୧୭ ବର୍ଷରୁ କମ୍ ବିଶ୍ବକପ୍ ‌ନେଇ ଏଆଇଏଫ୍‌ଏଫ୍‌ ଆଶାବାଦୀ

Advertisment
୧୭ ବର୍ଷରୁ କମ୍ ବିଶ୍ବକପ୍ ‌ନେଇ ଏଆଇଏଫ୍‌ଏଫ୍‌ ଆଶାବାଦୀ

Times of India

ନୂଆଦିଲ୍ଲୀ: କରୋନା ଆତଙ୍କ ସତ୍ତ୍ବେ ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌କୁ ନଭେମ୍ବର ମାସରେ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍ (ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ) ଆଶା ପ୍ରକାଶ କରିଛି। ହାତରେ ଆହୁରି ୭ ମାସ ସମୟ ଥିବାରୁ ଏହି ପ୍ରତୀକ୍ଷିତ ପ୍ରତିଯୋଗିତାକୁ ସ୍ଥଗିତ କିମ୍ବା ବାତିଲ କରିବାର ଦରକାର ପଡ଼ିବ ନାହିଁ ବୋଲି ମହାସଂଘ ଆକଳନ କରିଛି। ତେବେ ସବୁକିଛି ବିଶ୍ବ ଫୁଟ୍‌ବଲ୍ ସଂଘ ବା ‘ଫିଫା’ ଉପରେ ନିଭର୍ରଶୀଳ ରହିବ। ଫିଫା ଅନୁମତି ଦେଲେ ହିଁ ଏହି ପ୍ରତିଯୋଗିତା ନଭେମ୍ବରରେ ଖେଳା ଯାଇପାରିବ ବୋଲି ଏଆଇଏଫ୍‌ଏଫ୍ ସାଧାରଣ ସଂପାଦକ କୁଶାଲ ଦାସ କହିଛନ୍ତି। ‘‘ଏହି ବିଷୟରେ ଫିଫା ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଦେଖାଯାଉ ଆଗକୁ କଣ ହେଉଛି?’’ ‌‌ବୋଲି ଶ୍ରୀ ଦାସ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ନଭେମ୍ବର ୨ରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବାର ଥିଲା। ଏହାର ମ୍ୟାଚ୍‌ଗୁଡ଼ିକ ନଭି ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ବର ଓ ଗୁଆହାଟୀରେ ଖେଳାଯିବାର ଥିଲା। ତେବେ କରୋନା ସଂକଟ ପାଇଁ ଏ ପର୍ଯ୍ୟନ୍ତ ପ୍ରତିଯୋଗିତାର ୟୁରୋପ ଓ ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇପାରିନାହିଁ। ଅନ୍ୟ କେତେକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅଧାରୁ ଅଟକି ଥିଲା ବେଳେ ଫିଫା ଏଥିନେଇ ଆୟୋଜକ ଦେଶଗୁଡ଼ିକ ସହ ଆଲୋଚନା କରୁଛି। ପ୍ରତିଯୋଗିତାରେ ୧୬ ଦଳ ଅଂଶଗ୍ରହଣ କରିବାର ଥିଲା ବେଳେ ମାତ୍ର ୩ ଦେଶ ନିଜ ସ୍ଥାନ ପକ୍କା କରି ପାରିଛନ୍ତି। ଆୟୋଜକ ଦେଶ ଭାବେ ଭାରତ ଯୋଗ୍ୟତା ଲାଭ କରିଥିଲା ବେଳେ ଉତ୍ତର କୋରିଆ ଓ ଜାପାନ ଏସୀୟ ଯୋଗ୍ୟତା ପର୍ଯ୍ୟାୟର ବିଜେତା ଓ ଉପବିଜେତା ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। କରୋନା ପାଇଁ ଟୋକିଓ ଅଲିମ୍ପିକ୍ସ ସହ ୟୁରୋ-୨୦୨୦ ଫୁଟ୍‌ବଲ୍ ପ୍ରତିଯୋଗିତା ମଧ୍ୟ ସ୍ଥଗିତ ହୋଇ ସାରିଛି। ଏଭଳି ସ୍ଥିତିରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌କୁ ସ୍ଥଗିତ କରିଦେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe