ବିମର୍‌ ଫିଙ୍ଗି ଧୋନିଙ୍କୁ କ୍ଷମା ମାଗିଥିଲେ ଅଖ୍‌ତର

ବିମର୍‌ ଫିଙ୍ଗି ଧୋନିଙ୍କୁ କ୍ଷମା ମାଗିଥିଲେ ଅଖ୍‌ତର

DNA India

ନୂଆଦିଲ୍ଲୀ: ଭାରତ ବିପକ୍ଷ ୨୦୦୬ ଶୃଙ୍ଖଳା ଅବସରରେ ଫୈସଲାବାଦ ଟେଷ୍ଟ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଜାଣିଶୁଣି ସେ ବିମର ବୋଲିଂ କରିଥିଲେ ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ୍‌ ଅଖ୍‌ତର ସ୍ବୀକାର କରିଛନ୍ତି। ଏଭଳି ଉଦ୍ଦେଶ୍ୟମୂଳକ ବୋଲିଂ ପାଇଁ ମଧ୍ୟ ଧୋନିଙ୍କ ନିକଟରେ ସେ କ୍ଷମା ପ୍ରାର୍ଥନା କରିଥିବା କଥା ଅଖ୍‌ତର କହିଛନ୍ତି। ସେହି ଟେଷ୍ଟ୍‌ର ପ୍ରଥମ ପାଳିରେ ଧୋନି ତାଙ୍କ ଜୀବନର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ତାଙ୍କ ଅବିଶ୍ବସନୀୟ ୧୪୮ ରନ୍‌ର ପାଳିରେ ୧୯ ଚୌକା ଓ ୪ ଛକା ସାମିଲ ଥିଲା। ସୋଏବ୍‌ ଅଖ୍‌ତର ଧୋନିଙ୍କୁ ଆଉଟ୍‌ କରିବା ପାଇଁ ବିଭିନ୍ନ ପ୍ରକାର ବଲ୍‌ ପକାଇଥିଲେ। ହେଲେ ଅଖ୍‌ତର ଓଭର ଦି ୱିକେଟ୍‌ ବୋଲିଂ କରୁଥିଲା ବେଳେ ଧୋନି ତାଙ୍କର ଗୋଟିଏ ଓଭରରେ ୩ ଚୌକ‌ା ମାରିଥିଲେ। ଏହାପରେ ଅଖ୍‌ତର ରାଉଣ୍ଡ ଦି ୱିକେଟ୍‌ ବୋଲିଂ କରିଥିଲେ। ଏହି ସମୟରେ ସେ ଧୋନିଙ୍କୁ ଏକ ବିମର ପକାଇଥିଲେ। ଏହାକୁ ସେ ଜାଣିଶୁଣି ପକାଇଥିଲେ।

ହେଲେ ସେହି ବଲ୍‌ ଧୋନିଙ୍କ ଉପର ଦେଇ ଚାଲିଯାଇଥିଲା ଏବଂ ୫ ୱାଇଡ୍‌ ରନ୍‌ ମିଳିଥିଲା। ତେବେ ଧୋନି ତାଙ୍କୁ ଗୋଟିଏ ଓଭରରେ ୩ ‌‌ଚୌକା ମାରିବା ପରେ ସେ ହତୋତ୍ସାହିତ ହୋଇପଡ଼ିଥିଲେ ଏବଂ ସେଥିପାଇଁ ଜାଣିଶୁଣି ବିମର ମାରିଥିଲେ ବୋଲି ସ୍ବୀକାର କରିଛନ୍ତି ଅଖ୍‌ତର। ଅଖ୍‌ତରଙ୍କ କହିବା କଥା ହେଲା, ମୁଁ ଭାବୁଛି ଫୈସଲାବାଦ୍‌ରେ ମୁଁ ଗୋଟିଏ ସ୍ପେଲ୍‌ରେ ୮ରୁ ୯ ଓଭର ବୋଲିଂ କରିଥିଲି। ଏହା ଦ୍ରୁତ ସ୍ପେଲ୍‌ ଥିଲା ଏବଂ ଧୋନି ଶତକ ଜମାଇଥିଲେ। ଏହାପରେ ତାଙ୍କୁ ଜାଣିଣୁଣି ବିମର ମାରିଥିବାରୁ ଧୋନିଙ୍କୁ କ୍ଷମା ମାଗିଥିଲି ବୋଲି ନିଜ ୟୁଟ୍ୟୁବ୍‌ ଚାନେଲ୍‌ରେ ଆକାଶ ଚୋପ୍ରାଙ୍କୁ କହିଛନ୍ତି ଅଖ୍‌ତର। ଜୀବନରେ ପ୍ରଥମ ଥର ପାଇଁ ଜାଣିଶୁଣି ବିମର ବୋଲିଂ କରିଥିଲି। ମୁଁ ସେଭଳି କରିବା ଉଚିତ ନଥିଲା। ସେଥିପାଇଁ ମୁଁ ଖୁବ୍‌ ଅନୁତପ୍ତ ହୋଇଥିଲି। ଧୋନି ଖୁବ୍‌ ଚମତ୍କାର ‌ଖେଳିଲେ ଏବଂ ୱିକେଟ୍‌ ଖୁବ୍‌ ମନ୍ଥର ଥିଲା। ‌‌ଯେହେତୁ ମୁଁ ଦ୍ରୁତ ବୋଲିଂ କରିଥିଲି ସେଥିପାଇଁ ସେ ପ୍ରହାର କରିଥିଲେ। ମୁଁ ହତୋତ୍ସାହିତ ହୋଇପଡ଼ିଥିବା ଅନୁଭବ କରିଥିଲି ବୋଲି ଅଖ୍‌ତର କହିଛନ୍ତି। ସେହି ଶୃଙ୍ଖଳାରେ ଅଖ୍‌ତର ୩ ମ୍ୟାଚ୍‌ରୁ ମାତ୍ର ୪ ୱିକେଟ୍‌ ପାଇଥିଲେ। ସଂଯୋଗବଶତଃ ଧୋନି ମଧ୍ୟ ଉଭୟ ଫର୍ମାଟ୍‌ରେ ତାଙ୍କର ପଞ୍ଚମ ମ୍ୟାଚ୍‌ରେ ହିଁ ‌ଦିନିକିଆ ଓ ‌ଟେଷ୍ଟ ଶତକ ହାସଲ କରିଥିଲେ। ଆଉ ଉଭୟ ଶତକୀୟ ପାଳିରେ ବି ଧୋନିଙ୍କ ସ୍କୋର୍‌ ଥିଲା ୧୪୮। ପୁଣି ଉଭୟ ପ୍ରଥମ ଶତକ ମଧ୍ୟ ପାକିସ୍ତାନ ବିପକ୍ଷରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe