତେବେଳେ ସେ ଟ୍ରିପଲ ଜମ୍ପରେ ନୂ୍ଆ ଜାତୀୟ କୀର୍ତ୍ତିମାନ (୧୪.୧୪ ମିଟର) ସ୍ଥାପନ କରିଥିଲେ।

ଭାରତୀୟ ଦଳକୁ ମିଳିଲା ମୋଦି ମନ୍ତ୍ର
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାକୁ ଇଂଲଣ୍ଡର ବର୍ମିଂହାମ ଯିବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦେଇଛନ୍ତି ସଫଳତା ମନ୍ତ୍ର। ‘କିୟୁଁ ପଡେ ହୋ ଚକ୍କର ମେ’, କୋଇ ନେହିଁ ହେ ଟକ୍କର ମେ’ ମନ୍ତ୍ରକୁ ଅନୁସରଣ କରି ପ୍ରତିପକ୍ଷଙ୍କ ସହ ଲଢ଼ିବାକୁ ଏହି ଅବସରରେ ଭାରତୀୟ ଖେଳାଳିଙ୍କୁ ‌ମୋଦୀ ଆହ୍ବାନ ଦେଇଥିଲେ। ଭର୍ଚୁଆଲରେ ହୋଇଥିବା ଶୁଭେଚ୍ଛା ସମ୍ମିଳନୀରେ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ଭାରତୀୟ ଖେଳାଳିଙ୍କୁ ମୋଦୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ତା’ ସହ ସାଂପ୍ରତିକ ସମୟ ଭାରତୀୟ ଖେଳ ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବୁଝାଇଥିଲେ। ‘‘ଭାରତୀୟ କ୍ରୀଡ଼ା ଲାଗି ଆଜିକାର ସମୟ ସବୁଠୁ ବେଶି ଗୁରୁତ୍ବପୂର୍ଣ୍ଣ। ଆପଣଙ୍କ ଭଳି ଖେଳାଳିଙ୍କ ମନୋବଳ ଆଜି ଆକାଶଛୁଆଁ। ପ୍ରଶିକ୍ଷଣ ବ୍ୟବସ୍ଥାରେ ଦିନକୁ ଦିନ ଉନ୍ନତି ହେଉଛି। କ୍ରୀଡ଼ା ପ୍ରତି ଦେଶରେ ଥିବା ଭାବନା ବଦଳିବାରେ ଲାଗିଛି। ଏବେ ଭାରତର କ୍ରୀଡ଼ା ପରିବେଶ ନୂଆ ସ୍ତର ଛୁଇଁଛି। ଆପଣମାନେ ସଫଳତାର ନୂଆ ଶିଖର ଛୁଇଁ ଚାଲିଛନ୍ତି।’’ ବୋଲି ମୋଦୀ କହିଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe