ଅଗରଙ୍କ ବୋଲିଂ କୀର୍ତ୍ତିମାନ: ନ୍ୟୁଜିଲାଣ୍ଡ୍‌କୁ ହରାଇଲା ଅଷ୍ଟ୍ରେଲିଆ

Advertisment
ଅଗରଙ୍କ ବୋଲିଂ କୀର୍ତ୍ତିମାନ: ନ୍ୟୁଜିଲାଣ୍ଡ୍‌କୁ ହରାଇଲା ଅଷ୍ଟ୍ରେଲିଆ

ୱେଲିଂଟନ୍: ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ବୁଧବାର ତୃତୀୟ ଟି-୨୦ରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସାଙ୍ଗକୁ ଅଷ୍ଟନ ଅଗରଙ୍କ ବୋଲିଂ କୀର୍ତ୍ତିମାନ ବଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୬୪ ରନ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଦେଇଛି। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୨ରେ ଜୀବନ୍ତ ରଖିଛି। ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ୍‌। ଏହି ନିଷ୍ପତ୍ତିକୁ ଆହ୍ବାନ ଭାବେ ଗ୍ରହଣ କରି ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା। ଆରମ୍ଭରୁ ୧୦ ହାରରେ ରନ୍‌ ସଂଗ୍ରହ କରି ଘରୋଇ ଦଳର ବୋଲରଙ୍କୁ ଚାପରେ ରଖିଥିଲା। ଫିଞ୍ଚ୍‌ (୬୯ ରନ୍‌, ୪୪ ବଲ୍‌, ୮ ଚୌକା, ୨ ଛକା) ଏବଂ ମ୍ୟାକ୍ସୱେଲ୍‌ (୭୦ ରନ୍‌, ୩୧ ବଲ୍‌, ୮ ଚୌକା, ୫ ଛକା) ଧୂଆଁଧାର ବ୍ୟାଟିଂ କରିଥିଲା ବେଳେ ଫିଲିପ୍‌ (୪୩ ରନ୍‌, ୨୭ ବଲ୍‌, ୩ ଚୌକା, ୧ ଛକା) ମଧ୍ୟ ଦ୍ରୁତ ପାଳି ଖେଳିଥିଲେ। ଫିଞ୍ଚ୍‌ ୨ ବର୍ଷରୁ ଅଧିକ ସମୟ ପରେ ନିଜର ଶ୍ରେଷ୍ଠ ଟି-୨୦ ଆନ୍ତର୍ଜାତିକ ସ୍କୋର୍‌ କରିଥିଲେ। ସେହିପରି ଅଲ୍‌ରାଉଣ୍ଡର ଜିମ୍ମି ନୀସାମ୍‌ଙ୍କ ଗୋଟିଏ ଓଭରରେ ମ୍ୟାକ୍ସୱେଲ ୨୮ ରନ୍‌ (୪ ଚୌକା ଓ ୨ ଛକା) ଆଦାୟ କରିବା ନ୍ୟୁଜିଲାଣ୍ଡ୍‌ ପାଇଁ ମହଙ୍ଗା ପଡ଼ିଥିଲା। ଶେଷ ୨ ଓଭରରେ ନ୍ୟୁଜିଲାଣ୍ଡ୍‌ ବୋଲର ସାମାନ୍ୟ ଅଙ୍କୁଶ ଲଗାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ୪ ୱିକେଟ୍‌ ବିନିମୟରେ ୨୦୮ ରନ୍‌ କରିନେଇଥିଲା।

ଜବାବରେ ମାର୍ଟିନ୍‌ ଗପ୍ଟିଲ (୪୩ ରନ୍‌, ୨୮ ବଲ୍‌, ୨ ଚୌକା, ୩ ଛକା) ଓ ଡେଭନ୍‌ କନ୍‌ୱେ (୩୮ ରନ୍‌, ୨୭ ବଲ୍‌, ୫ ଚୌକା, ୧ ଛକା)ଙ୍କ ଦ୍ରୁତ ରନ୍‌ ସତ୍ତ୍ବେ ଘରୋଇ ଦଳ ୧୭.୧ ଓଭରରେ ୧୪୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅଷ୍ଟନ ଅଗର ୪ ଓଭରରେ ୩୦ ରନ୍‌ ବ୍ୟୟ କରି ୬ ୱିକେଟ୍‌ ଦଖଲ କରି ଅଷ୍ଟ୍ରେଲିଆ ବିଜୟର କର୍ଣ୍ଣଧାର ସାଜିଥିଲେ। ଏହି ପ୍ରଦର୍ଶନ ବଳରେ ଅଗର ମଧ୍ୟ ଅଷ୍ଟ୍ରେଲିଆର ଟି-୨୦ ଆନ୍ତର୍ଜାତିକ ଇତିହାସରେ ଶ୍ରେଷ୍ଠ ବୋଲିଂ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ୨୦୮/୪ (ଗ୍ଲେନ୍‌ ମ୍ୟାକ୍ସୱେଲ୍‌-୭୦, ଆରୋନ୍‌ ଫିଞ୍ଚ୍‌-୬୯, ଫିଲିପ୍‌-୪୩, ଈଶ୍‌ ସୋଢ଼ି-୨/୩୨)। ନ୍ୟୁଜିଲାଣ୍ଡ୍‌ ୧୪୪/୧୦ (ମାର୍ଟିନ୍‌ ଗପ୍ଟିଲ-୪୩, ଡେଭନ୍‌ କନ୍‌ୱେ-୩୮, ଅଷ୍ଟନ ଅଗର-୬/୩୦, ରିଲି ମେରେଡିଥ୍‌-୨/୨୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe