ଅଷ୍ଟ୍ରେଲିଆରେ ୩୫ ବର୍ଷରେ ଭାରତର ତୃତୀୟ ବିଜୟ

Advertisment

ତଥାପି ରହିଛି ତିନିଟି ଚିନ୍ତା : ଗୋଟିଏ ବିଜୟରେ ସନ୍ତୁଷ୍ଟ ରହିବୁନି:କୋହଲି

ତଥାପି ରହିଛି ତିନିଟି ଚିନ୍ତା : ଗୋଟିଏ ବିଜୟରେ ସନ୍ତୁଷ୍ଟ ରହିବୁନି:କୋହଲି

ଅଷ୍ଟ୍ରେଲିଆରେ ୩୫ ବର୍ଷରେ ଭାରତର ତୃତୀୟ ବିଜୟ

ଆଡିଲେଡ୍‌: ସୋମବାର ଆଡିଲେଡ୍‌ ବିଜୟ ସହିତ ଅଷ୍ଟ୍ରେଲିଆ ମାଟିରେ ଭାରତ ମୋଟ ୬ ଟେଷ୍ଟ୍‌ ଜିତିଲା। ୭୦ରୁ ଅଧିକ ବର୍ଷ ମଧ୍ୟରେ ଭାରତ ଷଷ୍ଠ ବିଜୟ ପାଇଥିଲା ବେଳେ ପ୍ରଥମ ଥର ଲାଗି ଗସ୍ତର ପ୍ରଥମ ଟେଷ୍ଟ୍‌ ଜିତିବାର ଇତିହାସ ରଚିଲେ ବିରାଟ ବାହିନୀ। ପୁଣି ପାକିସ୍ତାନ ପରେ ଦ୍ବିତୀୟ ଏସୀୟ ଦଳ ଭାବେ ମଧ୍ୟ ଭାରତ ପ୍ରଥମ ଟେଷ୍ଟ୍‌ ଜିତିବାର ଗୌରବ ପାଇଲା। ୧୯୭୯ରେ ମେଲ୍‌ବର୍ନରେ ଅଷ୍ଟ୍ରେଲିଆକୁ ପ୍ରଥମ ଟେ‌ଷ୍ଟ୍‌ରେ ପାକିସ୍ତାନ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ‌ଗତ ୩୫ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଭାରତର ଏହା ତୃତୀୟ ବିଜୟ। ପୂର୍ବ ୨ ବିଜୟ ପର୍ଥ (ଜାନୁଆରି ୨୦୦୮) ଓ ଆଡିଲେଡ୍‌ (ଡିସେମ୍ବର ୨୦୦୩)ରେ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ୩ ବିଜୟ କ୍ରମାଗତ ଗସ୍ତ (୧୯୭୭-୭୮ରେ ୨ ଏବଂ ୧୯୮୦-୮୧ରେ ଗୋଟିଏ)ରେ ଭାରତ ହାସଲ କରିଥିଲା। କେବଳ ସେତିକି ନୁହେଁ, ଭାରତ ଏକମାତ୍ର ଦଳ ଯିଏକି ୨୦୦୦ ମସିହା ପରଠୁ ଆଡିଲେଡ୍‌ରେ ଦୁଇଥର ଟେଷ୍ଟ୍‌ ଜିତିଛି।

ଆଡିଲେଡରେ ୩୧ ରନ୍‌ର ରୋମାଞ୍ଚକର ବିଜୟ ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳର ତିନିଟି ଦୁର୍ବଳତା ଏବେ ବି ଦୂର ହୋଇନାହିଁ। ପର୍ଥ ଟେଷ୍ଟ୍‌ରେ ଏହି ଦୋଷ ଦୁର୍ବଳତା ଦୂର କରି ନ ପାରିଲେ ଅଷ୍ଟ୍ରେଲିଆ ‌ଶୃଙ୍ଖଳାକୁ ସଫଳ ପ୍ରତ୍ୟାବର୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ଚଳିତ ଗସ୍ତରେ ଅଧିନାୟକ ବିରାଟ କୋହଲିଙ୍କ ଚିନ୍ତା ପୂର୍ବାପେକ୍ଷା ବଢ଼ିଛି। ବିଶେଷ କରି ପ୍ରାରମ୍ଭିକ ଯୋଡ଼ିଙ୍କ ବିଫଳତା, ନିମ୍ନକ୍ରମରେ ବ୍ୟାଟିଂ ବିଫଳତା ଏବଂ ପ୍ରତିପକ୍ଷର ନିମ୍ନକ୍ରମକୁ ମାତ୍ରାଧିକ ରନ୍ କରିବାର ସୁଯୋଗ ଦେବା କୋହଲିଙ୍କ ପାଇଁ ତିନିଟି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆଡିଲେଡ୍ ଟେଷ୍ଟ୍‌ରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ପ୍ରଥମ ପାଳିରେ ମାତ୍ର ୩ ଏବଂ ଦ୍ବିତୀୟରେ ୬୩ ରନ୍‌ର ଭାଗୀଦାରି କରିଥିଲେ। ପର୍ଥରେ ଜିତିବାକୁ ହେଲେ ଲୋକେଶ ରାହୁଲ ଏବଂ ମୁରଲୀ ବିଜୟଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଦ୍ବିତୀୟ ପାଳିରେ ଭାରତ ଦୃଢ଼ ସ୍ଥିତିରେ ରହିଥିଲା। ଏପରିକି ଭାରତ ୪୦୦ ରନ୍ ଛୁଇଁବାର ଆଶା ସଂଚାର ହୋଇଥିଲା। ହେଲେ ଶେଷ ଆଡ଼କୁ ଭାରତ ୪ ରନ୍‌ ମଧ୍ୟରେ ୪ ୱିକେଟ୍ ହରାଇଥିଲା। ଏହି ଦିଗକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଶେଷରେ ପ୍ୟାଟ୍ କମିନ୍ସ, ନାଥନ ଲିୟନ, ଜୋସ୍ ହାଜେଲଉଡ୍ ଓ ମିଚେଲ ଷ୍ଟାର୍କ ‌ଯେଭଳି ଭାବେ ବ୍ୟାଟିଂ କରୁଛନ୍ତି, ତାହା ଭାରତ ପାଇଁ ବିପଦ ସଙ୍କେତ। ପର୍ଥରେ ସେମାନଙ୍କୁ ରୋକିବା ଲାଗି ନୂଆ ରଣ କୌଶଳର ଆବଶ୍ୟକତା ରହିଛି ବୋଲି କ୍ରିକେଟ୍ ପଣ୍ଡିତମାନେ କୋହଲି ବାହିନୀକୁ ପରାମର୍ଶ ଦେଇଛନ୍ତି।publive-image

ଆଡିଲେଡ୍ ବିଜୟ ପରେ ଅଷ୍ଟ୍ରେଲିଆକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଚେତାବନୀ ଦେଇଛନ୍ତି। ଭାରତ ଗୋଟିଏ ବିଜୟରେ ସନ୍ତୁଷ୍ଟ ରହିବନି ବୋଲି ସେ  ସଫା ସଫା କହି‌ ଦେଇଛନ୍ତି। ସେହିଭଳି ଭାରତର ବିଜୟ ଭୋକ ପୂର୍ବପେକ୍ଷା ଆହୁରି ବଢ଼ିବ ବୋଲି କୋହଲି ଆଜି ସ୍ପଷ୍ଟ କରି ଦେଇଛନ୍ତି। ଆମେ ଗୋଟିଏ ବିଜୟରେ ସନ୍ତୁଷ୍ଟ ହେବୁନି। ହଁ ଏହି ବିଜୟ ପାଇଁ ଆମେ ଖୁସି ଅଛୁ। ଶୃଙ୍ଖଳାକୁ ଆଗେଇ ନେବା ଲାଗି ଏହାର ପୂରା ଦରକାର ଥିଲା। ଆମେ ପାଖରେ ଏବେ ହରାଇବାକୁ କିଛି ନାହିଁ ବୋଲି କୋହଲି ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥିଲେ। ଭାରତ ୨୦୧୪ ଗସ୍ତରେ ଆଡିଲେଡରେ ଜିତିବାର ନିକଟତର ଥିଲା। ହେଲେ ୪୮ ରନ୍‌ରେ ହାରି ଯାଇଥିଲା। ଏହିକଥା ମନେ ପକାଇ କୋହଲି କହିଥିଲେ ଯେ ୪ ବର୍ଷ ତଳେ ୪୮ ରନ୍‌ରେ ଆମେ ହାରି ଯାଇଥିଲୁ। ଅଷ୍ଟ୍ରେଲିଆରେ ଆମେ କେବେବି ଶୃଙ୍ଖଳାରେ ଆଗୁଆ‌ ରହି ନଥିଲୁ। ଏବେ ଏହି ଅନୁଭବ ସାରା ଜୀବନ ରହିବ। ଆମ ମନୋବଳ ଏଥିଲାଗି ଢେର ବଢ଼ି ଯାଇଛି। ବୋଲରମାନେ ୨୦ ୱିକେଟ୍ ଅକ୍ତିଆର କରିବା ମଧ୍ୟ ଏକ ବଡ଼ ସଫଳତା। ସେମାନେ ପ୍ରଶଂସାର ପାତ୍ର। ଭାରତୀୟ ବୋଲର ଏବେ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅଛନ୍ତି। ଭାରତ ଜିତିଥିଲେ ମଧ୍ୟ ଈଶାନ୍ତ ଶର୍ମା ପଡ଼ିଆ ଭିତରେ କାହିଁକି ରାଗି ଯାଇଥିଲେ, ତା ଉପରୁ କୋହଲି ଏହି ଅବସରରେ ପରଦା ଉଠାଇଥିଲେ। ସେ କହିଥିଲେ ମ୍ୟାଚ୍‌ରେ ଈଶାନ୍ତ ନୋ ବଲ୍ ପକାଇବା ନେଇ ନିଜ ଉପରେ କ୍ଷୁବ୍ଧ ଥିଲେ। ଜଣେ ବରିଷ୍ଠ ଖେଳାଳି ହୋଇ ଏଭଳି କରିଥିବାରୁ ଈଶାନ୍ତ ନିଜକୁ ଭତ୍ସନା କରିଥିଲେ। ମ୍ୟାଚ୍‌ର ଶେଷ କିଛି ଓଭରରେ ସେ ବହୁତ ଚାପରେ ଥିଲେ ବୋଲି କୋହଲି ସ୍ବୀକାର କରିଥିଲେ। ମୁଁ ଏହା କହି ପାରିବି ନାହିଁ ଯେ ପଡ଼ିଆ ଭିତରେ ମୁଁ ବରଫ ଭଲି ଥଣ୍ଡା ଓ ଶାନ୍ତ ଥିଲି ବୋଲି କୋହଲି ପ୍ରକାଶ କରିଥିଲେ।

ଅଷ୍ଟ୍ରେଲିଆର ଅଲୋଡ଼ା ପରିସଂଖ୍ୟାନ
୬: ୨୦୧୩ ପରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ କ୍ରମାଗତ ୬ ଟେଷ୍ଟ୍‌ରେ ବିଜୟଶୂନ୍ୟ ରହିଲା।
୪୯: ପ୍ରଥମ ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆ ଦଳ ୪୯ ବର୍ଷ ଧରି କୌଣସି ଟେଷ୍ଟ୍‌ ଶୃଙ୍ଖଳା ଜିତିପାରିନାହିଁ। ଶେଷଥର ପାଇଁ ୧୯୬୯ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବ୍ରିସ୍‌ବନ୍‌ ଟେଷ୍ଟ୍‌ ହାରିବା ପରେ ଅଷ୍ଟ୍ରେଲିଆ ୩-୧ରେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe