ଦ୍ବିଶତକ ପାଳି ପରେ ମଧ୍ୟ ମୟଙ୍କଙ୍କୁ ଏବେ ମିଳିବନି ନୀଳ ଜର୍ସି

Advertisment
ସିଲି ପଏଣ୍ଟ, ମୟଙ୍କଙ୍କୁ ‘ଗଜନୀ’ ଡାକୁଥିଲେ ସାଥୀ ଖେଳାଳି

Hindustan Times

ମୁମ୍ବାଇ: ଇନ୍ଦୋର ଟେଷ୍ଟ୍‌ରେ ବାଂଲାଦେଶ ବିପକ୍ଷରେ ଦ୍ବିଶତକ ପାଳି (୨୪୩) ଖେଳିଥିବା ମୟଙ୍କ ଅଗ୍ରୱାଲ୍‌ ଏବେ ଚର୍ଚାରେ। ତାଙ୍କ ୩୩୦ ବଲ୍‌ ପାଳି ଭିତରେ ଥିଲା ୨୮ ଚୌକା ଏବଂ ୮ ଛକା। ଆକ୍ରମଣାତ୍ମକ ବ୍ୟାଟିଂର ରୂପ ଦେଖାଇଥିଲେ ଏହି କର୍ଣ୍ଣାଟକୀ। କିନ୍ତୁ ମିଳିଥିବା ସୂଚନା ଅନୁସାରେ ମୟଙ୍କଙ୍କୁ ଏତେ ଶୀଘ୍ର ନୀଳ ଜର୍ସି ମିଳିବା ସମ୍ଭାବନା କମ୍‌। ଅର୍ଥାତ୍‌ ଭାରତୀୟ ସୀମିତ ଓଭର ଦଳ (ଟି-୨୦ ଓ ଏକଦିବସୀୟ)ରେ ତାଙ୍କୁ ସୁଯୋଗ ମିଳିବା ବିଳମ୍ବିତ ହେବ। ଡିସେମ୍ବର ୬ ତାରିଖରୁ ଭାରତ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିବ। ‘ସୀମିତ ଓଭର ଦଳର ଓପନିଂ ସ୍ଲଟରେ ଫାଙ୍କା ନାହିଁ। ରୋହିତ ଶର୍ମା ଏବଂ ଶିଖର ଧାୱନ ପ୍ରତିଷ୍ଠିତ ଓପନର୍‌’। ଶୀର୍ଷ କ୍ରମରେ ଫାଙ୍କା ନାହିଁ, ଏପରିକି କେଏଲ୍‌ ରାହୁଲଙ୍କୁ ବି ସୁଯୋଗ ମିଳୁନାହିଁ। ବିରାଟ କୋହଲି ଫେରିବେ’ ବୋଲି ଜଣେ ବିସିସିଆଇ ସମ୍ପୃକ୍ତ ବ୍ୟକ୍ତି କହିଛନ୍ତି। ଏପରିକି ଚୟନକର୍ତାମାନେ ଧାୱନଙ୍କ ସାଧାରଣ ଷ୍ଟ୍ରାଇକ୍ ରେଟ୍‌କୁ ନେଇ ଚିନ୍ତିତ ନୁହଁନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ରେ ସେ ବିଫଳ ହେବାରୁ ପୂର୍ବତନ ଖେଳାଳିମାନେ ସମାଲୋଚନା କରିଥିଲେ। ରୋହିତ ଏବଂ ଧାୱନ ବିଶ୍ରାମ ନ ନେଲେ ମୟଙ୍କଙ୍କୁ ସୁଯୋଗ ମିଳିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ନିଜର ପ୍ରଥମ ୮ ଟେଷ୍ଟ୍ ମଧ୍ୟରେ ୨ ଦ୍ବିଶତକ ହାସଲ କରିଥିବା ମୟଙ୍କଙ୍କୁ ପ୍ରଥମେ ଆସନ୍ତା ଆଇପିଏଲ୍‌ରେ ପ୍ରମାଣିତ କରିବାକୁ ପଡ଼ିବ। ସେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେ‌ଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ। ସେଠାରେ ସ୍ଥିର ପ୍ରଦର୍ଶନ ଦେଲେ ସୀମିତ ଓଭର ଦଳକୁ ଆସିବା ବାଟ ଫିଟିବ ବୋଲି ବିଶ୍ବାସ କରାଯାଉଛି। ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ମଧ୍ୟ ମୟଙ୍କ ୫୦.୯୦ ହାରରେ ୧୩ ଶତକ ଜମାଇ ସାରିଛନ୍ତି। ଷ୍ଟ୍ରାଇକ‌ ରେଟ୍‌ (୧୦୧.୫୭) ମଧ୍ୟ ପ୍ରଶଂସନୀୟ ରହିଛି। ମୟଙ୍କଙ୍କୁ କିନ୍ତୁ ପୂର୍ବତନ ଖେଳାଳି ତଥା କ୍ରିକେଟ୍ ବିଶାରଦ ଦୀପ ଦାସଗୁପ୍ତା ସମର୍ଥନ କରିଛନ୍ତି। ସେ ଧଳା ବଲ୍‌ର ଜଣେ ଭଲ ଖେଳାଳି, କିନ୍ତୁ ନିଜକୁ ଚମତ୍କାର ଢ଼ଙ୍ଗରେ ପରିବର୍ତନ କରିଥିବାରୁ ଲାଲ୍‌ ବଲ୍‌ରେ ବି ଖେଳିପାରିବେ’ ଦାସଗୁପ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe