ବର୍ମିଙ୍ଗ୍ହାମ୍: ଶେଷରେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତିକଙ୍କ ବିଶ୍ବକପ୍ ଖେଳିବା ଆଶା ପୂରଣ ହୋଇଛି। ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ପଦାର୍ପଣ କରିବାର ୧୫ ବର୍ଷ ପରେ ବିଶ୍ବକପ୍ ପଦାର୍ପଣ କଲେ। ମଙ୍ଗଳବାର ଏଜ୍ବାଷ୍ଟନ୍ ପଡ଼ିଆରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ର ଟସ୍ ପଡ଼ିବା ବେଳେ ଅଧିନାୟକ ବିରାଟ କୋହଲି ତାଙ୍କ ନାମ ଚୂଡାନ୍ତ ଏକାଦଶ ପାଇଁ ଘୋଷଣା କରିବା ପରେ କାର୍ତିକଙ୍କ ସ୍ବପ୍ନ ସାକାର ହୋଇଥିଲା। ଫଳରେ ବିଶ୍ବକପ୍ ଖେଳିବା ପାଇଁ ତାଙ୍କ ପ୍ରତୀକ୍ଷାର ଅନ୍ତ ଘଟିଥିଲା। କାର୍ତିକ ୨୦୦୪ରେ ଏହି ଇଂଲଣ୍ଡ ମାଟିରେ ତଥା ଐତିହାସିକ ଲର୍ଡସ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ୩୪ ବର୍ଷ ବୟସ୍କ କାର୍ତିକ ଏହାର ୧୫ ବର୍ଷ ପରେ ବିଶ୍ବକପ୍ ପଦାର୍ପଣ କଲେ। ସେ ଚଳିତ ବିଶ୍ବକପ୍ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଦାର ଯାଦବଙ୍କ ସ୍ଥାନରେ ଖେଳିଲେ। ହେଲେ କାର୍ତିକଙ୍କ ବିଶ୍ବକପ୍ ପଦାର୍ପଣ ସ୍ମରଣୀୟ ହୋଇପାରିନଥିଲା। ବାଂଲାଦେଶ ବିପକ୍ଷରେ ସେ ୯ ବଲ୍ରୁ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ କାର୍ତିକ ୨୦୦୭ ବିଶ୍ବକପ୍ ଦଳର ସଦସ୍ୟ ରହିଥିଲେ। ମାତ୍ର ୱେଷ୍ଟଇଣ୍ଡିଜ୍ରେ ଆୟୋଜିତ ସେହି ବିଶ୍ବକପ୍ରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍ ପାଇଁ ବି ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା। ଏହାପରେ ଏହି ତାମିଲନାଡୁ ଖେଳାଳିଙ୍କୁ ୨୦୧୧ ଓ ୨୦୧୫ ବିଶ୍ବକପ୍ ଦଳରେ ସାମିଲ କରାଯାଇନଥିଲା। ତେବେ ଚଳିତ ବିଶ୍ବକପ୍ରେ ତାଙ୍କ ପଦାର୍ପଣ ସାଙ୍ଗକୁ ଭାରତ ପ୍ରଥମ ଥର ଲାଗି ଚୂଡାନ୍ତ ଏକାଦଶରେ ତିନି ଜଣ ବିଶେଷଜ୍ଞ ୱିକେଟ୍ରକ୍ଷକଙ୍କୁ ସାମିଲ କରିଥିଲା। କାର୍ତିକଙ୍କ ବ୍ୟତୀତ ବାଂଲାଦେଶ ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ମହେନ୍ଦ୍ର ସିଂହ ଧୋନି ଓ ଋଷଭ ପନ୍ତ୍ଙ୍କ ରୂପରେ ଅନ୍ୟ ଦୁଇ ୱିକେଟ୍ରକ୍ଷକ ରହିଥିଲେ।
୧୫ ବର୍ଷ ପରେ କାର୍ତିକଙ୍କ ବିଶ୍ବକପ୍ ପଦାର୍ପଣ
Advertisment
Follow Us