୧୦ ବର୍ଷ ପରେ ଭାରତକୁ ହକି ଏସିଆ କପ

Advertisment

ମାଲେସିଆକୁ ହରାଇ ତୃତୀୟ ଥର ଜିତିଲା ଟ୍ରଫି

ମାଲେସିଆକୁ ହରାଇ ତୃତୀୟ ଥର ଜିତିଲା ଟ୍ରଫି

୧୦ ବର୍ଷ ପରେ ଭାରତକୁ ହକି ଏସିଆ କପ

ଢାକା: ଏକ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିଛି। ମାଲେସିଆକୁ ୨-୧ ଗୋଲ୍‌ରେ ହରାଇ ଭାରତୀୟ ହକି ଦଳ ଦୀର୍ଘ ୧୦ ବର୍ଷ ପରେ ହକି ଏସିଆ କପ୍‌ ହାସଲ କରିଛି। ଶେଷ ଥର ପାଇଁ ଭାରତ ୨୦୦୭ରେ ଏସିଆ କପ୍‌ ଜିତିିଥିଲା। ୨୦୦୩ ମସିହାରେ ପ୍ରଥମ ଥର ବିଜେତା ହୋଇଥିଲା। ମୋଟ ଉପରେ ଭାରତ ୭ ଥର ରୌପ୍ୟ (୧୯୮୨, ୧୯୮୫, ୧୯୮୯, ୧୯୯୩, ୨୦୧୩) ଏବଂ ଥରେ କାଂସ୍ୟ (୧୯୯୯) ଜିତିଛି। ମୋଟାମୋଟି ଭାବେ କହିଲେ ଭାରତ ୧୦ ସଂସ୍କରଣରୁ ଥରେ ମାତ୍ର ପଦକ ବିହୀନ ହୋଇ ଫେରିଛି।

ଶନିବାର ଶେଷ ସୁପର୍‌-୪ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତୀୟ ଦଳ ରବିବାର ଫାଇନାଲ୍‌ରେ ମାଲେସିଆ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ବିଶେଷ କରି ପ୍ରଥମ ଦୁଇ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା। ଫଳରେ ପ୍ରଥମାର୍ଧ ସୁଦ୍ଧା ୨-୦ରେ ଆଗୁଆ ରହିବାରୁ ଏହି ବ୍ୟବଧାନକୁ ସୁରକ୍ଷିତ ରଖିବାକୁ ରକ୍ଷଣାତ୍ମକ ଖେଳିଥିଲା। ମାଲେସିଆ ଗୋଟିଏ ଗୋଲ୍‌ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଭାରତ ୨-୧ରେ ବାଜି ମାରି ନେଇଥିଲା। ଭାରତୀୟ ବଳୟରେ ମାଲେସିଆ ଅଧିକ ଥର ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ବିଶେଷ ସଫଳ ହୋଇନଥିଲା। ଏଥି ସହିତ ଲିଗ୍‌ ପର୍ଯ୍ୟାୟରେ ଭାରତ ନିକଟରୁ ୨-୬ରେ ହାରିଥିବା ମାଲେସିଆ ଦୋହରା ପରାଜୟ ବରଣ କରି ରୌପ୍ୟରେ ସନ୍ତୁଷ୍ଟ ରହିଲା। ଭାରତ ପାଇଁ ରବିବାର ଫାଇନାଲ୍‌ରେ ରମଣଦୀପ ସିଂହ (ତୃତୀୟ ମିନିଟ୍‌) ଏବଂ ଲଳିତ ଉପାଧ୍ୟାୟ (୨୯ ମିନିଟ୍‌) ଗୋଲ୍‌ ଦେଇଥିଲେ। ଶେଷ କ୍ୱାର୍ଟରରେ ସାହରିଲ୍‌ ସବା (୫୦ତମ ମିନିଟ୍‌) ଗୋଲ୍‌ ବ୍ୟବଧାନକୁ ହ୍ରାସ କରିଥିଲେ। ଆକାଶଦୀପ୍‌ ସିଂହ କିନ୍ତୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପାକିସ୍ତାନକୁ କାଂସ୍ୟ

ତୃତୀୟ ସ୍ଥାନ ମୁକାବିଲାରେ ପାକିସ୍ତାନ ୬-୩ରେ ଦକ୍ଷିଣ କୋରିଆକୁ ପରାସ୍ତ କରି କାଂସ୍ୟ ପଦକ ବିଜେତା ହୋଇଥିଲା। ପାକିସ୍ତାନ ପାଇଁ ଅହମ୍ମଦ ଏଜାଜ୍‌ (୧୦, ୩୦, ୩୬ ମିନିଟ) ହ୍ୟାଟ୍ରିକ୍‌ ଅର୍ଜନ କରିଥିବାବେଳେ ରସିଦ୍‌ ମେହମୁଦ୍‌ (୨୬ ମିନିଟ), ଅବୁ ମେହମୁଦ୍‌ (୩୨ ମିନିଟ୍‌) ଏବଂ ୟାକୁବ୍‌ ମହମ୍ମଦ୍‌ (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। କୋରିଆ ପକ୍ଷରୁ ସୁକ୍‌ ହୁନ୍‌ (୨୦ ମିନିଟ୍‌), ନାମଙ୍ଗ ଲି (୪୩ ମିନିଟ୍‌) ଏବଂ ସିଓ ଇନୁ (୫୫ ମିନିଟ୍‌) ଗୋଲ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe