ବର୍ଷକ ପରେ ୨୦୨୩ ହକି ବିଶ୍ବକପ୍: ଏଥର ଆହୁରି ବଡ଼, ଅଧିକ ମନୋରଞ୍ଜନ

Advertisment
ବର୍ଷକ ପରେ ୨୦୨୩ ହକି ବିଶ୍ବକପ୍: ଏଥର ଆହୁରି ବଡ଼, ଅଧିକ ମନୋରଞ୍ଜନ

ଭୁବନେଶ୍ବର: ଆଉ ଠିକ୍ ବର୍ଷକ ପରେ ଅର୍ଥାତ୍ ୧୩ ଜାନୁଆରି ୨୦୨୩ରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ର ପଞ୍ଚଦଶ ସଂସ୍କରଣ ଖେଳାଯିବ। ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ଏବଂ ଭାରତରେ ରେକର୍ଡ ଚତୁର୍ଥ ଥର ଲାଗି ଖେଳାଯିବାକୁ ଯାଉଥିବା ହକି ବିଶ୍ବକପ୍‌ର ୩୬୫ ଦିନିଆ କାଉଣ୍ଟ ଡାଉନ୍ ଗୁରୁବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ତା’ ସହ ହକିପ୍ରେମୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଯାଇଛି। ରାଉରକେଲାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ଥିଲା ବେଳେ କଳିଙ୍ଗ ଷ୍ଟାଡିୟମର ନୀଳ ଟର୍ଫ ବିଶ୍ବର ବଛାବଛା ହକି ତାରକାଙ୍କୁ ସ୍ବାଗତ କରିବାକୁ ପୂରା ପ୍ରସ୍ତୁତ। ୨୦୨୩ରେ ଭାରତ ବର୍ଷ ସ୍ବାଧୀନତା ପ୍ରାପ୍ତିର ୭୫ତମ ଦିବସ ପାଳନ କରିବାକୁ ଯାଉଥିବାରୁ ଏହି ବିଶ୍ବକପ୍ ପ୍ରତିଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ଏବଂ ନିଆରା ହେବ।

ଭାରତୀୟ ହକି ଦଳ ମଧ୍ୟ ବିଶ୍ବକପ୍‌ରେ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଦୋହରାଇବା ଲାଗି ପ୍ରତିଶୃତିବଦ୍ଧ। ଅଧିନାୟକ ମନପ୍ରୀତ ସିଂହ ବ୍ୟକ୍ତିଗତ ଭାବେ ବିଶ୍ବକପ୍‌କୁ ଅପେକ୍ଷା କରିଥିଲା ବେଳେ ଭାରତୀୟ ଦଳ ଏଥିଲାଗି ଯୋଜନା ପ୍ରସ୍ତୁତ କରି ସାରିଛି ଏବଂ ଧୀରେଧୀରେ ଏହି ଦିଗରେ ଅଗ୍ରସର ହେଉଛି ବୋଲି କହିଛନ୍ତି। ଏଥରର ବିଶ୍ବକପ୍ ୨୦୧୮ ବିଶ୍ବକପ୍‌ଠାରୁ ଆହୁରି ବଡ଼ ଓ ଅଧିକ ‌ରୋମାଞ୍ଚଭରା ‌ହେବ ବୋଲି ମଧ୍ୟ ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ‘‘୨୦୧୮ରେ ଓଡ଼ିଶା ହକିପ୍ରେମୀଙ୍କ ସମ୍ମୁଖରେ ଖେଳିବା ଆମ ପାଇଁ ସ୍ମରଣୀୟ ଅନୁଭୂତି ଥିଲା। ଏଥର ମଧ୍ୟ ଓଡ଼ିଶା ହକିପ୍ରେମୀ ଆମକୁ ଭରପୁର ଭଲପାଇବା ଓ ସମର୍ଥନ କରିବେ ବୋଲି ଆଶା କରୁଛି। ଚଳିତବର୍ଷ ଆମେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଖେଳିବୁ। ଏହି ସବୁ ପ୍ରତିଯୋଗିତା ବିଶ୍ବକପ୍ ଲାଗି ଆମର ପ୍ରସ୍ତୁତିପର୍ବ ହେବ’’ ବୋଲି ମନପ୍ରୀତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe